ବ୍ରହ୍ମପୁର : ବ୍ରହ୍ମପୁର ପାଟକୁ ମିଳିଛି ବିଶ୍ବ ମାନ୍ୟତା। ୟୁନେସ୍କୋ (ୟୁନାଇଟେଡ୍ ନେସନ୍ସ ଏଜୁକେସନାଲ୍, ସାଇଣ୍ଟିଫିକ୍ ଆଣ୍ଡ କଲ୍ଚରାଲ୍ ଅର୍ଗନାଇଜେସନ୍)ର ଆଇକନିକ୍ ୫୦ଟି ହେରିଟେଜ୍ ଟେକ୍ସଟାଇଲ୍ ତାଲିକାରେ ବ୍ରହ୍ମପୁର ପାଟ ସ୍ଥାନ ପାଇଥିବା ନେଇ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ ଟ୍ବୁଇଟ୍ କରି ଜଣାଇଛନ୍ତି। ୟୁନେସ୍କୋର ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଏହି ତାଲିକା ଜାରି କରିଛି।
ବ୍ରହ୍ମପୁର ପାଟର ଇତିହାସ ଏବଂ କିମ୍ବଦନ୍ତୀ ରହିଛି। ଚତୁର୍ଦ୍ଦଶ ଶତାବ୍ଦୀରେ ଦେବ ରାଜବଂଶର ଶାସନ କାଳରେ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର କେତେକ ବୁଣାକାର ପରିବାରକୁ ବ୍ରହ୍ମପୁର ଅଣାଯାଇଥିଲା। ଏହି ବୁଣାକାର ପରିବାର ବ୍ରହ୍ମପୁରରେ ପାଟ ପ୍ରସ୍ତୁତି ଆରମ୍ଭ କରିଥିଲେ ବୋଲି ୟୁନେସ୍କୋର ଦ୍ୱାରା ପ୍ରସ୍ତୁତ ପୁସ୍ତକରେ ଉଲ୍ଲେଖ କରାଯାଇଛି। ଏହି ଦୁର୍ଲଭ ବୟନର ଲୋକପ୍ରିୟତା ହ୍ରାସ ପାଉଥିବା ଯୋଗୁଁ ଏହାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଉଲ୍ଲେଖ ରହିଛି । ପାରମ୍ପରିକ ଶୈଳୀରେ ହିଁ ବୁଣାକାରମାନେ ଏବେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏ ଦିଗରେ ବୈଷୟିକ ଜ୍ଞାନ ଉପଯୋଗ କରିବା, ଐତିହ୍ୟସମ୍ପନ୍ନ ବୟନର ନଥିପତ୍ର ପ୍ରସ୍ତୁତ କରିବା, ବୟନ ଶୈଳୀ ଓ ପ୍ରସ୍ତୁତି ପ୍ରଣାଳୀର ଡକୁମେଣ୍ଟେସନ୍ କରିବା ଆବଶ୍ୟକ ରହିଛି ବୋଲି କୁହାଯାଇଛି।