ସମାଜର ବିକାଶ ପାଇଁ ନାରୀମାନଙ୍କର ଭୂମିକା ଅତୁଳନୀୟ: ବାଚସ୍ପତି

ପ୍ରେରଣା ପକ୍ଷରୁ ‘ବିଶ୍ବ ମହିଳା ଦିବସ’

ଭୁବନେଶ୍ବର : ବିଶ୍ବ ମହିଳା ଦିବସ ଅବସରରେ ପ୍ରେରଣା ଓ ଆଚିଭର୍‌ ଫାଉଣ୍ଡେସନ୍‌ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ନାରୀ ପ୍ରତିଭାମାନଙ୍କୁ ଗୀତଗୋବିନ୍ଦ ସଦନଠାରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଆଚିଭର୍‌ ନ୍ୟୁଜ୍‌ର ସ୍ବନକ୍ଷତ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ‌‌ଯୋଗ ଦେଇ କହିଲେ, ସମାଜର ବିକାଶ ପାଇଁ ନାରୀମାନଙ୍କର ଭୂମିକା ଅତୁଳନୀୟ। ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସମାଜର ବିକାଶ ପ୍ରତି ବିନିଯୋଗ କରିପାରିଲେ ଏକ ଉନ୍ନତ ରାଜ୍ୟ ତଥା ଦେଶ ଗଠନ ହୋଇପାରିବ। ପୁରାଣ, ଇତିହାସରେ ଏହାର ବହୁ ଜ୍ବଳନ୍ତ ଉଦାହରଣ ରହିଛି ବୋଲି ବାଚସ୍ପତି କହିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମାନବାଧିକାର କମିସନର ସଦସ୍ୟ ଅସୀମ ଅମିତାଭ ଦା‌ସ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଆଡ୍‌ଭୋକେଟ ଗୋପାଳକୃଷ୍ଣ ମହାନ୍ତି, ପ୍ରଫେସର ମେଜର କଳ୍ପନା ଦାସ, ଦୂରଦର୍ଶନର ନିର୍ଦ୍ଦେଶିକା ଦିପ୍ତୀ ମିଶ୍ର, ଆଡ୍‌ଭୋକେଟ ବିଷ୍ଣୁପ୍ରସାଦ ପାତ୍ର, ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ ଓ ଆଚିଭର ଫାଉଣ୍ଡେସନ୍‌ର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ ଓ ଭାରତୀୟ ଫିଜିଆଟାରି ସୋସାଇଟିର ଅତିରିକ୍ତ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏକ ବିକାଶଶୀଳ ସମାଜରେ ନାରୀମାନେ ଯୁଗେ ଯୁଗେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି ବୋଲି କହିଥିଲେ। ଏହି ଅବସରରେ ସାହିତ୍ୟ, ସମା‌ଜସେବା, ସେବା, ଶିକ୍ଷା, ସାମ୍ବାଦିକତା, ଅଭିନୟ, ‌ସିନେମା, ଧାରାବାହିକ, ଉପସ୍ଥାପନା ଆଦି ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେରଣାର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଆଚିଭର ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଶୋକ କୁମାର ସୁନ୍ଦରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର