ଭୁବନେଶ୍ବର : ବନ୍ଦେ ଉତ୍କଳ ଜନନୀ...ଚାରୁ ହାସମୟୀ ଚାରୁ ଭାଷମୟୀ...ଜନନୀ, ଜନନୀ, ଜନନୀ....।
ଓଡ଼ିଆ ଜାତୀୟତା ବନ୍ଧନକୁ ମଜବୁତ କରୁଥିବା ଓ ଓଡ଼ିଆ ସ୍ବାଭିମାନକୁ ଜାଗ୍ରତ କରୁଥିବା ଏହି ସଙ୍ଗୀତ ଆଜି ଏକ ସମୟରେ ଗାଇ ଉଠିଥିଲେ ଓଡ଼ିଆମାନେ। ଠିକ୍ ଅପରାହ୍ନ ୫ଟା ୩୦ରେ। ରାଜ୍ୟର କୋଣ ଅନୁକୋଣରେ...ଗାଁରୁ ସହର ଯାଏ ସବୁଠି ଶୁଭିଥିଲା ଏହି ସଙ୍ଗୀତ। ରାଜ୍ୟ ବାହାରେ, ଦେଶ ବାହାରେ ରହୁଥିବା ଓଡ଼ିଆ ବି ଗାନ କରିଥିଲେ। ସଙ୍ଗୀତ ମାଧ୍ୟମରେ କୋଭିଡ୍ ଯୋଦ୍ଧାଙ୍କୁ ସମସ୍ତେ ଉତ୍ସାହିତ କରିଥିଲେ...ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇଥିଲେ।
/sambad/media/post_attachments/wp-content/uploads/2020/05/b1-300x163.jpg)
କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଜେପି, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ କଥା ହୋଇ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଜଣାଇ ଆଜି ସାରା ରାଜ୍ୟ ଏକ ହୋଇଥିଲା। ଦଳ, ମତ, ବୟସ, ବର୍ଗ ନିର୍ବିଶେଷରେ ସବୁ ଓଡ଼ିଆ ଏଥିେର ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆହ୍ବାନ ଦେବା ପର ଠାରୁ ସୋସିଆଲ୍ ମିଡିଆରେ ଏହି ସଙ୍ଗୀତ ଛାଇ ଯାଇଥିଲା। ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ସମସ୍ତେ ପରସ୍ପରକୁ ଅାହ୍ବାନ ଦେଇଥିଲେ। ଆଜି ନିର୍ଦ୍ଧାରିତ ସମୟ ଅପରାହ୍ନ ୫ଟା ୩୦ରେ ସମସ୍ତେ ଏହାକୁ ଗାନ କରିଥିଲେ। ରାସ୍ତାଘାଟ, ଅଫିସ୍, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁଠି ଲୋକମାନେ ଦଣ୍ଡାୟମାନ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାର ଦୃଶ୍ୟ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ସାରା ଓଡ଼ିଶା ଏକଜୁଟ୍ ହୋଇ କରୋନା ଯୋଦ୍ଧାଙ୍କୁ ସାହସ ଯୋଗାଇବା ସହ ସେମାନଙ୍କ ତ୍ୟାଗ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2020/05/b3-bmc-300x225.jpg)
ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସପରିବାରେ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେଡି କାର୍ଯ୍ୟାଳୟରେ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ସମେତ ସବୁ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ସାମାଜିକ ଦୂରତ୍ବ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଅନ୍ୟ ରାଜନୈତିକ ଦଳର କାର୍ଯ୍ୟାଳୟରେ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2020/05/b6-300x98.jpg)
ଲୋକସେବା ଭବନରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅଶୋକ ପଣ୍ଡା ଓ ରଘୁନନ୍ଦନ ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଓ ସବୁ ବିଭାଗର କର୍ମଚାରୀମାନେ ସମବେତ ହୋଇ ଗାନ କରିଥିଲେ। ସାଧାରଣ ପ୍ରଶାସନ, ସ୍ବାସ୍ଥ୍ୟ, ସଂସଦୀୟ ବ୍ୟାପାର ଓ ଗୃହ ବିଭାଗର ଶତ ପ୍ରତିଶତ କର୍ମଚାରୀ ଉପସ୍ଥିତ ଥିଲା ବେଳେ ଅନ୍ୟ ବିଭାଗଗୁଡ଼ିକ ଅଧିକାଂଶ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ସଚିବ ଦାଶରଥି ଶତପଥୀଙ୍କ ସମେତ ସମସ୍ତ କର୍ମଚାରୀ ବିଧାନସୌଧ ସାମ୍ନାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଖାରବେଳ ଭବନ, ରାଜୀବ ଭବନ ଓ ଲୋକସମ୍ପର୍କ ଭବନରେ ଥିବା ସରକାରୀ ବିଭାଗଗୁଡ଼ିକରେ ବି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ରାଜ୍ୟସାରା ସମସ୍ତ ସରକାରୀ କାର୍ଯ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଜାରି ହୋଇଥିଲା। ସେହି ଅନୁଯାୟୀ ସବୁ ସରକାରୀ କାର୍ଯ୍ୟାଳୟେର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସଙ୍ଗୀତ ଗାନ କରିଥିଲେ।
/sambad/media/post_attachments/wp-content/uploads/2020/05/b2-300x211.jpg)
ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ଭାଇଭଉଣୀମାନେ ଏକ ସଙ୍ଗେ ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଯେପରି ଉତ୍ସାହିତ କଲେ ତାହା ଅଭୂତପୂର୍ବ। ଏଥିରେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବୟସର ଓ ସବୁ ବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ୍ ବିରୋଧରେ ସଂଗ୍ରାମକୁ ଆହୁରି ଦୃଢ଼ କରିବା ସହ ନୈତିକ ଶକ୍ତି ଯୋଗାଇଛି। ସମସ୍ତ ରାଜନୈତିକ ଦଳ ଏହି ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଶା ମାଟିର ଗୌରବ ବୃଦ୍ଧି ସହ ଓଡ଼ିଆ ଜାତିର ସମ୍ମାନକୁ ଶିଖରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ପରିସ୍ଥିତିରେ କରୋନା ବିରୋଧରେ ଲଢ଼େଇ ଲଢ଼ି ଦେଶବାସୀଙ୍କୁ ବଞ୍ଚାଇବା ହିଁ ଦେଶପ୍ରେମ। ଡାକ୍ତର, ନର୍ସ, ପୁଲିସ କର୍ମୀ ଓ ସମାଜସେବୀମାନେ ଦେଶପ୍ରେମର ନିଦର୍ଶନ ଦେଖାଇଛନ୍ତି। ପ୍ରତିଟି ଓଡ଼ିଆ ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛି। ଓଡ଼ିଆ ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Puri-2.jpeg.jpg)