ଆଜି ବିଶ୍ୱ ଜନସଂଖ୍ୟା ଦିବସ : ବନ୍ଧ୍ୟାକରଣ ନୁହେଁ, ଅସ୍ଥାୟୀ ପଦ୍ଧତି ଏବେ ଲୋକଙ୍କ ପ୍ରଥମ ପସନ୍ଦ

ଜନ୍ମ ନିୟନ୍ତ୍ରଣରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ

ଭୁବନେଶ୍ୱର : ‌ପରିବାର ନିୟୋଜନ ପାଇଁ ଲୋକମାନେ ଆଉ ପାରମ୍ପରିକ ଭାବେ ବନ୍ଧ୍ୟାକରଣ ପଦ୍ଧତିକୁ ଆପଣାଇବାକୁ ମୁହଁ ମୋଡ଼ୁଛନ୍ତି। ସ୍ଥାୟୀଭାବେ ପରିବାର ନିୟୋଜନ କରିବା ପୂର୍ବରୁ ସରକାରୀଭାବେ କିମ୍ବା ବଜାରରେ ଉପଲବ୍ଧ ଗର୍ଭ ନିରୋଧକ ପଦ୍ଧତି ପ୍ରତି ଆକୃଷ୍ଟ ହେଉଥିବା ନଜରକୁ ଆସିଛି। ତେଣୁ ମହିଳା ଓ ପୁରୁଷଙ୍କ ବନ୍ଧ୍ୟାକରଣରେ ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳୁନାହିଁ। ବରଂ ଅସ୍ଥାୟୀ ଭାବେ ଉପଲବ୍ଧ ଇଞ୍ଜେକସନ୍, ବଟିକା ଓ କପର ଟି’ଭଳି ପଦ୍ଧତି ଲୋକମ‌ାନେ ପସନ୍ଦ କରୁଛନ୍ତି। ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗରୁ ମିଳିଥିବା ପରିସଂଖ୍ୟାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।

ଆସନ୍ତାକାଲି ଜୁଲାଇ ୧୧ ତାରିଖ ହେଉଛି ବିଶ୍ବ ଜନସଂଖ୍ୟା ଦିବସ। ଚଳିତବର୍ଷର ବିଶ୍ବ ଜନସଂଖ୍ୟା ଦିବସର ସ୍ଲୋଗାନ୍ ରହିଛି ‘ବିପଦ ବେଳେ ବି ପରିବାର ନିୟୋଜନ କରି ନିଜର ସକ୍ଷମ ରାଷ୍ଟ୍ର ଓ ପରିବାରର ନେବା ପୂରା ଦାୟିତ୍ବ ଭାର।’ ଉନ୍ନତମାନର ସେବା ପ୍ରଦାନ କରି ଜନସଂଖ୍ୟାରେ ସ୍ଥିରତା ଆଣିବା ଏହାର ପ୍ରମୁଖ ଉଦ୍ଦେଶ୍ୟ।

Yale E360

ଜନସଂଖ୍ୟା ବିସ୍ଫୋରଣ ଏବେ ବିଶ୍ବବ୍ୟାପୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ଜନ୍ମ ନିୟନ୍ତ୍ରଣ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି। ପରିବାର ନିୟୋଜନ ପଦ୍ଧତି ସଂପର୍କରେ ଲୋକମାନେ ସଚେତନ ହୋଇପାରୁଛନ୍ତି। ଅସ୍ଥାୟୀ ଭାବେ ଛାୟା, ଅନ୍ତରା, କପର ଟି’ ଭଳି ପରିବାର ନିୟୋଜନ ପଦ୍ଧତି ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। ଏସବୁ ସେବା ସମସ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍‌ ନିୟମାବଳି ପାଳନ କରି ମାଗଣାରେ ସେବା ଯୋଗାଇ ଦିଆଯାଉଛି। ପୂର୍ବରୁ ଲୋକମାନେ ସ୍ଥାୟୀ ପରିବାର ନିୟୋଜନ ପଦ୍ଧତିକୁ ଆପଣାଉଥିବା ବେଳେ ଏବେ ଏଥିରେ ପରିବତର୍ନ ଦେଖିବାକୁ ମିଳିଛି।

୨୦୧୮/୧୯ରେ ୮୦,୦୯୪ଜଣ ମହିଳା ବନ୍ଧ୍ୟାକରଣ କରିଥିବା ବେଳେ ୨୦୧୯/୨୦ରେ ୭୭,୪୭୮ଜଣ ବନ୍ଧ୍ୟାକରଣ କରିଛନ୍ତି। ଏହାସହ ପୁରୁଷ ବନ୍ଧ୍ୟାକରଣ ବା ଭାସେକଟୋମିରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ୨୦୧୮/୧୯ରେ ୧୩୮୩ଜଣ ବନ୍ଧ୍ୟାକରଣ କରିଥିବା ବେଳେ ୨୦୧୯/୨୦ରେ ୧୪୩୩ଜଣ ଏହାକୁ ଆପଣାଇଛନ୍ତି। ସାଧାରଣତଃ ପୁରୁଷମାନେ ବନ୍ଧ୍ୟାକରଣ ପାଇଁ ଆଗ୍ରହ ପ୍ରକାଶ କରୁ ନଥିବା ଦେଖାଯାଇଥାଏ। ଲୋକମାନେ ବନ୍ଧ୍ୟାକରଣ ଅପେକ୍ଷା କଣ୍ଡୋମ, କପର ଟି’, ଛାୟା ଓ ଅନ୍ତରା ଭଳି ପଦ୍ଧତି ଆପଣାଉଛନ୍ତି। ଗତବର୍ଷ ରାଜ୍ୟରେ ୧ଲକ୍ଷ ୨୬,୧୮୪ଜଣ କଣ୍ଡୋମ ବ୍ୟବହାର କରିଥିବା ବେଳେ ଚଳିତ ବର୍ଷ ୧ଲକ୍ଷ ୨୬,୬୨୭ଜଣ ଏହାକୁ ବ୍ୟବହାର କରିଛନ୍ତି। ସେହିପରି ଗର୍ଭ ନିରୋଧକ ବଟିକାକୁ ଗତବର୍ଷ ୧ଲକ୍ଷ ୩୮ହଜାର ୪୩୦ଜଣ ଲୋକ ଆପଣାଇଥିବା ବେଳେ ଚଳିତବର୍ଷ ୧ଲକ୍ଷ ୩୫,୬୩୬ଜଣ ଏହାକୁ ପସନ୍ଦ କରିଛନ୍ତି। ୨୦୧୮/୧୯ରେ ୨୦,୪୩୯୪ଜଣ କପର ଟି’ ପଦ୍ଧତି ଆପଣାଇଥିବା ବେଳେ ୨୦୧୯/୨୦ରେ ୧୭,୬୬୭୬କୁ ଖସି ଆସିଛି। ଏମ୍‌ପିଏ ଇଞ୍ଜେକସନ୍ ବା ଅନ୍ତରା ୨୦୧୮/୧୯ରେ ୧୭ହଜାର ୬୧୫ ଜଣ ମହିଳା ଆପଣାଇଥିବା ବେଳେ ୨୦୧୯/୨୦ରେ ଏହା ବୃଦ୍ଧି ୪୮ହଜାର ୪୮୧ରେ ପହଞ୍ଚିଛି। ସେହିପରି ‘ଛାୟା’ ଗର୍ଭ ନିରୋଧକ ବଟିକା ମଧ୍ୟ ମହିଳାଙ୍କ ପସନ୍ଦ ପାଲଟିଛି। ୨୦୧୮/୧୯ରେ ୧୨ ହଜାର ୬୯୯ ଜଣ ମହିଳା ଓ ୨୦୧୯/୨୦ରେ ୪୮ ହଜାର ୭୭୦ ଜଣ ଏହାକୁ ଗ୍ରହଣ କରିଛନ୍ତି।

ଜନ୍ମହାରରେ ଜାତୀୟସ୍ତରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ଜାତୀୟ ସ୍ତରରେ ଜନ୍ମ ହାର ବା ବାର୍ଥ ରେଟ୍‌ ୨୦.୦ ଥିବା ବେଳେ ଓଡ଼ିଶାରେ ଏହା ୧୮.୨ ରହିଛି। କେବଳ ଜନ୍ମ ହାର ନୁହେଁ, ସଂପୂର୍ଣ୍ଣ ପ୍ରଜନନ କ୍ଷମତା ବା ଟୋଟାଲ ଫର୍ଟିଲିଟି ‌ରେଟ୍‌(ଟିଏଫ୍‌ଆର) ମଧ୍ୟ ରାଜ୍ୟ କ୍ରମାଗତ ଭାବେ ଭଲ କରି ଆସୁଛି। ନିଜର ଜୀବନକାଳ ଭିତରେ ଜଣେ ମହିଳା ଯେତିକି ସନ୍ତାନକୁ ଜନ୍ମ ଦେଇଥାନ୍ତି, ତାହାକୁ ଟିଏଫ୍‌ଆର କୁହାଯାଇଥାଏ। ଜାତୀୟ ସ୍ତରରେ ଟିଏଫ୍‌ଆର ୨.୨ ଥିବା ବେଳେ ଓଡ଼ିଶାରେ ଏହା ୧.୯ ରହିଛି। ଲୋକମାନଙ୍କ ମଧ୍ୟ‌ରେ ସଚେତନତା ଓ ଅବାଞ୍ଛିତ ଗର୍ଭ ଧାରଣଠାରୁ ଦୂରେଇ ରହିବା ଲାଗି ବିଭିନ୍ନ ନିରୋଧକ ପଦ୍ଧତି ଆପଣାଇବା ଯୋଗୁଁ ରାଜ୍ୟ ଏହି ସଫଳତା ହାସଲ କରିପାରିଛି।

India TV News

ରାଜ୍ୟ ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଏବେ ବନ୍ଧ୍ୟାକରଣ ପ୍ରତି ଲୋକମାନେ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବନ୍ଧ୍ୟାକରଣ କରୁଥିବା ମହିଳାଙ୍କୁ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଥିଲେ ହେଁ ଏଥିରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁନାହିଁ। ତେଣୁ ବନ୍ଧ୍ୟାକରଣ ଅପେକ୍ଷା ଅସ୍ଥାୟୀ ଗର୍ଭ ନିରୋଧକ ପଦ୍ଧତିକୁ ଲୋକମାନେ ପସନ୍ଦ କରିବାକୁ ଆରମ୍ଭ କରିଛନ୍ତି।

୨୦୧୭ ମସିହା ଜୁଲାଇରେ ଅନ୍ତରା ଇଞ୍ଜେକସନ୍ ଓ ଛାୟା ବଟିକା କେନ୍ଦ୍ର ସରକାରଙ୍କ ଜରିଆରେ ଆରମ୍ଭ ହୋଇଛି। ଅନ୍ତରା ଇଞ୍ଜେକସନ୍ ନେଉଥିବା ମହିଳା ଅତିକମ୍‌ରେ ୩ମାସ ପର୍ଯ୍ୟନ୍ତ ଗର୍ଭଧାରଣ ଚିନ୍ତାରୁ ମୁକ୍ତି ପାଇଥା’ନ୍ତି। ପରବର୍ତୀ ସମୟରେ ସଂପୃକ୍ତ ମହିଳା ଯଦି ଗର୍ଭଧାରଣ କରିବାକୁ ଚାହାନ୍ତି, ତେବେ ଆଉ ଇଞ୍ଜେକସନ୍ ନେବାର ଆବଶ୍ୟକ ହୁଏନାହିଁ। ସେହିପରି ‘ଛାୟା’ ବଟିକା ମଧ୍ୟ ଗର୍ଭଧାରଣ ଚିନ୍ତାରୁ ମହିଳାମାନଙ୍କୁ ମୁକ୍ତି ଦେଇପାରୁଛି। ତେବେ ଏସବୁ ଡାକ୍ତରଙ୍କ ପରାମର୍ଶରେ ଜଣେ ଆପଣାଇବା ଉଚିତ। ଅସ୍ଥାୟୀ ଭାବେ ପରିବ‌ାର ନିୟୋଜନ ବ୍ୟବସ୍ଥା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ପାଇଁ ରାଜ୍ୟରେ ଟିଏଫ୍‌ଆର ଓ ଜନ୍ମ ହାର ଜାତୀୟ ହାରଠାରୁ ଭଲ ରହିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର