ବିଶ୍ବ ଆଦିବାସୀ ଦିବସ ଆଜି: ପ୍ରତିଶ୍ରୁତିରେ ଅଟକିଛି ବିକାଶ, କୁସଂସ୍କାର-ଅନ୍ଧବିଶ୍ବାସ ସାଜିଛି ପରମ ଶତ୍ରୁ

ଭେଳିକି ଥିଲା କି ସ୍ବତନ୍ତ୍ର ଉନ୍ନୟନ ପରିଷଦ, ନିର୍ବାଚନ ପରଠୁ ଖାଲି ପଡ଼ିଛି ମୁଖିଆ ପଦବୀ

ବାରିପଦା (ରାଜ କିଶୋର ଦାଶ): ଆଦିବାସୀବହୁଳ ସର୍ବବୃହତ ଜିଲ୍ଲାଭାବେ ଜଣାଶୁଣା ମୟୂରଭଞ୍ଜ । ଏକାଧିକ ପ୍ରାଚୀନ ଜନଜାତି ବର୍ଗର ଅଧିବାସୀ ଏହି ଜିଲ୍ଲାରେ ବସବାସ କରନ୍ତି। ଜିଲ୍ଲାର ପ୍ରାୟ ୫୮.୭୨ ପ୍ରତିଶତ ଲୋକ ହେଉଛନ୍ତି ଜନଜାତି ସମ୍ପ୍ରଦାୟର। ଗତ ଜନଗଣାନା ଅନୁସାରେ ଜିଲ୍ଲାର ମୋଟ ଜନସଂଖ୍ୟା ୨୫ ଲକ୍ଷ ୧୯ ହଜାର ୭୩୮ଙ୍କ ମଧ୍ୟରୁ ୧୪ ଲକ୍ଷ ୭୯ ହଜାର ୫୭୬ ଜଣ ହେଉଛନ୍ତି ଆଦିବାସୀ। ମାତ୍ର ଏମାନଙ୍କ ବିକାଶ ଯେପରି ହେବା କଥା ତାହା ହୋଇପାରିନାହିଁ।

ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ତରରେ ମୟୂରଭଞ୍ଜର ଆଦିବାସୀ ଭାଇ ଭଉଣୀମାନେ ଏବେ ମଧ୍ୟ ଅବହେଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମ୍ପ୍ରଦାୟରୁ ହାତ ଗଣତି କିଛି ବ୍ୟକ୍ତିତ୍ବ ନିଜର ଉଦ୍ୟମ ଏବଂ ନିଷ୍ଠା ବଳରେ ଆଜି ବିଶ୍ବ ଦରବାରରେ ପରିଚିତ ହୋଇପାରିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ହୁଅନ୍ତୁ ଅବା ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ , ସମସ୍ତେ ନିଜର ବ୍ୟକ୍ତିଗତ ପ୍ରଚେଷ୍ଠା ବଳରେ ହିଁ ଆଗକୁ ଯାଇଛନ୍ତି। ଜିଲ୍ଲାରେ ସାନ୍ତାଳ, ମୁଣ୍ଡା, ହୋ, ହିଲ୍‌ ଖରିଆ, ଓରାଙ୍ଗ୍, ମାହାଳି, କୋହ୍ଲ, ସାଉଁଟି, ଭୂମିଜ, ବାଥୁଡ଼ି, ଗଣ୍ଡ, ମାକିରଡ଼ିଆ, ହୋଲ୍‌ଭା, ବାଇଗା, ଲୋଧା ଭଳି ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି। ଏମାନଙ୍କ ମଧ୍ୟରୁ ସାନ୍ତାଳ ଏବଂ ମୁଣ୍ଡା ସମ୍ପ୍ରଦାୟର ନିଜର ସ୍ବତନ୍ତ୍ର ଲିପି ରହିଛି ।

ଶିକ୍ଷା କ୍ଷେତ୍ରରେ ଜିଲ୍ଲାରେ ଆଦିବାସୀମାନେ ଏବେ ମଧ୍ୟ ପଛୁଆ ହୋଇ ରହିଛନ୍ତି। ବିଶେଷ କରି ମହିଳା ସ୍ବାକ୍ଷରତା କ୍ଷେତ୍ରରେ ଆଦିବାସୀମାନେ ଢେର ପଛୁଆ। ଭାଷା ସାଜିଛି ଏକ ପ୍ରମୁଖ ପ୍ରତିବନ୍ଧକ। ଯାହାଫଳରେ ଅନ୍ଧବିଶ୍ବାସ ଓ କୁସଂସ୍କାର ଏବେ ବି ଏହି ସମ୍ପ୍ରଦାୟର ଏକ ପ୍ରମୁଖ ଶତ୍ରୁ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାହାଣୀ ସନ୍ଦେହରେ ହତ୍ୟା ହେଉ ଅବା ଶିଶୁଙ୍କୁ ନିଆଁ ଚେଙ୍କ, ଜିଲ୍ଲାରେ ଥିବା ଆଦିବାସୀଙ୍କ କ୍ଷେତ୍ରରେ ଏବେ ମଧ୍ୟ ଏକ ପ୍ରମୁଖ ପରମ୍ପରା ରହି ଆସିଛି। ପ୍ରକୃତିର ସନ୍ତାନ କୁହାଯାଉଥିବା ଏହି ଜନଜାତି ଭାଇଭଉଣୀମାନେ କରୋନା ମହାମାରୀକୁ ସଫଳତାର ସହିତ ମୁକାବିଲା କରିପାରିଛନ୍ତି। ଏବେ ମଧ୍ୟ ଆଦିବାସୀବହୁଳ ଏକାଧିକ ଗାଁ, ପଡ଼ା ଅଛି ଯେଉଁଠି ଏଯାବତ ଜଣେ ମଧ୍ୟ କରୋନା ଆକ୍ରାନ୍ତ ବାହାରିନାହାନ୍ତି। ଅଥଚ କରୋନା ଟିକା ନେଲାବେଳକୁ କିନ୍ତୁ କେତେକ କ୍ଷେତ୍ରରେ ପ୍ରତିବନ୍ଧକ ଆସୁଛି। ଯାହାକି କେବଳ ଶିକ୍ଷାର ପ୍ରସାର ଅଭାବରୁ ହେଉଥିବା ସ୍ପଷ୍ଟ ହୋଇଛି।

ସେହିପରି ଆଦିବାସୀଙ୍କୁ ରାଜ‌ନୈତିକ ଅଧିକାର ଦେବା ନିମନ୍ତେ ଜିଲ୍ଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ଏବଂ ମୟୂରଭଞ୍ଜ ଲୋକସଭା ଆସନ ଆଦିାବାସୀ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଜିଲ୍ଲାରେ ମାଳ ମାଳ ନେତା ନିଜକୁ ଆଦିବାସୀଙ୍କ ତ୍ରାଣକର୍ତ୍ତାଭାବେ ଅଭିହିତ କରି କେବଳ ନିଜର ରାଜନୈତିକ ସ୍ବାର୍ଥ ହାସଲ କରି ଚାଲିଥିବା କହିଲେ ମିଛ ହେବ ନାହିଁ। କାରଣ ଏବେ ମଧ୍ୟ ଏହି ସରଳ, ନିରୀହ ଲୋକ ନିଜର ସାମ୍ବିଧାନିକ ଅଧିକାରକୁ ନେଇ ସଚେତନ ନୁହନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି।

ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଗଠନ କରିଥିଲେ। ମାତ୍ର ନିର୍ବାଚନ ପରେ ସ୍ଥାଣୁ ହୋଇଯାଇଛି ଏହି ପରିଷଦ। ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ସରକାର ଯେପରି ଏହାକୁ ଭୁଲିଯାଇଛନ୍ତି। ନା ମୁଖିଆରେ ଏହା ବାଟବଣା ହୋଇଯାଇଛି କହିଲେ ଚଳେ। ୨୧ଟି ଜନଜାତି ଭାଷାର ପ୍ରଚାର ପ୍ରସାର ନିମନ୍ତେ ଗଠିତ ହୋଇଛି ଏହି ପରିଷଦ। ମାତ୍ର ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏବେ ଅନେକ ଆଦିବାସୀ ଭାଷା ବିଲୁପ୍ତି ଦିଗରେ।

କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲାର ଆଦିବାସୀ ଯୁବଗୋଷ୍ଠୀ ବେଶ୍‌ ଦମଦାର ପ୍ରଦର୍ଶନ କରିଥାଆନ୍ତି। ମାତ୍ର ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍‌ଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳୀମାନେ ଏବେ ହଜିଯିବାକୁ ବସିଲେଣି। ସେହିପରି ଆହୁରି ଅନେକ ପ୍ରତିଭା ସୁଯୋଗ ଅଭାବରୁ ବଣରେ ଫୁଟି ବଣରେ ଝରି ପଡ଼ୁଛନ୍ତି। ମୟୂରଭଞ୍ଜକୁ ଆଦିବାସୀଙ୍କ ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଆସୁଛି। ମାତ୍ର ଏମାନଙ୍କ ପାଖକୁ କିନ୍ତୁ ଏଯାଏଁ ପହଞ୍ଚିପାରିନି ବିକାଶର ଅସଲ ଚିତ୍ର। ଏହି ବର୍ଗର ବିକାଶ ପାଇଁ ରହିଥିବା ଆଇଟିଡିଏ ବିଭାଗ ତ’ ଦୁର୍ନୀତିରେ ବୁଡ଼ି ରହିଛି। ଆଇଟିଡିଏ ଆଦିବାସୀଙ୍କ କଣ ବିକାଶ କରୁଛି ତାହା ଜଣାନାହିଁ କିନ୍ତୁ ଠିକାଦାରଙ୍କୁ ପୋଷିଚାଲିଛି।

ସେହିପରି ଲୋଧା ଉନ୍ନୟନ ପରିଷଦ ହେଉ ଆଦିବାସୀ ହଷ୍ଟେଲ। ସବୁଠି ଶୋଷିତ ହେଉଛନ୍ତି ପ୍ରକୃତିର ଏହି ସନ୍ତାନଗଣ। ମାତ୍ର ସବୁପରେ ନିର୍ବାଚନ ଆସିଲେ ସମସ୍ତ ରାଜନୈତିକ ଦଳ ଏମାନଙ୍କର ନିଜର ବୋଲି ଦାବି କରନ୍ତି। ପୁଳାପୁଳା ପ୍ରତିଶୁ୍ରତି ଦେଇ ମନ ଜିଣିବାକୁ ପ୍ରୟାସ କରନ୍ତି। ମାତ୍ର ନିର୍ବାଚନ ସରି‌ଗଲେ ସମସ୍ତେ ପାଶୋରି ଦିଅନ୍ତି ଏମାନଙ୍କୁ। ଆଉ ପ୍ରତିବର୍ଷ ଅଗଷ୍ଟ ମାସ ୯ରେ ପାଳନ ହେଉଥିବା ବିଶ୍ବ ଆଦିବାସୀ ଦିବସ ଅବସରରେ ପ୍ରଶାସନ ଓ ରାଜନୈତିକ ନେତୃବୃନ୍ଦ ପୁଣିଥରେ ଆସନ୍ତି ସ୍ବପ୍ନର ତାଜମହଲ ନେଇ। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନାରୁ ବଞ୍ଚିତ ହୋଇ ଖରା, ତରା ଦେଖାଯାଉଥିବା ନିଜର ଭଙ୍ଗା କୁଡ଼ିଆରେ ରହୁଥିବା ଆଦିବାସୀ ଭାଇଭଉଣୀ କିନ୍ତୁ ନିଜର ସରଳତା ଆଉ ନିଷ୍ପାପ ହୃଦୟରୁ ସବୁକୁ ମାଫ୍‌ କରିଦିଅନ୍ତି। ଆଉ ଲୋଟିପଡ଼ନ୍ତି ପ୍ରକୃତି ମା’ର କୋଳରେ।

ସମ୍ବନ୍ଧିତ ଖବର