ଓଡ଼ିଶା ପାଇଁ ଜେଏସ୍ପିଏଲ୍ ଆଣିଲା ଭିଜନ୍-୨୦୩୦
ଅଧିକ ୧ଲକ୍ଷ ୨୦ ହଜାର କୋଟି ନିବେଶ କରିବ
ଭୁବନେଶ୍ୱର : ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିମିଟେଡ (ଜେଏସ୍ପିଏଲ୍)। ରାଜ୍ୟ ସରକାରଙ୍କ ନିକଟରେ କମ୍ପାନିର ଅଧ୍ୟକ୍ଷ ନବୀନ ଜିନ୍ଦଲ ଆଜି ଓଡ଼ିଶା ପାଇଁ ଭିଜନ୍-୨୦୩୦ ଉପସ୍ଥାପନ କରି ଏହି ସୂଚନା ଦେଇଛନ୍ତି। ଭିଜନ୍-୨୦୩୦ ଅନୁଯାୟୀ, ଅନୁଗୁଳରେ ଥିବା ଜେଏସ୍ପିଏଲ୍ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନାର କ୍ଷମତା ୨୫.୨ ନିୟୁତ ଟନ୍କୁ ବୃଦ୍ଧି କରିବ । ଏହି କ୍ଷମତା ସଂପ୍ରସାରଣ ପାଇଁ ଜେଏସ୍ପିଏଲ୍ ୨୦୩୦ ସୁଦ୍ଧା ଅଧିକ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବା ସହିତ ସ୍ୱଚ୍ଛ ଶକ୍ତି ଉତ୍ସ ବ୍ୟବହାର କରିବ। ଏହାଦ୍ୱାରା ଅନୁଗୁଳ ଇସ୍ପାତ କାରଖାନା ବିଶ୍ୱର କୌଣସି ଗୋଟିଏ ସ୍ଥାନରେ ଥିବା ସର୍ବବୃହତ୍ ଇସ୍ପାତ କାରଖାନା ହେବ ଏବଂ ଓଡ଼ିଶା ବିଶ୍ୱ ଇସ୍ପାତ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପାଇ ପାରିବ।
ଏହି ସଂପ୍ରସାରଣ ଦ୍ୱାରା ପରିବେଶ ଉପଯୋଗୀ ହାଇଡ୍ରୋଜେନ ଆଧାରିତ ଡି.ଆର୍.ଆଇ ଓ ଇ.ଏ.ଏଫ୍. ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ କରାଯିବ। ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ ଓ ଫ୍ଲାଏ ଆସ୍ର ଉପଯୋଗ ପାଇଁ ଇସ୍ପାତ କାରଖାନା ପରିସରରେ ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା ମଧ୍ୟ ସ୍ଥାପନ କରାଯିବ।
ଅନଲାଇନରେ ହୋଇଥିବା ଆଜିର ବୈଠକରେ ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସବିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବାର୍ଷିକ ୨୫.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସହିତ ଲୁହାପଥର ଓ କୋଇଲା ଖଣି କ୍ଷେତ୍ରରେ ଏବଂ ବିଶ୍ୱସ୍ତରୀୟ ପରିବହନ ଭିତ୍ତିଭୂମି ବିକାଶରେ ପୁଞ୍ଜିନିବେଶ କରିବା ମଧ୍ୟ ଜେଏସ୍ପିଏଲ୍ର ଏହି ଭିଜନ୍-୨୦୩୦ରେ ରହିଛି। ଏକ ଅତ୍ୟାଧୁନିକ ବନ୍ଦର ଓ ଏହି ବନ୍ଦରକୁ ଅନୁଗୁଳ କାରଖାନା, ବଡ଼ବିଲ ପେଲେଟ କାରଖାନା ଓ ରାଇଗଡ କାରଖାନା ସହିତ ସଂଯୋଗ କରୁଥିବା ସ୍ବତନ୍ତ୍ର ରେଳଲାଇନ୍ ନିର୍ମାଣରେ ଜେଏସ୍ପିଏଲ୍ ପୁଞ୍ଜିନିବେଶ କରିବ। ଏହି ପୁଞ୍ଜିନିବେଶ ଦ୍ୱାରା ଓଡ଼ିଶାରେ ୬୦,୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଜେଏସ୍ପିଏଲ୍ର ଓଡ଼ିଶାରେ ସମୁଦାୟ ପୁଞ୍ଜିନିବେଶ ଯୋଗୁଁ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ସୃଷ୍ଟି ହେବା ସହିତ ରାଜ୍ୟ କୋଷାଗାରକୁ ୭୫୦୦ କୋଟି ଟଙ୍କାର ରାଜସ୍ୱ ମିଳିବା ସମ୍ଭାବନା ଅଛି। ପ୍ରକଳ୍ପକୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କମ୍ପାନି ପକ୍ଷରୁ ସରକାରୀ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି।
ବର୍ତ୍ତମାନ ଜେଏସ୍ପିଏଲ୍ ଅନୁଗୁଳ ଠାରେ ସମନ୍ୱିତ ଇସ୍ପାତ କାରଖାନା ସହିତ ବଡ଼ବିଲ ଠାରେ ଭାରତର ସର୍ବବୃହତ୍ ବାର୍ଷିକ ୯ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପେଲେଟାଇଜେସନ କମ୍ପ୍ଲେକ୍ସ ଓ ଟେନ୍ସା ଠାରେ ବାର୍ଷିକ ୩.୧୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଲୁହାପଥର ଖଣି ରହିଛି।