ସମ୍ବାଦ ଡିଜିଟାଲ ପକ୍ଷରୁ ବିଶ୍ବ ଜଳ ଦିବସ: ‘ପାଣି, ଗଛ, ଜଙ୍ଗଲର ସୁରକ୍ଷା ପାଇଁ ଅନ୍ୟମନସ୍କ ହେବାକୁ ପଡ଼ିବ’

ଜଳ ଦିବସ ଲୋଗୋ ଉନ୍ମୋଚିତ

ଭୁବନେଶ୍ବର : ପାଣି, ଗଛ, ଜଙ୍ଗଲର ସୁରକ୍ଷା ପାଇଁ ଅନ୍ୟମନସ୍କ ହେବାକୁ ପଡ଼ିବ। କେବଳ ନିଜ କଥା ନ ଭାବି ନିଜ ଚତୁଃପାର୍ଶ୍ବରେ ରହୁଥିବା ମଣିଷଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଜଳ ସଙ୍କଟ ବିଷୟରେ ଆଜି ସବୁଠି ଆଲୋଚନା ହେଉଛି। ତୃତୀୟ ବିଶ୍ବଯୁଦ୍ଧ ପାଣି ପାଇଁ ହେବ ବୋଲି ମଧ୍ୟ କୁହାଯାଉଛି। ଏପରିକି କୁହାଯାଏ ଯେ ଦିନେ ପ୍ରଳୟ ଆସିବ, ବାଇଶି ପାହାଚରେ ମୀନ ଖେଳିବ। ପ୍ରତ୍ୟେକ ସଙ୍କଟକୁ ଆହ୍ବାନ ବୋଲି ଭାବିବା ଉଚିତ। ସଙ୍କଟ ହିଁ ସମାଧାନର ରାସ୍ତା ଦେଖାଏ। ୧୯୯୯ ମହାବାତ୍ୟା ପରେ ବାତ୍ୟାକୁ ଯେମିତି ଓଡ଼ିଶା ମୁକାବିଲା କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କଲା, ଜଳ ସଙ୍କଟର ସେଭଳି ସ୍ଥିତିର ମୁକାବିଲା ମଧ୍ୟ ସମ୍ଭବ ହୋଇ ପାରିବ।

ବିଶ୍ବ ଜଳ ଦିବସ ଅବସରରେ ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟ (ବିଜିୟୁ)ରେ ସମ୍ବାଦ ଡିଜିଟାଲ ପକ୍ଷରୁ ଆୟୋଜିତ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଏହି ମତ ଦେଇଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶାର ଭୂମି ତଳେ ଯେତିକି ସମ୍ପତ୍ତି ଅଛି, ଭୂମି ଉପରେ ମଧ୍ୟ ସେତିକି ରହିଛି। ତଳେ ଖଣି ଏବଂ ଉପରେ ଘଞ୍ଚ ଅରଣ୍ୟ ରହିଛି। ପାର୍ଶ୍ବରେ ବହି ଯାଇଛି ୪୮୦ କିଲୋମିଟର ବେଳାଭୂମି। ଏହାର ଉପଯୁକ୍ତ ବିନିଯୋଗ ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ବ ଅାରୋପ କରିଥିଲେ।

ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ଆଗକୁ ତୀବ୍ର ହେବାକୁ ଥିବା ସଙ୍କଟର ମୁକାବିଲା ଜରୁରୀ ବୋଲି ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ। ବିଜିୟୁ କୁଳସଚିବ ପ୍ରଫେସର ବି.କେ ଦାସ କହିଥିଲେ, ପୂର୍ବରୁ ପାଣି ସୁରକ୍ଷିତ ଥିଲା, ବାହାର ପାଣି ମଧ୍ୟ ପିଇବା ଯୋଗ୍ୟ ଥିଲା। କିନ୍ତୁ ଆଜି ଘର ପାଣି ମଧ୍ୟ ପିଇବା ସମ୍ଭବ ହେଉ ନାହିଁ। ପାଣିର ଯେଉଁ ଭଳି ସ୍ଥିତି ହେଲାଣି ଏହାକୁ ନେଇ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ପାଣି ସୁରକ୍ଷାରେ ସଚେତନତା ପାଇଁ ବିଦ୍ୟାର୍ଥୀମାନେହିଁ ସର୍ବୋକୃଷ୍ଟ ମାଧ୍ୟମ ହେବେ। ଏହି ଅବସରରେ ସମ୍ବାଦ ଡିଜିଟାଲ ପକ୍ଷରୁ ବିର୍ଲା ସ୍କୁଲ ବିଦ୍ୟାର୍ଥୀଙ୍କୁ ନେଇ ଅଭିନବ ପ୍ରତିଯୋଗିତା ହୋଇଥିଲା। କାର୍ଯ୍ୟକ୍ରମରେ ଜଳ ଦିବସ ଲୋଗୋ ଉନ୍ମୋଚିତ ହୋଇଛି।

ଅଧିବେଶନର ଦ୍ବିତୀୟ ଭାଗରେ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନ ବିଷୟକୁ ନେଇ ଆଲୋଚନାଚକ୍ର ହୋଇଥିଲା। କନକ ଡିଜିଟାଲର ବାର୍ତ୍ତା ସମ୍ପାଦକ ରୁଦ୍ର ନାରାୟଣ ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଅଧ୍ୟକ୍ଷା ଡ. ଶର୍ମିଳା ସୁବ୍ରମଣ୍ୟମ, ଆଇଏମଏମଟିର ଅଧ୍ୟକ୍ଷ ବୈଜ୍ଞାନିକ ଡ. ସୋନୀ ପାଣ୍ଡେ, ଓଡ଼ିଶା ଜଳ ବିରାଦରିର ଆବାହକ ମାନସ ମିଶ୍ର, ମଙ୍ଗଳମ ଟ୍ୟାଙ୍କ ପାଇପ ଏବଂ ସାନିଟାରିର ପରିଚାଳନା ନିର୍ଦେଶକ ରାଜେଶ ଗର୍ଗ, ଆକ୍ରାଇଜର ସହପ୍ରତିଷ୍ଠାତା ମାରିଆଜୁଲ ହକ୍‌ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଜିୟୁର ସହକାରୀ ପ୍ରଫେସର ସିଦ୍ଧାର୍ଥ ମିଶ୍ର ଏବଂ ସମ୍ବାଦ ଡିଜିଟାଲ ଓ ରେଡିଓ ଚକ୍‌ଲେଟ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରିଥିଲେ। ବିଜିୟୁ ଏନଏସଏସ ବିଭାଗର ଡ. ଶୁଭେନ୍ଦୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଚିନ୍ମୟୀ ହରିଚନ୍ଦନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର