ମହାମାରୀ ପରେ ଦୁନିଆ ଅଧିକ ସଂଯୁକ୍ତ: ଶିଳ୍ପ ସଚିବ

ପ୍ରତିକୂଳ ପରିସ୍ଥିତି ସୁଯୋଗ ସୃଷ୍ଟି କରିଥିଲା: ସୌମ୍ୟରଞ୍ଜନ

ଭୁବନେଶ୍ବର: କରୋନା ମହାମାରୀର ପ୍ରଭାବ ଯଦିଓ ଅପସରି ଗଲାଣି, କିନ୍ତୁ ଏବେବି ଦୁନିଆର କେଉଁ କୋଣ ଅନୁକୋଣରେ ଭାଇରସ୍‌ ସଂକ୍ରମଣ ଖବର ଆସିଲେ ତାହା ଦେଶର ଷ୍ଟକ ବଜାରଠାରୁ ଆରମ୍ଭ କରି ବାଣିଜ୍ୟ କାରବାର ସବୁ କ୍ଷେତ୍ରକୁ ପ୍ରଭାବିତ କରୁଛି। ୨୦୨୦ ଜାନୁଆରି ତୁଳନାରେ ଦୁନିଆ ଏବେ ପରସ୍ପର ସହ ଅଧିକ ସଂଯୁକ୍ତ ହୋଇପାରିଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି।

ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ସଂଜ୍ଞା ଦୃଷ୍ଟିରୁ ଯଦିଓ ମହାମାରୀ ଦୂର ହୋଇଗଲାଣି ବୋଲି କୁହାଯାଉଛି, କିନ୍ତୁ ସାଂଘାଇ ଓ ୟୁରୋପର କିଛି ସ୍ଥାନରେ ସଂକ୍ରମଣ ଦେଖା‌ଦେଲେ ତାହାର ପ୍ରଭାବ ବିଶ୍ବର ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳୁଛି। ଶିଳ୍ପ ଜଗତର ନେତୃବୃନ୍ଦଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ମହାମାରୀ ଏକ ସଙ୍କଟ ହୋଇ ଆସିଥିଲା। ତେବେ ଲଜିଷ୍ଟିକ୍ସ ଓ ଯୋଗାଣ ଶୃଙ୍ଖଳରେ ନିଜ ଭାଗ ବଢ଼ାଇବା ଲାଗି ତାହା ଭାରତ ପାଇଁ ସୁଯୋଗ ସୃଷ୍ଟି କରିଛି। କେଉଁଠାରେ ସୁଯୋଗ ରହିଛି ତାହାକୁ ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ସନ୍ଧାନ କରିବାକୁ ପଡ଼ିବ। ଏବେ ଓଡ଼ିଶା ବାହାରେ ଓ ଦେଶ ବାହାରେ ବିପୁଳ ସୁଯୋଗ ସୃଷ୍ଟି ହୋଇଛଇ। ସେହି ସୁଯୋଗ ହାସଲ କରିବା ଲାଗି ‌ଶିଳ୍ପ ଜଗତ ଉଦ୍ୟମ କରିବା ଦରକାର। ସେଥିପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି। ମହାମାରୀ ସମୟରେ କିଭଳି ରାଜ୍ୟ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା ତାହାର ଉଦାହରଣ ଦେଇ ସେ କହିଛନ୍ତି ଯେ ଗତ ୬ ମାସରେ ଓଡ଼ିଶାରେ ୭ଟି ପାଇପ୍ ନିର୍ମାଣ କାରଖାନା ସ୍ଥାପନ କରିବାର ପ୍ରସ୍ତାବ ଆସିଛି। ଓଡ଼ିଶା ଏବେ ଏକ ବୃହତ ପାଇପ୍ ବଜାର ଭାବେ ଉଭା ହୋଇଛି। ଏହି ସୁଯୋଗ କେବଳ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଅର୍ଥନୀତିରେ ହେଉଥିବା ସୁଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ସରକାର ନୀତି ଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି।

ନିଜ ଉଦ୍‌ଘାଟନୀ ଅଭିଭାଷଣରେ ‘ସମ୍ବାଦ’ର ସମ୍ପାଦକ ତଥା ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କରିଛନ୍ତି ଯେ ମହାମାରୀ ବ୍ୟାପିବା ପରେ ଯଦିଓ ସ୍ଥିତିରେ ସୁଧାର ହୋଇଛି, କିନ୍ତୁ ଏବେବି ଆମେ ସମେସ୍ତ ଦ୍ବନ୍ଦ୍ବରେ ଅଛୁ। ନିଉ ନର୍ମାଲ୍ ବା ନୂଆ ସ୍ବାଭାବିକ ବୋଲି କୁହାଯାଉଥିବା ଏହି ସ୍ଥିତି କ’ଣ ସବୁ ଦିନ ପାଇଁ ରହିବ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନଙ୍କୁ ଏକଜୁଟ କରି କାର୍ଯ୍ୟ କରିବାକୁ ହୁଏ। କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ଏହାର ଓଲଟା ସ୍ଥିତି ଦେଖିବାକୁ ମିଳିଥିଲା। ଲୋକମାନଙ୍କୁ ଏକାକୀ ରହିବାକୁ କୁହାଯାଇଥିଲା। ଏବେ ସ୍ଥିତିରେ ସୁଧାର ହେଉଛି। କିନ୍ତୁ କଠିନ ସମୟରେ ଶିଳ୍ପ ଜଗତର ନେତୃବୃନ୍ଦ ବହୁ ଆହ୍ବାନକୁ ସାମ୍ନା କରି ନିଜ ଦାୟିତ୍ବକୁ ସଫଳତାର ସହ ସମ୍ପାଦନ କରିଛନ୍ତି।। ପ୍ରତିକୂଳ ସ୍ଥିତି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଆଜିର କନ୍‌କ୍ଲେଭ୍‌କୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ। ଏହା ପରେ ସ୍ବାଗତ ଭାଷଣ‌ ଦେଇ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ ମହାମାରୀ ସମୟରେ ସୃଷ୍ଟି ହୋଇଥିବା ଆହ୍ବାନକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଓ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ)ମାନେ କିଭଳି ମୁକାବିଲା କରିଥିଲେ ସେହି ଚିନ୍ତାଧାରାରୁ ଏହି କନ୍‌କ୍ଲେଭ୍‌ର ପରିକଳ୍ପନା କରାଯାଇଥିଲା। ଏହା ପରେ ଭବିଷ୍ୟତ କ’ଣ? ତାହାର କିଭଳି ମୁକାବିଲା କରାଯିବ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଲାଗି ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ ସମାରୋହ ପରେ ପ୍ୟାନେଲ୍ ଆଲୋଚନା ଆରମ୍ଭ ହୋଇଥିଲା। ସେଥି‌ରେ ତିନିଟି ସ୍ବତନ୍ତ୍ର ଅଧିବେଶନ ଥିଲା। ପ୍ରଥମ ଅଧିବେଶନର ବିଷୟବସ୍ତୁ ଥିଲା ‘ଆଉ ଆସନ୍ତାକାଲି ନୁହେଁ; ଆଜି’, ଯେଉଁଥିରେ ପ୍ୟାନେଲିଷ୍ଟ ଭାବେ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ର ନିର୍ଦେଶକ (ପର୍ସନେଲ୍‌) କେଶବ ରାଓ, ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ, ଇନ୍‌ଫ୍ରାକର୍ପ, ବାହାରିନର ସିଇଓ (ଭାରତ ପ୍ରକଳ୍ପ) ରାକେଶ ପଟ୍ଟନାୟକ, ଏଏମ୍‌/ ଏନ୍‌ଏସ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦେଶକ (ଓଡ଼ିଶା ଆସେଟ୍‌) ସୁରେଶା ଜି ଓ ମିରାଏ ଆସେଟ୍‌ର ସିଇଓ ସ୍ବରୂପ ମହାନ୍ତି ଯୋଗଦେଇ ସାରଗର୍ଭକ ଆଲୋଚନା କରିଥିଲେ। ଓମ୍‌କମ୍‌ ନ୍ୟୁଜ୍‌ର ମୁଖ୍ୟ ସଂପାଦକ ଯଯାତୀ କରଣ ଉକ୍ତ ଅଧିବେଶନକୁ ସଂଚାଳନ କରିଥିଲେ।

ସ୍ମାର୍ଟ ଗ୍ରାହକଙ୍କ ପାଇଁ ସ୍ମାର୍ଟ ରଣନୀତି ବିଷୟବସ୍ତୁ ଉପରେ ଦ୍ବିତୀୟ ଅଧିବେଶନରେ ଟିପିସିଓଡିଏଲର ସିଇଓ ଏମ୍‌ ସେନବାଗମ, ଫ୍ରିଡମ ଅଏଲ୍‌ର ବରିଷ୍ଠ ଉପସଭାପତି ପି ଚିନ୍ଦ୍ରଶେଖର ରେଡ୍ଡୀ, କ୍ୟାପ୍‌ଡିଲର ପ୍ରତିଷ୍ଠାତା ତଥା ସିଇଓ ଶକ୍ତି ସ୍ବରୂପ ମିଶ୍ର ଓ ଆଇସିଏଫଏଆଇ ଗ୍ରୁପର ନିର୍ଦ୍ଦେଶକ ସୁଧାକର ରାଓ ଯୋଗଦେଇଥିଲେ। ଉକ୍ତ ଅଧିବେଶନର ସଞ୍ଚାଳନ କରିଥିଲେ ୟର୍ଣ୍ଣଷ୍ଟ୍ ଆଣ୍ଡ୍‌ ୟଙ୍ଗ୍‌ର ବରିଷ୍ଠ ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର କମଳାକାନ୍ତ ଦାଶ।

ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଏମ୍ପ୍ରିଓ ଗ୍ରୁପ୍‌ର ଏମ୍‌ଡି ଡା. ଅବିନାଶ ସାମଲ, ଚାନ୍ଦୀ ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ, ମେଟ୍ରୋ ଗ୍ରୁପ୍‌ର ନିର୍ଦ୍ଦେଶିକା ସୋଫିଆ ଫି‌ର୍‌ଦୋସ୍‌ ଏବଂ ଓଡିଏମ୍ ଏଜୁକେସନାଲ ଗ୍ରୁପ୍‌ର ସିଓଓ ସ୍ବୟନ୍ ସତ୍ୟେନ୍ଦୁ ବକ୍ତାଭାବେ ଯୋଗଦେଇଥିଲେ। ଉକ୍ତ ଅଧିବେଶନକୁ କନକ ନ୍ୟୁଜର ନ୍ୟୁଜ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡା ସଂଚାଳନ କରିଥିଲେ।
ଏହି ଅବସରରେ ଶିଳ୍ପ ଜଗତର ବହୁ ବିଶିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର