ଆଜି ବିଶ୍ୱ ଆଦିବାସୀ ଦିବସ: ୨୪ ବର୍ଷ ପରେ ବି ଲାଗୁ ହେଲାନି ‘ପେସା’ ଆଇନ
ସୁନ୍ଦରଗଡ଼ : ନିକଟ ଅତୀତରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କୁତ୍ରା, ଲହୁଣୀପଡ଼ା ଓ କୋଇଡ଼ା ଆଦି ବ୍ଲକ୍ରେ ଏକାଧିକ ଖଣି ଓ କାରଖାନା ପାଇଁ ଜମି ଅଧିଗ୍ରହଣବେଳେ ଆଦିବାସୀଙ୍କ ଜମି ବଳପୂର୍ବକ ଛଡ଼ାଇ ନିଆଯାଉଥିବାର ଅଭିଯୋଗ ହୋଇଥିଲା। ଆଦିବାସୀଙ୍କ ଜମି ଛଡ଼ାଇ ନେଇ ଶିଳ୍ପପତିଙ୍କ ହାତରେ ଟେକି ଦେବାଲାଗି ପ୍ରଶାସନ ନିଜର ସବୁ ଶକ୍ତି ଲଗାଇ ଦେଇଥିବା ଆଲୋଚନା ହୋଇଥିଲା। ଏକାଧିକ ଘଟଣାରେ ଜନଶୁଣାଣି ପାଇଁ ଲୋକେ ପ୍ରଶାସନ ଓ ଶିଳ୍ପସଂସ୍ଥାର ଅଧିକାରୀମାନଙ୍କୁ ନିଜ ଗାଁ ଭିତରେ ପଶିବାକୁ ଦେଇ ନଥିଲେ। କିନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ ଏହାକୁ କମ୍ପାନିର ଜମି ଅଧିଗ୍ରହଣରେ ପ୍ରଭାବିତ ଲୋକଙ୍କର କୌଣସି ଆପତ୍ତି ନାହିଁ ବୋଲି ପ୍ରଶାସନ ସ୍ବୀକୃତି ଦେବାଭଳି ଦୁର୍ଭାଗ୍ୟଜନକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା। ଏ ପ୍ରକ୍ରିୟା ସୁନ୍ଦରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଜାରି ରହିଛି। ତେଣୁ ଜଳ, ଜମି ଓ ଜଙ୍ଗଲ ଉପରେ ମୂଳ ଅଧିବାସୀ ଆଦିବାସୀଙ୍କ ଅଧିକାରର ‘ପେସା ଆଇନ’ ପୁଣିଥରେ ଚର୍ଚ୍ଚାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀମାନଙ୍କ ସମ୍ପତ୍ତି ଓ ବାସସ୍ଥଳୀ ଉପରେ ଜଙ୍ଗଲ ଅଧିକାରକୁ ଠିକ୍ ଭାବରେ ସ୍ବୀକୃତି ପ୍ରଦାନ କରାନଯାଇ ସେମାନଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ କରାଯାଇଛି।
ଆଦିବାସୀଙ୍କୁ ନିଜ ଜଳ, ଜମି, ଜଙ୍ଗଲର ସୁରକ୍ଷା ଚିନ୍ତା
କମ୍ପାନି ପାଇଁ ଆଦିବାସୀଙ୍କ ଜମି ଛଡ଼ାଇ ନେବାର ପ୍ରକ୍ରିୟା ଜାରି
୧୯୮୦ ମସିହାରେ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କଲାବେଳେ ମୁଖବନ୍ଧରେ ଏହି ସ୍ବୀକାରନାମା ଲେଖି ସରକାର ଅଧିବାସୀଙ୍କୁ ସେମାନଙ୍କ ଅଧିକାର ଫେରାଇବା ପାଇଁ ବ୍ୟବସ୍ଥା କଲେ। କିନ୍ତୁ, ଆଜି ଯାଏ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀମାନଙ୍କୁ ସାମାଜିକ ସମ୍ମାନ, ସ୍ବୀକୃତି ଓ ଅଧିକାର ମିଳିନାହିଁ। ଏଥିପାଇଁ ଏବେ ବି ଆଦିବାସୀ ଲଢ଼େଇ କରିଚାଲିଛନ୍ତି। ୨୦୦୬ ଆଇନ ଅନୁଯାୟୀ, ସେମାନଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲଜମି ଅଧିକାରଦେବାକୁ ପ୍ରଶାସନ ବର୍ଷବର୍ଷ ଗଡ଼ାଇ ନେଉଛି। ଏହିକ୍ରମରେ କେନ୍ଦ୍ର ସରକାର ଆଦିବାସୀଙ୍କ ଜୀବନଜୀବିକା, କୌଳିକବୃତ୍ତି, ସାମାଜିକ, ସଂସ୍କୃତି, ପରମ୍ପରାର ସୁରକ୍ଷା ପାଇଁ ୧୯୯୬ରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପଞ୍ଚମ ଅନୁସୂଚୀ ଆଇନ‘ପେସା’ କାର୍ଯ୍ୟକାରୀ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ସୁନ୍ଦରଗଡ଼ ସମେତ ଅନ୍ୟ ୧୪ଟି ଜିଲ୍ଲାରେ ‘ପେସା’ ଆଇନ କାର୍ଯ୍ୟକାରୀ ହେବାକଥା। କିନ୍ତୁ, ୨୪ ବର୍ଷ ପରେ ବି ଓଡ଼ିଶାରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ପେସା ଆଇନ ଲାଗୁ କରିବାକୁ ଥିବାବେଳେ ସମ୍ବଲପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ଦେବଗଡ଼, ବାଲେଶ୍ବର, କେନ୍ଦୁଝର ଆଦି ଜିଲ୍ଲାରେ ଆଂଶିକ ଭାବେ ଏହି ଆଇନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏସବୁ ଜିଲ୍ଲାର ୧୨୨ ବ୍ଲକ୍ର ୨୦୬୮ଟି ପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେବାକୁ ରହିଛି।
ପେସା ଆଇନ କାର୍ଯ୍ୟକାରୀ ହେଲେ ଆଦିବାସୀଙ୍କ ହାତରେ ନିଜ ଅଞ୍ଚଳର ଶାସନଡୋରି ରହିବ। ସେମାନଙ୍କ ଜୀବନଜୀବିକା, କୌଳିକବୃତ୍ତି, ସାମାଜିକ, ସଂସ୍କୃତି, ପରମ୍ପରା ଉପରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିପାରିବେ ନାହିଁ। ବିଶେଷକରି ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ରଶସ୍ୟର ମୂଲ୍ୟ ନିର୍ଦ୍ଧାରଣ, କ୍ଷୁଦ୍ର ଜଳସେଚନ, ହିତାଧିକାରୀ ଚୟନ, ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି ପରିଚାଳନା ସହ ସ୍ଥାନୀୟ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଗ୍ରାମସଭା ପ୍ରସ୍ତାବ ଆଧାରରେ ‘ପେସା’ ଆଇନ ବଳରେ ଗଠିତ ‘କାଉନ୍ସିଲ୍’ ନିଷ୍ପତ୍ତିନେବ। ‘ପେସା’ ଆଇନର ଧାରା ୪(ଝ) ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ଯେ କୌଣସି ପ୍ରକାରର ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ସମ୍ମତି ଦରକାର। ଜଙ୍ଗଲ ଅଧିକାର ଆଇନର ମୁଖବନ୍ଧରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ପୁରୁଷାନୁକ୍ରମେ ଜଙ୍ଗଲରେ ରହି ଆସୁଥିବା ଯେଉଁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଅଧିକାରକୁ ନଥିଭୁକ୍ତ କରାଯାଇ ପାରିନାହିଁ, ସେହିମାନଙ୍କୁ ସେମାନଙ୍କର ଅଧିକୃତ ଜମି ଏବଂ ଜଙ୍ଗଲ ଅଧିକାରର ସ୍ୱୀକୃତି ଦିଆଯିବ। ଏଥିରେ ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ଜୀବିକା ସୁରକ୍ଷିତ ରଖିବା ସହ ଜଳ, ଜମି, ଜଙ୍ଗଲଗୁଡ଼ିକର ସୁରକ୍ଷା ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି। ‘ପେସା’ ଆଇନ କାର୍ଯ୍ୟକାରୀ ନହେବା ଯୋଗୁ ଆଦିବାସୀ ଏବେ ବି ଦହଗଞ୍ଜ ହୋଇ ରହିଛନ୍ତି। ବିକାଶମୂଳକ ପ୍ରକଳ୍ପ ନାମରେ ସେମାନଙ୍କୁ ମୂଳବସତିରୁ ବିସ୍ଥାପିତ କରିଦିଆଯାଉଛି। ପ୍ରକୃତି, ଜଙ୍ଗଲ ଭିତରୁ ହଠାତ୍ ବିତାଡ଼ିତ ହେବା ପରେ ସେମାନେ ନିଜକୁ ଅନ୍ୟ ଅଞ୍ଚଳରେ ଖାପ ଖୁଆଇ ଚଳିବା ସମ୍ଭବ ହେଉନାହିଁ।
ଏହି ପରିପ୍ରେକ୍ଷୀରେ ନିକଟରେ ଜାତୀୟ ଜନଜାତି କମିସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ‘ପେସା’ ଆଇନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସୁନ୍ଦରଗଡ଼ ସମେତ ଅନ୍ୟ ଜିଲ୍ଲାରେ ଆଦିବାସୀଙ୍କ ସ୍ବର ତେଜୀୟାନ୍ ହେଉଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ର ପରିବର୍ତ୍ତନ କରିବା ପାଇଁ ଜଙ୍ଗଲ ସଂରକ୍ଷଣ ନିୟମ ୨୦୨୨ ଜାରି କରିଛନ୍ତି। ଏହାଦ୍ବାରା ଆଦିବାସୀ ଓ ବନବାସୀଙ୍କ ଜଙ୍ଗଲଜମିରେ ଥିବା ଅଧିକାର ପୁଣିଥରେ ଉଚ୍ଛେଦ ହେବାର ଆଶଙ୍କା ପ୍ରକାଶ ପାଇଛି।