ବ୍ୟାଜ୍‌ ସଂଗ୍ରହରେ ବିଶ୍ୱ ରେକର୍ଡର ଅଧିକାରୀ ଶ୍ୟାମପ୍ରକାଶ

ପୁରୀ : ବ୍ୟାଜ୍‌ ସଂଗ୍ରହରେ ରେକର୍ଡ ହାତେଇଛନ୍ତି ଶ୍ୟାମପ୍ରକାଶ ସେନାପତି। ୧୯୯୨ରୁ ଏଯାବତ ହାସଲ କରିଥିବା ୪୬୦୦ରୁ ଅଧିକ ବ୍ୟାଜ ସଂଗ୍ରହ କରି ୱାର୍ଲଡ୍ ରେକର୍ଡସ ଇଣ୍ଡିଆର ଅଧିକାରୀ ହୋଇଛନ୍ତି। ଅତିଥି, ମଞ୍ଚ ସଂଯୋଜକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ସଦସ୍ୟ ଭାବେ ୫ହଜାରରୁ ଅଧିକ ମଞ୍ଚରେ ସାମିଲ୍‌ ହୋଇ ହାସଲ କରିଥିବା ବ୍ୟାଜ୍‌ଗୁଡ଼ିକୁ ସଂଗ୍ରହ କରି ସେ ଏହି ନୂଆ ରେକର୍ଡ ହାସଲ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଦେଶ ଓ ଦେଶ ବାହାରେ ଯୋଗ ଦେଇଥିବା କାର୍ଯ୍ୟକ୍ରମରୁ ପାଇଥିବା ବ୍ୟାଜ୍‌ଗୁଡ଼ିକ ସଂଗ୍ରହ କରି ରଖିଛନ୍ତି। ସୋଲୋ, ରିବନ, ଭେଲ୍‌ଭେଟ୍‌ ଓ ଝୋଟରେ ପ୍ରସ୍ତୁତ ବ୍ୟାଜ୍‌ ସଂଗ୍ରହ କରିଛନ୍ତି।

କବି ଭାବେ ତାଙ୍କର ପରିଚିତି ରହିଛି। ନିକଟରେ ରାଜଭବନରେ ଆୟୋଜିତ ସଂକଳ୍ପରୁ ସିଦ୍ଧି କାର୍ଯ୍ୟକ୍ରମରେ ସଫଳ ବ୍ୟକ୍ତିତ୍ବ ଭାବେ ସେ ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ ହୋଇଥିବା ବ‌େଳେ କବି ଭାବେ ମଧ୍ୟ ତାଙ୍କର ପରିଚିତି ରହିଛି। ପତ୍ରିକା ‘ଅଭିନନ୍ଦନିକା’ର ପ୍ରତିଷ୍ଠାତା ସମ୍ପାଦକ ଭାବେ ୧୯୯୨ରୁ ଦାୟିତ୍ବ ନିର୍ବାହ କରି ଆସୁଥିବା ବ‌େଳେ ବ୍ୟାଜ୍‌ ବ୍ୟତୀତ ବିଦେଶୀ ମୁଦ୍ରା ଓ ନୋଟ୍‌ ମଧ୍ୟ ସଂଗ୍ରହ କରିଛନ୍ତି। ଏହାବ୍ୟତୀତ ନିଜ ନାମ ପ୍ରକାଶ ପାଇଥିବା ସମ୍ବାଦପତ୍ରର ପ୍ରାୟ ୧୦ ହଜାରରୁ ଅଧିକ ସମ୍ବାଦ କ୍ଲିପ୍‌ ସେ ସଂଗ୍ରହ କରିଛନ୍ତି। ବହୁ ନାମୀ ସେଲେବ୍ରିଟିଙ୍କ ସହ ଫଟୋ ଉଠାଇ ସେସବୁକୁ ସାଇତି ରଖିବାରେ ମଧ୍ୟ ସେ ଆଗରେ ରହିଛନ୍ତି।

ଶ୍ରୀ ସେନାପତି କହିଛନ୍ତି, ପିଲାବେଳୁ ବାପାଙ୍କ ସଂଗ୍ରହ ନିଶା ତାଙ୍କୁ ଅନୁପ୍ରାଣିତ କରିବା ପରେ ତାଙ୍କର ସଂଗ୍ରହରେ ରୁଚି ବଢ଼ିଥିଲା। ବାପା ସ୍ବର୍ଗତ ଡାକ୍ତର ବଂଶୀଧର ସେନାପତି ଓ ମା’ ବିଷ୍ଣୁପ୍ରିୟା ସେନାପତି ମଧ୍ୟ ତାଙ୍କୁ ଏ ଦିଗରେ ସମର୍ଥନ ଦେଇଥିଲେ। ଆଗାମୀ ଦିନରେ ସେ ଏ ସମସ୍ତ ସଂଗ୍ରହକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଇଚ୍ଛା ରଖିଥିବା କହିଛନ୍ତି। ତାଙ୍କର ଏହି ନିଆରା ସଂଗ୍ରହ ପାଇଁ ବିଶ୍ବ ରେକର୍ଡରେ ସ୍ଥାନ ଦେଇଥିବାରୁ ସେ ୱାର୍ଲଡ୍‌ ରେକର୍ଡସ ଇଣ୍ଡିଆର ମୁଖ୍ୟ ସମ୍ପାଦକ ପବନ ସୋଲାଙ୍କିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର