ପୁରୀ : ବିଶ୍ବର କଲ୍ୟାଣ ପାଇଁ ନିର୍ମାଣ ଚାଲିଛି ବିଶ୍ବର ସବୁଠୁ ବଡ଼ ଶ୍ରୀଯନ୍ତ୍ର ନିର୍ମାଣ। ଅହମ୍ମଦାବାଦ୍‌ର ଜୟ ଭୋଲେ ଗ୍ରୁପ ପଞ୍ଚଧାତୁରେ ଏହି ଶ୍ରୀଯନ୍ତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଏହି ଶ୍ରୀଯନ୍ତ୍ର ସ୍ଥାପନ ପୂର୍ବରୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହାର ପ୍ରତିକୃତିକୁ ସାଙ୍ଗରେ ନେଇ ଦେଶର ଚାରିଧାମ ସହ ପ୍ରସିଦ୍ଧ ଚାରି ମଠ ଯାତ୍ରା ଆରମ୍ଭ କରିଛନ୍ତି। ଏ ଭିତରେ ଦ୍ବାରିକାନାଥ, ବଦ୍ରୀନାଥ ଯାତ୍ରା ସାରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଏହି ଦଳ। ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ନିର୍ମାଣ ଚାଲିଥିବା ଶ୍ରୀଯନ୍ତ୍ରକୁ ପୂର୍ଣ୍ଣରୂପ ଦେବାକୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠକୁ ଯାଇ ଆଶୀର୍ବାଦ ନେଇଛନ୍ତି।

Advertisment

ଜୟ ଭୋଲେ ଗ୍ରୁପର ଦୀପେଶ ପଟେଲ୍‌ କହିଛନ୍ତି, ଗୁଜରାଟର ବନସକାଣ୍ଟ ଜିଲ୍ଲାରେ ବିଶ୍ବର ସବୁଠୁ ବଡ଼ ଏହି ଶ୍ରୀଯନ୍ତ୍ରର ନିର୍ମାଣ ଚାଲିଛି। ଅଢ଼େଇ ମାସ ତଳୁ ୨୫ଜଣ କାରିଗର ଏହି ଶ୍ରୀଯନ୍ତ୍ର ନିର୍ମାଣରେ ଲାଗିଛନ୍ତି। ଶ୍ରୀଯନ୍ତ୍ରର ଓଜନ ପ୍ରାୟ ୨୨ଶହ କେଜି ରହିବ। ଉଚ୍ଚତା, ଲମ୍ବା ଓ ଚଉଡ଼ା ସାଢ଼େ ୪ଶହ ଫୁଟ ରହିବ। ଶ୍ରୀବିଦ୍ୟା ଆଧାରରେ ଏହାର ପୂର୍ଣ୍ଣ ବିକାଶ କରାଯାଉଛି। ଏଥିରେ ‌ସୁନା, ରୁପା, ତମ୍ବା, ପିତଳ ଓ ଲୁହା, ଏଭଳି ୫ଟି ଧାତୁ ବ୍ୟବହାର କରାଯାଉଛି। ଶ୍ରୀଯନ୍ତ୍ରର ପୂର୍ଣ୍ଣ ନିର୍ମାଣ ପାଇଁ ଆଉ ତିନି ମାସ ସମୟ ଲାଗିବ। ପରେ ଏହା ଦେଶର ୫୧ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ ମା’ ଅମ୍ବାଜୀଙ୍କ ମନ୍ଦିରଠାରେ ସ୍ଥାପନ କରାଯିବ। ଜୟ ଭୋଲେ ଗ୍ରୁପ ଏହି ଶ୍ରୀଯନ୍ତ୍ର ମନ୍ଦିରକୁ ପ୍ରଦାନ କରିବ।

ଶ୍ରୀ ପଟେଲ୍‌ କହଛନ୍ତି, ତାଙ୍କ ସହ ଅନୁଷ୍ଠାନର ଚିନ୍ତନ ପଟେଲ୍‌, ପ୍ରଶାନ୍ତ ଘରାନି, ମେହୁଲ ପଟେଲ୍‌, ଜୟ ପଟେଲ୍‌, ଚିରାଗ ଗଜ୍ଜର ଆସିଛନ୍ତି। ସେମାନେ ପ୍ରଥମେ ପଞ୍ଚଧାତୁରେ ନିର୍ମିତ ୩୨ କେଜିର ଶ୍ରୀଯନ୍ତ୍ର ପ୍ରତିକୃତି ସହ ଦ୍ବାରିକାନାଥଙ୍କ ମନ୍ଦିର ଯାତ୍ରା କରିଥିଲେ। ସେଠାରେ ଦ୍ବାରିକା ମଠ ବି ଯାଇଥିଲେ। ପରେ ବଦ୍ରୀନାଥ ଓ ସେଠାରେ ଥିବା ଜ୍ୟୋର୍ତିମଠ ଯାତ୍ରା କରିଥିଲେ। ଆଜି ଶ୍ରୀକ୍ଷେତ୍ରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଗୋବର୍ଦ୍ଧନ ମଠ ଯାଇ ଆଦି ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି। ପରେ ରାମେଶ୍ବରମ ଓ ସେଠାରେ ଥିବା ଶ୍ରୀଙ୍ଗେରି ମଠ ଯାତ୍ରା କରିବେ। ଏହା ପୂର୍ବରୁ ତିରୁପତି ବାଲାଜୀ ମନ୍ଦିର ବି ଯିବେ ବୋଲି ଶ୍ରୀ ପଟେଲ୍‌ କରିଛନ୍ତି। ଆସନ୍ତାକାଲିଠାରୁ ‌ତାଙ୍କ ଦଳ ଏହି ଯାତ୍ରା ଆରମ୍ଭ କରି ବୋଲି ଶ୍ରୀ ପଟେଲ୍‌ କହିଛନ୍ତି।