ଭୁବନେଶ୍ବର: ତମାଖୁ, ବିଷାକ୍ତ ମଦ ଓ ଡ୍ରଗ୍ସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ୪ଟି ପର୍ଯ୍ୟାୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ନିଷେଧ ଦିବସରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୨୬ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୨ ଓ ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୨୫ରୁ ୨୦୨୬ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ବର୍ଷବ୍ୟାପୀ ସଚେତନତା ଅଭିଯାନ ଚାଲିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଲୋକସେବା ଭବନ କନଭେନ୍ସନ୍ ହଲ୍ରେ ବିଶ୍ୱ ତମାଖୁ ନିଷେଧ ଦିବସ ଉପଲକ୍ଷେ ଆୟୋଜିତ ସଚେତନତା ଅଭିଯାନର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିବର୍ଷ ଦେଶରେ ବିଭିନ୍ନ କାରଣରୁ ଯେତିକି ମୃତ୍ୟୁ ହେଉଛି, ତା’ର ପ୍ରାୟ ୧୦ % କେବଳ ତମାଖୁଜନିତ। ଯୁବ ସମାଜ ଏଥିରୁ କିପରି ମୁକ୍ତି ପାଇବେ, ସେ ସଂପର୍କରେ ଗମ୍ଭୀରତାର ସହ ବିଚାର କରିବାର ସମୟ ଆସିଛି। ତମାଖୁଜନିତ ମୃତ୍ୟୁକୁ ରୋକିବା ପାଇଁ କେବଳ ଗୋଟିଏ ଉପାୟ ହେଉଛି ସଚେତନତା। ଲୋକମାନେ ଏହାର ଭୟାବହତା ଜାଣିବା ସତ୍ତ୍ୱେ ଏଥିରୁ ଦୂରେଇ ପାରୁନାହାନ୍ତି। ଗୋଟିଏ ବ୍ୟକ୍ତିକୁ ସଚେତନ କରାଇପାରିଲେ ତାହାର ଜୀବନ ବଞ୍ଚିପାରିବ।
ନୂଆ ରୂପରେ ଆସିବ ରାଜ୍ୟ ଅବକାରୀ ନୀତି: ମୁଖ୍ୟମନ୍ତ୍ରୀ
ମୁଖଗହ୍ୱର କର୍କଟ କିମ୍ବା ଫୁସ୍ଫସ୍ କର୍କଟର ଶତ ପ୍ରତିଶତ କାରଣ ହେଉଛି ତମାଖୁ ଓ ସିଗାରେଟ୍ ସେବନ। ତମାଖୁ, ସିଗାରେଟ୍ ଓ ନିଶାଦ୍ରବ୍ୟର ବିଜ୍ଞାପନ ମଧ୍ୟ ଯୁବ ସମାଜ ଉପରେ ପ୍ରଭାବ ପକାଉଛି। ଏହି ଛଳନାପୂର୍ଣ୍ଣ ବିଜ୍ଞାପନ ପ୍ରତି ମଧ୍ୟ ସଜାଗ ରହିବାର ଆବଶ୍ୟକତା ରହିଛି। ଏସ୍ଟିଏଫ୍କୁ କ୍ଷମତାପନ୍ନ କରାଯାଇ ତମାଖୁ ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିଶେଷ ଭାବେ ଚୋରା ଚାଲାଣ ହେଉଥିବା ନିଶା ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରହିଛି। ତମାଖୁ ସହିତ ସବୁ ପ୍ରକାର ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଖୁବ୍ ଶୀଘ୍ର ନୂତନ ଅବକାରୀ ନୀତି ପ୍ରଣୟନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ଲୋଗୋ, ଥିମ୍ ସଙ୍ଗ୍ ଓ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ତମାଖୁ, ମଦ, ଡ୍ରଗ୍ସର ବ୍ୟବହାର ଓ ପ୍ରସାର ରୋକିବା ପାଇଁ ଏଭଳି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସମାଜର ଶେଷ ଲୋକ ପର୍ଯ୍ୟନ୍ତ ଏହି ସଚେତନତା ବାର୍ତ୍ତା ପହଞ୍ଚାଯିବ। ଅବକାରୀ ଆଇନରେ ଦୋଷୀ ପ୍ରତି ଦଣ୍ଡବିଧାନ ଆହୁରି କଡ଼ାକଡ଼ି ହେବ ବୋଲି ସେ କହିଥିଲେ। ବିଧାୟକ ବାବୁ ସିଂହ କହିଥିଲେ, ସମାଜରେ ନିଶା ବନ୍ଦ ହେଲେ, ଅପରାଧ କମିବ। ତେଣୁ ନିଶା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମତ ରଖିଥିଲେ। ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ। ଅବକାରୀ ବିଭାଗ କମିସନର ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶା ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଧନ୍ୟବାଦ ଦେଇଥିଲେ। ଆଭାସୀ ମାଧ୍ୟମରେ ଜିଲ୍ଲାପାଳ, ଅବକାରୀ ଅଧୀକ୍ଷକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।