ବିଶ୍ୱ ଯକ୍ଷ୍ମା ଦିବସ: ୨୦୨୫ ସୁଦ୍ଧା ଯକ୍ଷ୍ମା ନିର୍ମୂଳ ଲକ୍ଷ୍ୟ

ଭୁବନେଶ୍ବର :  ଗୁରୁବାର ଥିଲା ବିଶ୍ବ ଯକ୍ଷ୍ମା ଦିବସ। ଚଳିତବର୍ଷ ବିଶ୍ବ ଯକ୍ଷ୍ମା ଦିବସର ‌ସ୍ଲୋଗାନ୍ ରହିଥିଲା ‘ଇନଭେଷ୍ଟ ଟୁ ଏଣ୍ଡ ଟିବି, ସେଭ୍ ଲାଇଭ୍’। ସରକାର ସଂକଳ୍ପ ନେଇଛନ୍ତି ଯେ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗ ନିର୍ମୂଳ କରିବେ। ଆଜି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏ ନେଇ ସୂଚନା ଦେବା ସହିତ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ସମସ୍ତ ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ଓ ସେମାନଙ୍କ ସଫଳ ଚିକିତ୍ସା ପାଇଁ ‘ଟିବି ଫୋରମ୍’ ଗଠନ କରାଯାଇଛି। ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଟିଇପି) ଅଧୀନରେ ଚିହ୍ନଟ ଓ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ସିଧାସଳଖ ପ୍ରାପ୍ୟ ହସ୍ତାନ୍ତରଣ ଅଧୀନରେ ‘ନିକ୍ଷୟ ପୋଷଣ ‌ଯୋଜନା’ରେ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି।

୨୦୧୬ ମସିହାରେ ରାଜ୍ୟରେ ୫୧,୪୩୪ ଜଣ ରୋଗୀ ଚିହ୍ନଟ ହୋଇଥିବା ୨୦୨୧ ମସିହାରେ ୫୨,୩୪୬ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅଧିକରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ପାଇଁ ପିପୁଲ ପ୍ରୋଭାଇଡର ସର୍ପୋଟ ଏଜେନ୍ସି ବା ପିପିଏସ୍‌ଏ କାର୍ଯ୍ୟକ୍ରମ ଅଧୀନରେ ଖୋର୍ଧା, କଟକ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁରରେ ଏନ୍‌ଜିଓମାନେ କାର୍ଯ୍ୟ କରୁଛନ୍ତି। ସମ୍ଭାବ୍ୟ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଆଶାକର୍ମୀଙ୍କୁ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଏହାସହ ଯକ୍ଷ୍ମାରୋଗରୁ ସଫଳତା ସହ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କୁ ତାଲିମ ଦିଆଯାଇ ଟିବି ‘ଚାମ୍ପିଅନ୍’ ଭ‌ାବେ ନିୟୋଜିତ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଏଥିରେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର, ଅତିରିକ୍ତ ନିର୍ଦେଶକ(ଟିବି) ଡା.ପ୍ରଶାନ୍ତ ହୋତା, ଅତିରିକ୍ତ ନିର୍ଦେଶକ ଡା.ପ୍ରଦୀପ ପାଢ଼ୀ, ଯୁଗ୍ମ ନିର୍ଦେଶକ(ଟିବି) ଡା. ଅର୍ଘ୍ୟ ପ୍ରଧାନ ଓ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର