ବ୍ୟାଘ୍ର ଦିବସ: ଶିମିଳିପାଳରେ ଖୋଜିଲେ ବି ମିଳୁନାହାନ୍ତି ବାଘ

ବିରଳ ମହାବଳବାଘଙ୍କୁ ନେଇ ବିଶ୍ବରେ ଖ୍ୟାତି ଅର୍ଜନ କରିଥିଲା ଶିମିଳିପାଳ

ବାରିପଦା(ରାଜ୍ କିଶୋର ଦାଶ): ଆଜି ବିଶ୍ବ ପାଳନ କରୁଛି ବ୍ୟାଘ୍ର ଦିବସ। ମାତ୍ର ଏକଦା ଦୁର୍ଲଭ ପ୍ରାୟ ମ‌ହାବଳବାଘକୁ ନେଇ ବିଶ୍ବବିଖ୍ୟାତ ଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ କିନ୍ତୁ ସେପରି ଖୁସି ନାହିଁ କହିଲେ ଚଳେ। କାରଣ ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟଘେରା ଅଭୟାରଣ୍ୟରେ ଖୋଜିଲେ ମଧ୍ୟ ବାଘ ମିଳୁନାହାନ୍ତି। ଏପରିକି କୋର୍‌ ଏରିଆରେ ମଧ୍ୟ ବାଘ ଦେଖିବାକୁ ମିଳୁନାହାନ୍ତି। ବିଗତ କିଛି ବର୍ଷ ହେବ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଦେଖିବାକୁ ପାଇନାହାନ୍ତି।

୨୦୧୮ରେ ହୋଇଥିବା ବାଘ ଗଣନା ଅନୁସାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୨୮ ଟି ବାଘ ରହିଛି। ତନ୍ମଧ୍ୟରୁ ଶିମିଳିପାଳରେ ୭ ବାଘୁଣୀ ଓ ଗୋଟିଏ ବାଘକୁ ମିଶାଇ ୯ ଟି ବାଘ ରହିଛନ୍ତି। ଏମାନଙ୍କ ବ୍ୟତୀତ ଦୁଇଟି ବାଘ ଛୁଆ ମଧ୍ୟ ରହିଛନ୍ତି। ଯାହାକି ବେଶ୍‌ ବେଦନାଦାୟକ। କାରଣ ଏକଦା ଦୁର୍ଲଭ ପ୍ରାୟ ମହାବଳ ବାଘଙ୍କୁ ନେଇ ସାରା ବିଶ୍ବରେ ଗର୍ବିଥିବା ଶିମିଳିପାଳରେ କିନ୍ତୁ ବେଶ୍‌ କିଛି ବର୍ଷ ହେବ ବାଘ ସଂଖ୍ୟାରେ ଦ୍ରୁତ ଅବନତି ଦେଖିବାକୁ ମିଳିଥିଲା। କିନ୍ତୁ ଏହି ସତ୍ୟକୁ ବେଶ୍‌ ଚତୁରତାର ସହିତ ଲୁଚାଇ ଆସୁଥିଲେ ଜନୈକ ତତ୍‌କାଳୀନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସଟିଆର) ଉପନିର୍ଦ୍ଦେଶକ।

ନିକଟରେ ଜିଲ୍ଲାରୁ ବଦଳି ହୋଇଥିବା ଏହି ଅଧିକାରୀ ଜଣଙ୍କ କିନ୍ତୁ ବାଘ ଗଣନା ରିପୋର୍ଟ ପ୍ରକାଶ ପୂର୍ବରୁ ଶିମିଳିପାଳରେ ୧୭ଟି ବାଘ ଥିବା ବାହାସ୍ପୋଟ ମାରିଥିଲେ। ଯାହାକି ପରେ ବୁମେରାଂ ସାବ୍ୟସ୍ତ ହୋଇଥିଲା। ସତ ହେଉଛି ଶିମିଳିପାଳରେ ବାଘଙ୍କ ପାଇଁ ଆଉ ସେପରି ଉପଯୁକ୍ତ ପରିବେଷ୍ଟିନୀ ନାହିଁ। ଚଳିତ ବର୍ଷର ବ୍ୟାଘ୍ର ଦିବସର ଥିମ୍‌ ରହିଛି ବାଘ ଏବଂ ସେମାନଙ୍କର ପରିବେଷ୍ଟିନୀ। ଯାହାକି ଶିମିଳିପାଳରେ କମି କମି ଆସୁଛି। ତୃଣଭୋଜୀ ପ୍ରାଣୀଙ୍କ ପାଇଁ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇପାରୁନାହିଁ।

ସେହିପରି ଜଙ୍ଗଲର ଘନତ୍ବ ମଧ୍ୟ କମି କମି ଆସୁଛି। ଯାହାକି ବାଘ ସଂଖ୍ୟା ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରୁଛି। ଏନଟିସିଏ ପକ୍ଷରୁ ଶିମିଳିପାଳକୁ ବାଘ ବଂଶର ସଂରକ୍ଷଣ ଏବଂ ସଂଖ୍ୟା ବୃଦ୍ଧି ନିମିତ୍ତ ବର୍ଷକୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ମାତ୍ର ସେଗୁଡ଼ିକର ସଠିକ ବିନିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଠିକ ଢଙ୍ଗରେ ବିନିଯୋଗ ହୋଇପାରୁନଥିବାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ହୋଇପାରୁନଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି। ସେହିପରି ଗତ କିଛି ବର୍ଷ ମଧ୍ୟରେ ଶିମିଳିପାଳରେ ବାଘ ଶିକାର ମଧ୍ୟ ବୃଦ୍ଧି ପାଇଛି। ଏକାଧିକ ବାଘ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଛନ୍ତି। ବାଘ ଛାଲ ମଧ୍ୟ ଜବତ ହୋଇଛି। ଯାହାକି ବେଶ୍‌ ଉଦ୍‌ବେଗଜନକ।

ଉଲ୍ଲେଖଯୋଗ୍ୟଯେ ପ୍ରାୟ ୨୭୫୦ ବର୍ଗ କିମି ପରିମିତ ଶିମିଳିପାଳର ୧୧୯୪.୭୫ କିମି ଅଞ୍ଚଳ ବାଘମାନଙ୍କ ଚଳପ୍ରଚଳ ସ୍ଥାନ, ଯାହାକି କୋର୍‌ ଏରିଆ ଭାବେ ଚିହ୍ନଟ କରାଯାଇଛି। ସେହିପରି ୧୫୫୫.୨୫ ବର୍ଗ କିମି ଅଞ୍ଚଳକୁ ବଫର୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ୨୦୦୬ରେ ରାଜ୍ୟରେ ବାଘ ସଂଖ୍ୟା ୪୫ ଥିବାବେଳେ ୨୦୧୦ରେ ୩୨, ୨୦୧୪ ଓ ୧୮ରେ ୨୮ରେ ସ୍ଥିର ରହିଛି। ସେହିପରି ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୭ ବାଘ ମୃତ୍ୟୁବରଣ କରିଥିବା ଏନଟିସିଏ ପକ୍ଷରୁ ପ୍ରକାଶ। ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିଥିବା ଜଣାପଡ଼ିଛି। ତେବେ ଗତବର୍ଷ ଶିମିଳିପାଳରେ ହୋଇଥିବା ଫେଜ୍‌-୪ ମନିଟିରିଂରେ କିଛି ଅଧିକ ବାଘ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏସ୍‌ଟିଆର ପକ୍ଷରୁ ଏନ୍‌ଟିସିଏକୁ ଦିଆଯାଇଥିବା ତଥ୍ୟ ଅନୁସାରେ ଶିମିଳିପାଳରେ ଏବେ ୯ଟି ବାଘୁଣୀ, ୩ ଟି ବାଘ ଏବଂ ୨ଟି ଛୁଆ ରହିଛନ୍ତି। ଯଦି ଏହି ତଥ୍ୟ ସତ ହୋଇଥାଏ ତେବେ ଖୁସିର ଖବର। ନଚେତ୍‌ ଏହା କେବଳ ପରିବେଶବିତ୍‌ ଏବଂ ବାଘ ମାମୁ ସହିତ ଧୋକା ହିଁହେବ।

ବର୍ଷା ପରେ କ୍ୟାମେରା ଟ୍ରାପ୍‌ ମାଧ୍ୟମରେ ହେବ ବାଘ ଗଣନା 
ପ୍ରତି ଚାରିବର୍ଷରେ ବାଘ ଗଣନା ହୋଇଥାଏ। ଏହି କ୍ରମରେ ଆସନ୍ତାବର୍ଷ ବାଘ ଗଣନା ହେବ। ତେ‌ବେ ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଶିମିଳିପାଳରେ ବର୍ଷା ପରେ ଆରମ୍ଭ ହେବ ବାଘ ଗଣନା। ପ୍ରାୟ ଅକ୍ଟୋବର ମାସ ଆରମ୍ଭରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଥିନିମନ୍ତେ କର୍ମଚାରୀଙ୍କୁ ତାଲିମ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମାପ୍ତ ହୋଇଛି। ଶିମିଳିପାଳର ପ୍ରତି ବିଟ୍‌ରେ ଏହି ଗଣାନା ହେବ। କ୍ୟାମେରା ଟ୍ରାପ୍‌ ଏବଂ ଅନ୍ୟ କିଛି ଉପାୟରେ ଏହା ସମ୍ପନ୍ନ ହେବ। ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଏହି ଗଣନା କାର୍ଯ୍ୟ ଡିସେମ୍ବର ସୁଦ୍ଧା ସରିବ। ଜାନୁୟାରୀରେ ଏସଟିଆର କର୍ତ୍ତୃପକ୍ଷ ଏନଟିସିଏକୁ ବାଘ ଗଣନା ରିପୋର୍ଟ ପ୍ରଦାନ କରିବେ। ସବୁକିଛି ଠିକ୍‌ ରହିଲେ ଆସନ୍ତାବର୍ଷ ଜୁଲାଇରେ ନୂତନ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ବାରିପଦା ସର୍କଲ ଆରସିସିଏଫ ଯୋଗ ଜୟାନନ୍ଦ ସୂଚନା ଦେଇଛନ୍ତି। ଏକ ଅଙ୍କରେ ସିମୀତ ଥିବା ବାଘ ସଂଖ୍ୟା ଆସନ୍ତା ବର୍ଷ ବୃଦ୍ଧି ପାଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର