ଖୋର୍ଦ୍ଧା: ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଜିଲ୍ଲା ଚିକିତ୍ସା ବିଭାଗ ଓ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଆଜି ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଚେତନତା ରାଲିର ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏମ୍ଓ ଡା ବିଶ୍ୱମୋହନ ମିଶ୍ର, ଡିପିଏଚ୍ଓ(ଡିପିଏମ୍) ଡା ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା ଆଲୋକ ଜ୍ୟୋତି ସାହୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମାନସିକ ବିଷାଦ ନିଶାସେବନ, ଆତ୍ମହତ୍ୟା ଆଦି ଭଳି ସାଂଘାତିକ କର୍ମ ଆଡ଼କୁ ମଣିଷକୁ ଠେଲିଥାଏ । ଏଣୁ ମଣିଷ ନିଜର ଜୀବନର ଚାପକୁ ମୁକ୍ତ କରିବାର ଉପାୟକୁ ସକ୍ରିୟ ଭାବେ ପାଳନ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏନେଇ ଗ୍ରାମାଂଚଳ ଠାରୁ ଆରମ୍ଭ କରି ସ୍କୁଲ ଓ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଓ କର୍ମଶାଳା ଆୟୋଜନ କରାଯାଉଛି ବୋଲି ସୂଚନା ଦେଇଥିଲେ ।
ଏହି ଅବସରରେ ମାନସିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ମନସ୍ମିତା ପରିଡ଼ା, ମେନକା ସେଠୀ, ମଧୁସ୍ମିତା ପରିଡ଼ା, ସମ୍ବିତ କୁମାର ମହାପାତ୍ର ଓ ଅଜିତ ବିକ୍ରମ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । କୁନ୍ତଳା କଲେଜ ଅଫ୍ ନର୍ସିଂର ଛାତ୍ରୀମାନେ ମାନସିକ ସ୍ୱାସ୍ଥ୍ୟ ଓ ଚାପମୁକ୍ତି ପାଇଁ ବିଭିନ୍ନ ଉପାୟର ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ ।
ସେହିଭଳି ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡା ଆଲୋକଜ୍ୟୋତି ସାହୁ ଅତିଥିଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡା ମୌସୁମୀ କାନୁନ୍ଗୋ ସଭାର ଅଧ୍ୟକ୍ଷତା କରିଥିଲେ । ମୋ କଲେଜର ସଂଯୋଜକ ଡ ସନ୍ତୋଷ କୁମାର ମିଶ୍ର, ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡ ସୁବୋଧ ଜଗଦେ୍ଦବ ସଭା କାର୍ଯ୍ୟର ପରିଚାଳନାରେ ସହଯୋଗ କରିଥିଲେ । ଡ ପ୍ରଣବ କିଶୋର ମହାନ୍ତି ଧନ୍ୟବାଦ ଦେଇଥିଲେ ।