ମାଲକାନଗିରି: ମାଲକାନଗିରି ଠାରେ ଜିଲ୍ଲାସ୍ତରୀୟ ବିଶ୍ବ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି କ୍ରିୟାନୁଷ୍ଠାନ କମିଟିର ସଭାପତି ଜରାଶବର ମାଢିଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ପୁରୁଷ ମହିଳା ସ୍ଥାନୀୟ ହିଟପଦା ଠାରେ ଏକତ୍ର ହୋଇଥିଲେ। ଏଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଡିଏନକେ ପଡିଆ ଠାରେ ପହଞ୍ଚିଥିଲା।ବାଦ୍ୟର ତାଳେ ତାଳେ ଆଦିବାସୀ ଭାଇଭଉଣୀମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା।
ଡିଏନକେ ପଡିଆରେ ଆୟୋଜିତ ମହା ସମାବେଶରେ ଆଦିବାସୀ ନେତାମାନେ ଦେଇଥିଲେ ରଣହୁଙ୍କାର। ଜଂଗଲ ଜମି ନିଜ ଅକ୍ତିଆରରେ ରଖିଥିବା ଆଦିବାସୀଙ୍କୁ ତୁରନ୍ତ ଜଂଗଲ ଜମି ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି ଉଠିଥିଲା।ନିଜର ସଂସ୍କୃତି ପରଂପରାକୁ କିପରି ବଜାଇ ରଖିବେ ସେନେଇ ସମସ୍ତ ଆଦିବାସୀଙ୍କ ସହଯୋଗ କାମନା କରାଯାଇଥିଲା। ଦୀର୍ଘ ବର୍ଷ ଧରି ବସବାସ କରିଆସୁଥିବା ଆଦିବାସୀଙ୍କୁ ଘରଡିହ ପଟ୍ଟା ତୁରନ୍ତ ପ୍ରଦାନ କରାଯାଉ। ମୁଖ୍ୟମନ୍ତ୍ରୀ ଜବରଦଖଲଙ୍କୁ ହଟାଇବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ନେଇ ସମାବେଶରେ ଗର୍ଜିଥିଲେ ଆଦିବାସୀ।ଦୀର୍ଘ ବର୍ଷ ଧରି ଚାଷ କରିଆସୁଥିବା ଆଦିବାସୀଙ୍କ ଜମିକୁ ସରକାର କେବେ ମଧ୍ୟ ଛଡାଇ ନେଇପାରିବେ ନାହିଁ ବୋଲି କହିବା ସହ ସେହି ଜମିର ପଟ୍ଟା ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି ଉଠିଥିଲା। ସମ୍ବଧାନରୁ ଏସସି, ଏସଟି ଏବଂ ଓବିସି କୋଟା ହଟିବା ନେଇ ଯେଉଁ ଯୁକ୍ତି କରାଯାଉଛି ତାହାକୁ ମଧ୍ୟ ନିନ୍ଦା କରାଯାଇଥିଲା।
ସମ୍ବିଧାନର ସୁରକ୍ଷା ନେଇ ସମସ୍ତ ଆଦିବାସୀଙ୍କୁ ଆହ୍ବାନ ଦିଆଯାଇଥିଲା। ସମ୍ବିଧାନକୁ ସରକାର କେବେ ବଦଳାଇପାରିବେ ନାହିଁ ବୋଲି କୁହାଯାଇଥିଲା। ଆଦିବାସୀଙ୍କର ହକ୍ ତାଂକୁ ଦିଆଯାଉ ବୋଲି ଦାବି କରିଥିଲେ। ଏହି ସମାବେଶ ଓ ରାଲିରେ ମୁଖ୍ୟ ଅତିଥି ଭାବେ ବାଲରାଜୁ ଗାମେଲ ଉପସ୍ଥିତ ରହିଥିବା ବେଳେ ମୁଖ୍ୟବକ୍ତା ଭାବେ ଡ.କାମରାଜ କାବାସି, ଘେନୁ ମୁଦୁଲି, ଘନଶ୍ୟାମ ମାଡକାମୀ, ପ୍ରଭାକର ହନ୍ତାଳ, ବିଜୟ କୁମାର ପୁତ୍ରୁ, ବଳରାମ ଅନୁଗୁଳିଆ, ଇର୍ମା ପଡିଆମି ପ୍ରମୁଖ ଉପସ୍ଥିତ ଥିଲେ।