ବିଶ୍ବ ତମାଖୁ ବର୍ଜନ ଦିବସ : ନିଷିଦ୍ଧ ହେବ ଇ-ସିଗାରେଟ୍!

ମୁଖ ଗହ୍ବର କର୍କଟରେ ଭାରତ ଆଗରେ

ଭୁବନେଶ୍ବର : ମେ’ ୩୧ତାରିଖକୁ ବିଶ୍ବସ୍ତରରେ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି। ୧୯୮୭ ମସିହାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ତମାଖୁ ସେବନର ଭୟବହତା ଦୃଷ୍ଟିରୁ ଲୋକଙ୍କୁ ‌ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ତମାଖୁ ସେବନ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୮ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଯାହାକି ଯକ୍ଷ୍ମା, ଏଡ୍‌ସ ଓ ମ୍ୟାଲେରିଆ ରୋଗ ଜନିତ ମୃତ୍ୟୁଠାରୁ ଯଥେଷ୍ଟ ଅଧିକ। ୯୫ପ୍ରତିଶତ ମୁଖ ଗହ୍ବର କର୍କଟର ମୁଖ୍ୟ କାରଣ ତମାଖୁ ହୋଇଥିବା ବେଳେ ଏହି କର୍କଟରେ ଆକ୍ରାନ୍ତ ଲୋକମାନଙ୍କ ସଂଖ୍ୟା ଭାରତରେ ସର୍ବାଧିକ ବୋଲି ଜଣାପଡ଼ିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ଇ-ସିଗାରେଟ୍ ଓ ନିକୋଟିନ୍‌ଯୁକ୍ତ ହୁକା ନିଷିଦ୍ଧ କରିବାକୁ ଯାଉଥିବା ସୂଚନା ମିଳିଛି।

ତମାଖୁ ଦୁଇ ପ୍ରକାର ବ୍ୟବହାର ହୋଇଥାଏ। ସିଗାରେଟ୍ ଓ ବିଡି ଗୋଟିଏ ପ୍ରକାର ହୋଇଥିବା ବେଳେ ଗୁଟ୍‌ଖା, ଜର୍ଦ୍ଦା, ଗୁଣ୍ଡି ଚୋବାଇ ଲୋକମାନେ ବ୍ୟବହାର କରିଥାନ୍ତି। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସଫୁସ, ମୁଖ ଗହ୍ବର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି।

ମେଡିକାଲ ଅଙ୍କଲୋଜିଷ୍ଟ ଡା.ସୌରଭ ମିଶ୍ରଙ୍କ କହିବାନୁଯାୟୀ, ଦେଶରେ ପୁରୁଷମାନଙ୍କୁ ହେଉଥିବା କର୍କଟ ମଧ୍ୟରୁ ମୁଣ୍ଡ ଓ ଗଳାର କର୍କଟ ସବୁଠୁ ଅଧିକ ହୋଇଥାଏ। ମୁହଁରେ ଯେଉଁ ସ୍ଥାନରେ ଅଧିକ ସମୟ ଧରି ପାନରସ ଜମା ହୋଇ ରହିଥାଏ, ସେଠାରେ କର୍କଟ ହେବାର ଅଧିକ ଆଶଙ୍କା ରହିଛି। କର୍କଟ ପୀଡ଼ିତ ଅଧିକାଂଶଙ୍କ ବୟସ ୫୫ବର୍ଷରୁ ଅଧିକ ହୋଇଥିବା ବେଳେ ହ୍ୟୁମାନ ପାପିଲୋମା ଭାଇରସ ଯୋଗୁଁ ଓରୋଫରିନ କର୍କଟ ରୋଗ ହୋଇଥାଏ। ପାଟିରେ ଯନ୍ତ୍ରଣା ଅନୁଭବ, ଓଜନ କମିବା, ପାଟିରେ ଘା’ ନ ଶୁଖିବା ଓ ପାଟିରୁ ରକ୍ତ ବାହାରିବା ଆଦି ମୁଣ୍ଡ ଓ ଗଳା କର୍କଟ ରୋଗର ଲକ୍ଷଣ। ଦେଶରେ ୩ ଭାଗରୁ ଦୁଇ ଭାଗ ରୋଗୀଙ୍କ ରୋଗ ଆଡଭାନ୍‌ସ ଷ୍ଟେଜ୍‌ରେ ହିଁ ଚିହ୍ନଟ ହୋଇଥାଏ। ମୁଖ ଗହ୍ବର କର୍କଟ କ୍ଷେତ୍ରରେ ସଂକ୍ରମଣ ସ୍ଥାନକୁ ଜଣେ ଡାକ୍ତର ଦେଖିବା ସହ ପରୀକ୍ଷା ନିରୀକ୍ଷା କରିପାରିବ। ତେବେ ମୁଣ୍ଡ ଓ ଗଳା କର୍କଟ ରୋଗକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ନିୟମିତ ଭାବେ ପାଟିକୁ ଚେକ୍‌ଅପ କରିବାକୁ ପଡ଼ିଥାଏ। ଫଳରେ ଏସବୁ କର୍କଟ ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯିବା ସହ ଅଧିକ କ୍ଷତିକାରକ ହୋଇନଥାଏ। ତେଣୁ ତମାଖୁ ଜନିତ କର୍କଟ ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ଲୋକମାନଙ୍କ ମଧ୍ୟରେ ସଚେତନତାର ଜରୁରୀ। ତମାଖୁ ସେବନର ଅପକାରିତା ସଂପର୍କରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ଡା.ସୌରଭ ମିଶ୍ର ସୂଚନା ଦେଇଛନ୍ତି।

ରାଜ୍ୟରେ ଇ-ସିଗାରେଟ୍ ଓ ନିକୋଟିନ୍‌ଯୁକ୍ତ ହୁକା ନିଷିଦ୍ଧ ହେବ। ଏ ନେଇ ରାଜ୍ୟ ଡ୍ରଗ୍‌ସ ନିୟନ୍ତ୍ରଣ ନିର୍ଦେଶାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ନିକୋଟିନ୍‌ଯୁକ୍ତ ଇଲେକ୍‌ଟ୍ରୋନିକ୍ ଓ ହୁକା ନିଷିଦ୍ଧ ହେବ ବୋଲି ସୂଚନା ମିଳିଛି। ଗତ କିଛିମାସ ପୂର୍ବରୁ ରାଜଧାନୀର କେତେକ ବାର୍ ଓ ଅନ୍ୟ ହୋଟେଲରେ ନିକୋଟିନ୍‌ଯୁକ୍ତ ହୁକା ଉପଲବ୍ଧ ହେଉଥିବା ଓ ବିଶେଷକରି ଯୁବପିଢ଼ି ଏହାକୁ ଅଧିକ ମାତ୍ରାରେ ସେବନ କରୁଥିବା ଅଭିଯୋଗ ହୋଇଥିଲା। ‌ଏହାପରେ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ବାର୍‌ରେ ଚଢ଼ଉ ହୋଇଥିଲା। ଏହାସହ ଇ-କମର୍ସ ସାଇଟ୍‌ଗୁଡ଼ିକରେ ଇ-ସିଗାରେଟ୍‌ ବିକ୍ରି ହେଉଥିବା ନଜରକୁ ଆସିବା ପରେ ଏହାକୁ ନିଷିଦ୍ଧ କରିବା ପାଇଁ ଆଲୋଚନା ହୋଇଥିଲା। ନିକଟରେ ରାଜ୍ୟ ଡ୍ରଗ୍‌ସ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ଏହାର ବ୍ୟାପକ ତର୍ଜମା କରାଯିବା ପରେ ରାଜ୍ୟରେ ଏହାକୁ ନିଷିଦ୍ଧ ଘୋଷଣା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଅପରପକ୍ଷେ ତମାଖୁ ନିୟନ୍ତ୍ରଣ ପାଇଁ ସିଗାରେଟ୍‌ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ ବା କୋଟ୍‌ପା ରହିଛି। ତେବେ ଏହା ରାଜ୍ୟରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବା ଦିଗରେ ବିଫଳ। ଗତ ୧ବର୍ଷ ମଧ୍ୟରେ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା, ବିଦ୍ୟାଳୟଠାରୁ ୧୦୦ ମିଟର ଦୂରରେ ତମାଖୁ ଦୋକାନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଚାରିଆଡ଼େ ଖୁଲମଖୁଲା ଭାବେ ଗୁଟ୍‌ଖା ବିକ୍ରି ଚାଲିଥିଲେ ହେଁ ନିୟମିତ ଚଢ଼ଉର ଅଭାବ ଯୋଗୁଁ ଦୋକାନୀ ଓ ବେଆଇନ ଭାବେ ଗୁଟ୍‌ଖା କାରବାର ବୃଦ୍ଧି ପାଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ସର୍ବସାଧାରଣରେ ଧୂମପାନ ପାଇଁ ଯେତିକି ଜରିମାନା ରହିଛି, ତାହା ଯଥେଷ୍ଟ ନୁହେଁ। ତେଣୁ ଲୋକମାନେ ଏହାକୁ ଖାତିର କରୁନାହାନ୍ତି। ଏ ଦୃଷ୍ଟିରୁ ଲୋକମାନଙ୍କ ମଧ୍ୟରେ ସତଚେନତା ସୃଷ୍ଟି କରିବା ଉପରେ ବିଭାଗ ପକ୍ଷରୁ ଜୋର୍‌ ଦିଆଯାଉଛି। ଲୋକେ ସଚେତନ ହେଲେ ରାଜ୍ୟରେ ତମାଖୁର ବ୍ୟବହାର କମି ପାରିବ। ଏହାସହ ଖଇନି ଓ ଜର୍ଦ୍ଦା ନେଇ କୋର୍ଟରେ ମାମଲା ଚାଲିଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇବା ସମ୍ଭବ ହୋଇପାରୁନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର