ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଧୁମଧାମ୍‌ରେ ପାଳନ ହୋଇଛି ବିଶ୍ବ ଆଦିବାସୀ ଦିବସ। କେଉଁଠି ଆଦିବାସୀଙ୍କ ଅଧିକାର ଏବଂ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା ତ ଆଉ କେଉଁଠି ଶକ୍ତି ପ୍ରଦର୍ଶନ କରିଛନ୍ତି ଆଦିବାସୀ। ସଭା, ଶୋଭାଯାତ୍ରା ଏବଂ ପ୍ରତିବାଦର ଅନେକ ଦୃଶ୍ୟ ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଥିଲା। ରାୟଗଡ଼ା ଜିଲ୍ଲା ଆଦିବାସୀ ମହାସଂଘ ଆଜି ସାମ୍ବାଦିକ ସମ୍ମିଳନୀ କରି ଆଦିବାସୀ ଦିବସ ପାଳନ କରିବ ନାହିଁ ବୋଲି ଘୋଷଣା କରିଛି। ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କୁ ନିର୍ମମ ହତ୍ୟାକାଣ୍ଡ ପରେ ପରିବାରକୁ ନ୍ୟାୟ ମିଳିଲା ନାହିଁ। ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କ ସୁରାକ୍‌ ମଧ୍ୟ ପୁଲିସ୍‌ ପାଇଲାନି। ଯେପର୍ଯ୍ୟନ୍ତ ଭାଗୀରଥୀଙ୍କ ପରିବାରକୁ ନ୍ୟାୟ ନମିଳିଛି, ଆଦିବାସୀ ଦିବସ ପାଳନ କରାଯିବ ନାହିଁ ବୋଲି ସଂଘ ପ୍ରକାଶ କରିଥିଲା। ଅନ୍ୟପଟେ ଆଦିବାସୀ ସମାଜ କିନ୍ତୁ ରାୟଗଡ଼ାରେ ଆଡ଼ମ୍ବର ସହକାରେ ଆଦିବାସୀ ଦିବସ ପାଳନ କରିଥିଲା। ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀ ସାମିଲ ହୋଇଥିଲେ।

Advertisment

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଆଜି ପ୍ରତିବାଦ କରି ୩୨୬ ନମ୍ବର ଜାତୀୟ ରାଜପଥକୁ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ମହାସଂଘ ଆଜି ସକାଳେ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିଲା। ତେବେ ଜିଲ୍ଲାପାଳ ବ୍ୟସ୍ତ ରହିଥିବାରୁ ଏଡିଏମ୍‌ ସ୍ମାରକପତ୍ର ଗ୍ରହଣ କରିବାକୁ ଆସିଥିଲେ। କିନ୍ତୁ ମହାସଂଘ କେବଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ ବୋଲି ଜିଦ୍‌ ଧରିଥିଲା, କିଛି ସମୟ ଅପେକ୍ଷା କରି ସେଠାରୁ ଚାଲି ଆସିଥିଲା। ଫେରିବା ରାସ୍ତାରେ ଜାତୀୟ ରାଜପଥ ଅବରୋଧ କରିଥିଲେ ମହାସଂଘ କର୍ମକର୍ତ୍ତା। କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଛି ଆଦିବାସୀ ଦିବସ। ଜିଲ୍ଲା, ଉପଖଣ୍ଡ ଏବଂ ବ୍ଲକ୍‌ସ୍ତରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦାବି ପୂରଣ ନିମନ୍ତେ ପ୍ରଶାସନକୁ ସ୍ମାରକପତ୍ର ସହ ସାଧାରଣ ସଭା ହୋଇଥିଲା। ମଣିପୁର ଘଟଣାକୁ ନେଇ କିଛି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଆଦିବାସୀଙ୍କ ସଂସ୍କୃତି, ପରଂପରା ସହ ଆର୍ଥିକ ସ୍ଥିତି ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା।

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ୨୯ତମ ବିଶ୍ବ ଆଦିବାସୀ ଦିବସ ଅତି ଉତ୍ସାହର ସହ ପାଳିତ ହୋଇଯାଇଛି। ରାଉରକେଲା ସହର ହେଉ କି ରାଜଗାଙ୍ଗପୁର, ବଣେଇ ହେଉ କି ବୀରମିତ୍ରପୁର ଅବା ଜିଲ୍ଲା ସଦର ମହକୁମା ସୁନ୍ଦରଗଡ଼; ସବୁ ଅଞ୍ଚଳ ଆଜି ଉତ୍ସବମୁଖର ହୋଇଥିଲା। ବିଭିନ୍ନ ସ୍ଥାନରେ ଥିବା ମହାନ ଆଦିବାସୀ ନେତା ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସବୁ ସହର ଓ ଗ୍ରାମାଞ୍ଚଳରେ ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା ବାହାରିଥିଲା। ସଭାସମିତି, ଖେଳକୁଦ, ନାଚଗୀତରେ ଲୋକେ ବ୍ୟସ୍ତ ରହିଥିଲେ। କେବଳ ଆଦିବାସୀ ସମାଜ ନୁହନ୍ତି, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଅନୁଷ୍ଠାନମାନେ ମଧ୍ୟ ଉତ୍ସାହର ସହ ବିଶ୍ବ ଆଦିବାସୀ ଦିବସ ପାଳନ କରିଥିଲେ।