ବିଶ୍ବ ଦକ୍ଷତା କେନ୍ଦ୍ର ଲୋକାର୍ପିତ

ବିଶ୍ବସ୍ତରରେ ଓଡ଼ିଶାକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ

୧୩୪୨ କୋଟିରେ ନିର୍ମିତ
୧ ଲକ୍ଷ ୫୧ ହଜାର ଯୁବକଙ୍କୁ ତାଲିମ ଲକ୍ଷ୍ୟ

ଭୁବନେଶ୍ବର : ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଚାଲିଛି। ଏହି ତାଲିମ କେନ୍ଦ୍ର ଯୁବକମାନଙ୍କୁ ଆଗୁଆ ତାଲିମ ପ୍ରଦାନ କରିବାରେ ସହାୟକ ହେବା ସହ ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ। ଏହି କେନ୍ଦ୍ର ତାଲିମ ପ୍ରଦାନ କ୍ଷେତ୍ରରେ ରାଜ୍ୟରେ ନୋଡାଲ୍‌ ଏଜେନ୍‌ସି ଭାବେ କାର୍ଯ୍ୟ କରିବ। ଏଥିରେ ୧ ଲକ୍ଷ ୫୧ ହଜାର ଯୁବକଙ୍କୁ ତାଲିମ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଥିବା ବିଶ୍ବ ଦକ୍ଷତା କେନ୍ଦ୍ରକୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ସିଙ୍ଗାପୁର (ଆଇଟିଇ), ଋଷିଆର ଲର୍ଡ ସ୍କିଲ ସଂସ୍ଥା ଓ ଦକ୍ଷିଣ କୋରିଆର ଗ୍ଲୋବାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରାନ୍‌ସ୍‌ଫର୍‌ ସ୍କିଲ୍‌ ମଡେଲ୍‌ ଅନୁଯାୟୀ ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସ୍କିଲ୍‌ ଡେଭଲେପ୍‌ମେଣ୍ଟ ପ୍ରକଳ୍ପ ଅଧୀନରେ ନିର୍ମିତ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଏସୀୟ ବିକାଶ ବ୍ୟାଙ୍କ ସହଯୋଗ କରିଥିବାବେଳେ ଆଇଟିଇର ଏଜୁକେସନ୍‌ ସର୍ଭିସେସ୍‌ ସିଙ୍ଗାପୁର ଏହାର ନଲେଜ୍‌ ପାର୍ଟନର ରହିଛନ୍ତି। ବିଶ୍ବ ଦକ୍ଷତା କେନ୍ଦ୍ରରେ ଉନ୍ନତମାନର ଦକ୍ଷତା ତାଲିମ ପ୍ରଦାନ ସହ ୮ଟି ଉନ୍ନତ ପୂର୍ଣ୍ଣ ଅବଧି ବିଶିଷ୍ଟ ପାଠ୍ୟକ୍ରମ, ଆଇଟିଆଇ ଓ ପଲିଟେକ୍‌ନିକ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ମଡ୍ୟୁଲାର୍‌ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରାଥମିକ ସ୍ତରରେ ୮ଟି ଉନ୍ନତ କୌଶଳ ବିଭାଗରେ ତାଲିମ ପ୍ରଦାନ କରାଯିବ। ସେଗୁଡ଼ିକ ହେଲା, ମେକାନିକାଲ ଏଣ୍ଡ୍‌ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଏଣ୍ଡ୍‌ ରେଫ୍ରିଜରେସନ୍‌, ଭର୍ଟିକାଲ୍‌ ଟ୍ରାନସ୍‌ପୋର୍ଟ, ମେକାଟ୍ରୋନିକ୍‌ସ୍‌, ଇଲେକ୍ଟ୍ରିକାଲ୍‌ ଟେକ୍ନୋଲଜି, ପ୍ରେସିସନ୍‌ ଇଞ୍ଜିନିୟରିଂ, ହେୟାର ଫେସନ୍‌ ଡିଜାଇନିଂ ଓ ବିୟୁଟି ଏଣ୍ଡ୍‌ ଓ୍ବେଲ୍‌ନେସ୍‌। ଏହାସହିତ ପଲିଟେକ୍‌ନିକ୍‌ ଓ ଆଇଟିଆଇ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ଟ୍ରେନ୍‌ ଦ ଟ୍ରେନର୍‌ କାର୍ଯ୍ୟକ୍ରମ, ଶିଳ୍ପ ସହଭାଗିତା କେନ୍ଦ୍ର, ଦକ୍ଷତା ପ୍ରତିଯୋଗିତା ଏବଂ ଟିଭିଇଟି ଅଭିଜ୍ଞତା କେନ୍ଦ୍ର, ଓଡ଼ିଶା ସ୍କିଲ୍‌ ମାଧ୍ୟମରେ ରାଜ୍ୟସ୍ତରୀୟ ଓଡ଼ିଶା ଦକ୍ଷତା ପ୍ରତିଯୋଗିତାର ଶୁଭାରମ୍ଭ, ଡିଜିଟାଲ୍‌ ସ୍କିଲିଂ, ଲାଇଫ ସ୍କିଲ୍‌, ନାନୋ ୟୁନିକର୍ଣ୍ଣ, ରୋବଟ ଓ ଏରୋସୋଲ ଦ୍ବାର୍ କୋଭିଡ-୧୯ ପାଇଁ ସ୍ବାବ୍‌ ସଂଗ୍ରହ କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ। ନାମ ଲେଖା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ ରହିବ। ସିଆଇଏମ୍‌ଇ ଓ ଏସ୍‌ଡିଆଇରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୨ଟି ହଷ୍ଟେଲ୍‌ ନିର୍ମାଣ କରାଯାଇଛି।

ଏହି ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜି ହେଉଛି ଗୋଟିଏ ଐତିହାସିକ ଦିନ। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରକୁ ଉଦ୍‌ଘାଟନ କରି ସେ ଅତ୍ୟନ୍ତ ଆନନ୍ଦିତ ଓ ସନ୍ତୋଷ ଅନୁଭବ କରୁଛନ୍ତି। ତାଙ୍କ ସରକାର ସବୁବେଳେ ଦକ୍ଷତା ବିକାଶକୁ ପ୍ରାଥମିକତା ଦେଇଆସିଛନ୍ତି। ସରକାରଙ୍କ ଲକ୍ଷ୍ୟ ହେଉଛି ଯୁବକମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା। ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ଦେବା। ସରକାର ଯୁବପିଢ଼ିଙ୍କ ପାଇଁ ଭିତ୍ତିଭୂମି ନିର୍ମାଣ କରି ଭବିଷ୍ୟତରେ ସେମାନଙ୍କ ଆତ୍ମନିର୍ଭର ପାଇଁ ବ୍ୟବସ୍ଥା କରିବାକୁ ଏପରି ତାଲିମ କେନ୍ଦ୍ରର ବ୍ୟବସ୍ଥା କରିଛନ୍ତି। ଫଳରେ ଆମର ଯୁବପୀଢ଼ି ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇପାରିବେ। ଖୁବ୍‌ କମ୍‌ ଦିନ ଭିତରେ ସରକାରଙ୍କ ଏହି ଲକ୍ଷ୍ୟ ସାଧିତ ହେବ ଓ ଓଡ଼ିଶା ଇତିହାସରେ ନୂଆ ଦିଗନ୍ତ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେ ଆହୁରି କହିଥିଲେ, କରୋନା ମହାମାରୀ ସମୟରେ ହୋଇଥିବା ଲକ୍‌ଡାଉନ୍‌ ବେଳେ ରାଜ୍ୟର ଦକ୍ଷତା ବିକାଶ ଶିକ୍ଷାନୁଷ୍ଠାନମାନଙ୍କ ଦ୍ବାରା ପ୍ରସ୍ତୁତ ନୂଆ ଉଦ୍ଭାବନ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟକୁ ଗୌରବ ଆଣିପାରିଛନ୍ତି। ଆମ ଆଇଟିଆଇ ସଂସ୍ଥାଗୁଡ଼ିକ ଦେଶରେ ଅତି ଉଟ୍ଟକୋଟିର କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ବୈଷୟିକ ବିଭାଗର ନିରନ୍ତର ଉଦ୍ୟମ ଯୋଗୁ ଏପରି ସଫଳତା ମିଳିପାରିଛି। ଯାହାକି ଅତ୍ୟନ୍ତ ପ୍ରଶଂସନୀୟ। ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ଏ କ୍ଷେତ୍ରରେ ଆହୁରି ବଳିଷ୍ଠ ସାବ୍ୟସ୍ତ ହେବ। ରାଜ୍ୟରେ ଥିବା ପଲିଟେକ୍‌ନିକ୍‌ ଓ ଆଇଟିଆଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭବିଷ୍ୟତରେ ଏହି କେନ୍ଦ୍ର ବିଶ୍ବସ୍ତରରେ ପରିଚୟ କରାଇବାରେ ସହାୟକ ହେବ। ଏହାସହିତ ରାଜ୍ୟରେ ଥିବା ସବୁ ଶିଳ୍ପମାନଙ୍କ ସହଭାଗିତାରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ସ୍କିଲ୍‌ ପ୍ରତିଯୋଗିତା କ୍ଷେତ୍ରରେ ଏକ ନୂତନ ବାତାବରଣ ସୃଷ୍ଟି କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସିଆନ୍‌ ବିକାଶ ବ୍ୟାଙ୍କ ଓ ସିଙ୍ଗାପୁରର ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌କୁ କୃତଜ୍ଞତା ଜଣାଇଥିଲେ। ସମସ୍ତ ଅଂଶୀଦାରମାନଙ୍କ ସହଯୋଗରେ ଏହି ବିଶ୍ବସ୍ତରୀୟ କେନ୍ଦ୍ର ସଫଳତାର ନୂଆ ସୋପାନ ଛୁଇଁବ ବୋଲି ସେ ଆଶାବ୍ୟକ୍ତ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କୁଶଳୀ ଓଡ଼ିଶାର ୫ ବର୍ଷର ସଫଳତା ଓ ପ୍ରତ୍ୟେକ ଗ୍ରାମରେ ଦକ୍ଷତା ବିକାଶର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ରାଜ୍ୟ ସ୍କିଲ୍‌ ଭିଜନ୍‌ ୨୦୩୦ ଦ୍ବାରା ଜୀବନର ପ୍ରତ୍ୟେକ ଦିଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ୟମ କରାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ, ଏସିଆନ୍‌ ବିକାଶ ବ୍ୟାଙ୍କ ଡିଜି କେନିଚି ୟୋକୋୟାମା ଓ ଆଇଟିଇଇଏସ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ରୁସ୍‌ ପୋହ ମଧ୍ୟ ଏହି ସମାବେଶକୁ ସମ୍ବୋଧନ କରିଥିଲେ। ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂ କହିଥିଲେ, ଏହି କେନ୍ଦ୍ର ଓଡ଼ିଶାରେ କୌଶଳ ଇକୋସିଷ୍ଟମକୁ ମଜବୁତ କରିବ। ବିଶ୍ବ ମାନକ ସହିତ ସେମାନଙ୍କର ଦକ୍ଷତାକୁ ମାର୍ଜିତ କରିବାରେ ଯୁବକଯୁବତୀମାନଙ୍କୁ ସୁଯୋଗ ପ୍ରଦାନ କରିବ। ଏହି କେନ୍ଦ୍ର ୧୩୪୨.୨ କୋଟି ଟଙ୍କା ବଜେଟ୍‌ରେ ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ର ସମସ୍ତ ସରକାରୀ ଆଇଟିଆଇ ପାଇଁ ହବ୍‌ ଭାବରେ କାର୍ଯ୍ୟ କରିବ। ଏହାସହିତ ଓଡ଼ିଶାର ଶିଳ୍ପାନୁଷ୍ଠାନ ପାଇଁ ସେଣ୍ଟର୍‌ ଫର୍‌ ଇଣ୍ଡଷ୍ଟ୍ରି ପାର୍ଟନର୍‌ସିପ୍‌ ଓ ଅଗ୍ରଣୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ। ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ଓ୍ବାର୍ଲ୍ଡ ସ୍କିଲ୍‌ ପ୍ରତିଯୋଗିତା ପାଇଁ ନୋଡାଲ ଏଜେନ୍‌ସି ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ସିଂ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର