କେଶବ ପାଣି
ଭୁବନେଶ୍ବର: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘ ନାହାନ୍ତି। ପ୍ରସ୍ତାବିତ ଦୁଇ ବ୍ୟାଘ୍ର ଅଭୟାରଣ୍ୟ ଡେବ୍ରିଗଡ଼ ଓ ସୁନାବେଢ଼ାରେ କେବଳ କଲରାପତରିଆ ବାଘ ଦୌଡ଼ୁଛନ୍ତି। ଗଣନା ସମୟରେ କେନ୍ଦୁଝର, ହୀରାକୁଦ ଓ ପାରଳାଖେମୁଣ୍ଡି ବନଖଣ୍ଡରେ ମହାବଳ ଦେଖିବାକୁ ମିଳିଥିଲେ, ଯାହା ଏବେ ଅଦୃଶ୍ୟ। ବନ ବିଭାଗ କ୍ୟାମେରାକୁ ସେମାନେ ଆସୁ ନାହାନ୍ତି। ତେଣୁ କେବଳ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ହିଁ ଓଡ଼ିଶାରେ ମହାବଳଙ୍କ ସ୍ଥିତିକୁ ବଜାୟ ରଖିଛି। ଅନ୍ୟପଟରେ ଶିମିଳିପାଳରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସମୟରେ ଏଠାରେ ହାତଗଣତି ବିରଳ କଳା ବାଘ ରହିଥିବା ବେଳେ ଏବେ ସଂଖ୍ୟା ୨୦ ଟପିଗଲାଣି। ବାଘଙ୍କ ସକାଶେ ଶିମିଳିପାଳ ଏକମାତ୍ର ଉତ୍କୃଷ୍ଟ ସ୍ଥାନ ହୋଇଥିଲେ ମଧ୍ୟ ଅନ୍ୟ ବ୍ୟାଘ୍ର ବନାଞ୍ଚଳଠାରୁ ଏହା ବିଚ୍ଛିନ୍ନ, ଯାହାକି ବାଘ ବଂଶ ବୃଦ୍ଧି ଲାଗି ଅନୁକୂଳ ନୁହେଁ। ତେଣୁ ଆନ୍ତଃ ପ୍ରଜନନ ହେଉଛି। ଏହା ଦ୍ବାରା ବ୍ୟାଘ୍ର ବଂଶ ରକ୍ଷା ଦିଗରେ ଏକ ବିପଦ ହୋଇ ଛିଡ଼ାହେଲାଣି।
ଏହାରି ଭିତରେ ସାତକୋଶିଆରେ ମହାବଳ ବଂଶ ବୃଦ୍ଧି, ଶିମିଳିପାଳରେ କଳା ବାଘ ବଂଶ ବୃଦ୍ଧି ରୋକିବା ଏବଂ ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବାକୁ ଏକ ଦଶନ୍ଧି ହେଲା ଯୋଜନା ଚାଲିଥିଲେ ବି ସଫଳତା ମିଳିପାରି ନାହିଁ। ସାତକୋଶିଆରେ ଦେଶର ପ୍ରଥମେ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ଯୋଜନା ଫେଲ୍ ମାରିଥିଲା। ତା’ସତ୍ତ୍ବେ ୨୦୨୪ରେ ଶିମିଳିପାଳରେ କଳା ବାଘ ବଂଶ ବୃଦ୍ଧି ରୋକିବାକୁ ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀକୁ ଆଣି ଛଡ଼ାଯାଇଥିଲେ ମଧ୍ୟ ସୁଖବର ସାମନାକୁ ଆସିପାରି ନାହିଁ। ତେବେ ବାଘୁଣୀ ‘ଜୀନତ୍’କୁ ନେଇ କିଛିଟା ଆଶା ସଞ୍ଚାର ହୋଇଛି।
ସ୍ବପ୍ନରେ ରହିଛି ସାତକୋଶିଆରେ ମହାବଳ ବଂଶ ବୃଦ୍ଧି
ଡେବ୍ରିଗଡ଼ରେ ପ୍ରତିବନ୍ଧକ ସାଜିଛି ଭିତ୍ତିଭୂମି
୭ ମାସରେ ୧୦୮ ମୃତ, ମଧ୍ୟପ୍ରଦେଶରେ ୨୯
ଅଗଷ୍ଟରେ ଶିମିଳିପାଳରୁ ଭଲ ଖବର: ମନ୍ତ୍ରୀ
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଯେ ଜୀନତ୍ ମା’ ହେବାକୁ ଯାଉଛି। ଯଦି ସବୁ କିଛି ଠିକ୍ ଚାଲିବ ତାହା ହେଲେ ଅଗଷ୍ଟ ମାସରେ ଭଲ ଖବର ଆସିପାରେ। ‘ଯମୁନା’କୁ ନେଇ ଆମେ ଆଶାବାଦୀ ରହିଛୁ। ଦୁଇଟି ଯାକ ବାଘୁଣୀ ଏଠାକାର ପରିବେଶ ସହ ଖାପଖୁଆଇବା ପରେ ଆଉ ୩ଟି ମହାବଳ ଆଣିବାକୁ ଲକ୍ଷ୍ୟ ରଖିଛୁ। ୨୦୩୬ ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟାକୁ ଶହେରେ ପହଞ୍ଚାଇବାକୁ ରୂପରେଖ ପ୍ରସ୍ତୁତ ହେଉଛି। ଡେବ୍ରିଗଡ଼ରେ ମହାବଳ ଛାଡ଼ିବାକୁ କ୍ଷେତ୍ର ପ୍ରସ୍ତୁତି ଚାଲିଛି। ଏହାର ପରିସୀମା ମାତ୍ର ୩୭୧ ବର୍ଗ କିଲୋମିଟର ହୋଇଥିବାରୁ ଟିକିଏ ସମସ୍ୟା ହୋଇପାରେ। ତେଣୁ ଏନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି। ଶିମିଳିପାଳ ପରେ ସାତକୋଶିଆ ହେଉଛି ଓଡ଼ିଶାର ଦ୍ବିତୀୟ ବ୍ୟାଘ୍ର ଅଭୟାରଣ୍ୟ। ସେଠାରେ ବାଘ ବଂଶ ଫେରାଇ ଆଣିବାକୁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ। ଅଭୟାରଣ୍ୟଗୁଡ଼ିକରେ ଏଆଇ କ୍ୟାମେରା ପ୍ରୟୋଗ ଦ୍ବାରା ମହାବଳଙ୍କ ସୁରକ୍ଷା କରିବାରେ ବେଶ୍ ସଫଳତା ମିଳିଥିବା ସେ କହିଛନ୍ତି।
ମହାବଳ ବାଘ ବଂଶ ବୃଦ୍ଧି ନେଇ ଯୋଜନା ହେଉଥିଲେ ମଧ୍ୟ ବାଘ ଛାଲ ଜବତ ଘଟଣା ଏବେ ଚିନ୍ତାର ବିଷୟ ହେଲାଣି। ଏ ମାସରେ ଭୁବନେଶ୍ବରରୁ ଗୋଟିଏ ଏବଂ ବାରିପଦା ବନଖଣ୍ଡରୁ ୩ଟି ବାଘ ଛାଲ ଜବତ ହୋଇଛି। ୨୦୨୫ରେ ପ୍ରଥମ ୭ ମାସରେ ୮ରୁ ଅଧିକ ବାଘ ଛାଲ ଜବତ ହୋଇସାରିଲାଣି। ଗିରଫ ଶିକାରୀଙ୍କ ସଂଖ୍ୟା ଶହେରୁ ଅଧିକ ହେଲାଣି। କେବଳ ଓଡ଼ିଶା ନୁହେଁ, ଦେଶର ସ୍ଥିତି ଆହୁରି ସଙ୍ଗୀନ। ବର୍ଷର ପ୍ରଥମ ୭ ମାସରେ ୧୦୮ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ପ୍ରତି ମାସରେ ହାରାହାରି ୧୬ଟି ଲେଖାଏଁ ବାଘଙ୍କର ମୃତ୍ୟୁ ଘଟିଛି। ଯଦି ଏହି ହାରରେ ବାଘ ମୃତ୍ୟୁ ଜାରି ରହେ; ତେବେ ବର୍ଷ ଶେଷ ବେଳକୁ ଦେଶରେ ୨୦୦ ବାଘଙ୍କର ମୃତ୍ୟୁ ହୋଇଥିବ ଏବଂ ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବାଘ ମୃତ୍ୟୁ ଏହି ବର୍ଷ ହେବା ଏକ ପ୍ରକାର ଥୟ। ମଧ୍ୟପ୍ରଦେଶରେ ସର୍ବାଧିକ ୨୯, ମହାରାଷ୍ଟ୍ରରେ ୨୮, ଆସାମରେ ୧୦, କର୍ଣ୍ଣାଟକ ଓ କେରଳରେ ୯ଟି ଲେଖାଏଁ ମହାବଳଙ୍କ ମୃତ୍ୟୁ ହେଇଛି। ଓଡ଼ିଶାରେ ଗୋଟିଏ ମହାବଳର ମୃତ୍ୟୁ ହୋଇଛି, ଯାହାକି ଜାନୁଆରିରେ ବାରିପଦା ବନଖଣ୍ଡରେ ଘଟିଥିଲା ବୋଲି ଏନ୍ଟିସିଏ ପକ୍ଷରୁ କୁହାଯାଇଛି।