ବିଶ୍ୱ ଅଙ୍ଗଦାନ ଦିବସ: ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧିଙ୍କୁ ସୂରଜ ପୁରସ୍କାର-୨୦୨୨

ଉଭୟଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର

ଭୁବନେଶ୍ବର : ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗୋପାଳପୁରସ୍ଥିତ କନିଷି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ‘ସୂରଜ ପୁରସ୍କାର’ ପ୍ରଦାନ କରିଛନ୍ତି। ଆଭାସୀ ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶୀଲଙ୍କ ପତ୍ନୀ ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା ସପନ କୁମାର ବିନ୍ଧାଣୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତାମାତାଙ୍କ ନିକଟରେ ସମାଜ ଋଣୀ। ଏହାଦ୍ବାରା ସମାଜ ଉପରେ ବହୁତ ଭଲ ପ୍ରଭାବ ପଡୁଛି। ଅଙ୍ଗଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରିପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୂଣ୍ୟ କାର୍ଯ୍ୟ। ଅଙ୍ଗଦାନ ଏକ ସାହସିକ ନିଷ୍ପତ୍ତି। ଅଙ୍ଗଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ। ଏହିପରି ଭଲ କାମ କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିଲେ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ, ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପ୍ରମୁଖ ନିଜର ବକ୍ତବ୍ୟରେ ସୁଶୀଲ ଓ ସିଦ୍ଧିଙ୍କ ପରିବାରର ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ( ୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଏମ୍‌ଇଟି ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖ ଯେ ହୃଦୟ, କିଡନି ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ ମସିହାରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ହେଉଛି ତୃତୀୟ ସୂରଜ ପୁରସ୍କାର। ୨୦୨୦ରେ ଗଞ୍ଜାମର ମସ୍ତିସ୍କ ମୃତ ସୂରଜ ବେହେରାଙ୍କ ପିତାମାତା ତାଙ୍କର ୬ଟି ଗୁରୁତ୍ବପୂର୍ଣ ଅଙ୍ଗ ଦାନ କରି ୬ଟି ଜୀବନ ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିବର୍ଷ ତାଙ୍କ ନାମରେ ଏହି ପୁରସ୍କାର ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର