ଭୁବନେଶ୍ବର : ଉତ୍ପାଦର ମାନ ହେଉଛି ଦେଶ ଅର୍ଥନୀତିର ମୂଳଦୁଆ। ଖାଦ୍ୟ ହେଉ କି ସୁନାଗହଣା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ହେଉ କି ସୌଖୀନ ସାମଗ୍ରୀ; ଉତ୍ତମ ଗୁଣବତ୍ତାର ହୋଇଥିଲେ, ତାହା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଉତ୍ପାଦକାରୀ ସଂସ୍ଥା ପ୍ରତି ବିଶ୍ବସନୀୟତା ବଢ଼ାଇଥାଏ। ଦେଶ ଓ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହେ‌ଲେ ଭାରତ ନିର୍ମିତ ପ୍ରତିଟି ଉତ୍ପାଦ ମାନକବ୍ୟୁରୋ ପ୍ରମାଣପତ୍ର ହାତେଇବା ଜରୁରି। ଆଜି ଚାମ୍ବର ଅଫ୍‌ କମର୍ସରେ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌) ପକ୍ଷରୁ ଆୟୋଜିତ ‘ୱାର୍ଲ୍ଡ ଷ୍ଟାଣ୍ଡାର୍ଡ ଡେ’ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହା କହିଛନ୍ତି।

Advertisment

publive-image

ବିଆଇଏସ୍‌ର ଭୁବନେଶ୍ବର ମୁଖ୍ୟ ତଥା ନିର୍ଦ୍ଦେଶକ ଜଗନ୍ନାଥ ମାଝୀ ସ୍ବାଗତ ଭାଷଣ ଦେବା ଅବସରରେ ଲୋକମାନେ କିଭଳି ନକଲି ଷ୍ଟାଣ୍ଡାର୍ଡ ବ୍ୟବହାରକୁ ନେଇ ସଚେତନ ହେବେ, ସୂଚନା ଦେଇଥିଲେ। ‘ବିଆଇଏସ୍‌ କେୟାର’ ନାମକ ଏକ ଆଣ୍ଡ୍ରଏଡ୍‌ ଆପ୍‌ ବ୍ୟବହାର କରି ଲୋକମାନେ ନକଲି ଷ୍ଟାଣ୍ଡାର୍ଡ ବ୍ୟବହାର କରୁଥିବା କିମ୍ବା ଆଇଏସ୍‌ଆଇ କିମ୍ବା ବିଆଇଏସ୍‌ ବ୍ୟବହାର କରୁ ନଥିବା ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ। ଏମ୍‌ଏସ୍‌ଏମ୍‌ଇ ଯୁଗ୍ମ ନିର୍ଦ୍ଦେଶକ ପିକେ ଗୁପ୍ତା ଉତ୍ପାଦ ପ୍ରସ୍ତୁତକାରୀ ଷ୍ଟାଣ୍ଡର୍ଡ ପ୍ରମାଣିତ କଲେ ସରକାର ସବ୍‌ସିଡି ଦେଉଥିବା କହିଥିଲେ।

ବିଆଇଏସ୍‌ ଉପନିର୍ଦ୍ଦେଶକ ଅବିନାଶ ବର୍‌ଦୋଲୋଇ ବିଶ୍ବ ମାନକ ଦିବସ ବାର୍ତ୍ତା ପଠନ କରିଥିବା ବେଳେ ଉତ୍କଳ ଚାମ୍ବର୍ସ ଅଫ୍ କମର୍ସର ସଭାପତି ବ୍ରହ୍ମା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ରେଭେନ୍‌ସା ବିଶ୍ବବିଦ୍ୟାଳୟ କୁଳପତି ଏସ୍‌.କେ ନାୟକ ସ୍ବତନ୍ତ୍ର ଅତିଥି ଓ ହିତାଚିର ଉପସଭାପତି ପାର୍ଥ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ ସମ୍ପାଦକ ଅଶୋକ ଶାରଦା ଧନ୍ୟବାଦ ଦେଇଥିଲେ।