ବିଶ୍ୱ ମୁସ୍‌ଲିମ ସମ୍ମିଳନୀ ଉଦ୍‌ଯାପିତ : ବିଶ୍ୱ ଶାନ୍ତି, ମାନବ ଜାତିର କଲ୍ୟାଣ ପାଇଁ ପ୍ରାର୍ଥନା

ବ୍ରହ୍ମବରଦା : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ବ୍ରହ୍ମବରଦାରେ ଚାଲିଥିବା ବିଶ୍ବ ମୁସଲିମ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ତିନି ଦିନିଆ ସମ୍ମିଳନୀର ‌ଶେଷ ଦିବସରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଉଦ୍‌ଯାପନୀ ଦିବସରେ ବିଶ୍ବ ଦେଓବନ୍ଦ ଜମାଆତ୍‌ର ଅମୀର ତଥା ଦିଲ୍ଲୀ ମରକଜ୍‌ର ମୁଖ୍ୟ ମୌଲାନା ସାଆଦ୍ ମିସବାହୀ ଯୋଗଦେଇ ବିଶ୍ବଶାନ୍ତି ଓ ମାନବ ଜାତିର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

ସମ୍ମିଳନୀରେ ସମସ୍ତ ଧର୍ମକୁ ସମାନ ଭାବେ ଦେଖିବା, ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା, ସଚ୍ଚୋଟ ହେବାର ବାର୍ତ୍ତାକୁ ସମଗ୍ର ବିଶ୍ବରେ ପ୍ରଚାର କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ଦିଲ୍ଲୀ ନିଜାମୁଦ୍ଦିନର ମୌଲାନା ସାଦ ସାହାବ, ମୌଲାନା ଅବଦୁଲ ବାରି ପ୍ରମୁଖ ଯୋଗଦେଇ ଆଲମି ଇଜ୍‌ତମାର ଅର୍ଥ ବୁଝାଇଥି‌ଲେ। ସମଗ୍ର ମାନବ ଜାତି ଗୋଟିଏ ବୋଲି କହିଥିଲେ।

ଏହି ସମ୍ମିଳନୀରେ ଦେଶର କୋଣ ଅନୁକୋଣରୁ ମୁସ୍‌ଲିମ୍‌ ଧର୍ମଗୁରୁମାନେ ଯୋଗ ଦେଇଥିଲେ। ଏଥିସହ ଶ୍ରୀଲଙ୍କା, ସାଉଦି ଆରବ, ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ ଆଦି ଦେଶରୁ ମୌଲାନାମାନେ ଯୋଗ ଦେଇଥିଲେ। ଦିଲ୍ଲୀ ମରକଜରୁ ମୌଲାନା ୟୁସୁଫ୍ ସାହେବ୍, ମୌଲାନା ମୁର୍ସଲିନ୍ ସାହେବ୍, ମୌଲାନା ମଞ୍ଜୁର ସାହେବ୍, ମୁଫତି ଅସଲମ୍ ସାହେବ୍, ମୌଲାନା ସହିଦ୍ ସାହେବ୍ ସମେତ ୪୦ଜଣ ବିଶିଷ୍ଟ ମୌଲାନା ଯୋଗଦେଇଥିଲେ । ସେହିପରି ଓଡ଼ିଶାରୁ ମୌଲାନା ମୋକିମ୍ ସାହେବ୍, ମୌଲାନା ଅବଦୁଲ ବାରି ସାହେବ୍, ମୋଲାନା ଅସଗର ସାହେବ୍, ମୌଲାନା ନଜରୁଲ୍ ସାହେବଙ୍କ ସମେତ ବହୁଜଣ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ସମ୍ମିଳନୀ କମିଟିର ଭାଇ ଜାକିର ସାହେବ୍, ୟୁସୁଫ୍ ସାହେବ୍, ହୋସେନ୍ ସାହେବ୍, ପ୍ରଫେସର ଅପସର୍ ଅଲ୍ଲୀ ସାହେବ୍, ମଞ୍ଜୁର ସାହେବ୍, ଏକବାଲ ସାହେବ୍, ହାରୁନ ରସିଦ୍ ସାହେବ୍, ଅବଦୁଲ ହଇ ସାହେବ୍, ହାଫିଜ୍ ସମିମ ସାହେବଙ୍କ ସମେତ ଜିଲ୍ଲାର ବିଭିନ୍ନ ଜମାଆତର ସଦସ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର