ବାଦ ପଡ଼ୁନି ବିଶ୍ବପ୍ରସିଦ୍ଧ ବୌଦ୍ଧପୀଠ, ଚୋରା ପଥରରେ ପାଚେରି ନିର୍ମାଣ

ଚଣ୍ତିଖୋଲ: ଚୋରା ପଥର ଏବଂ ମୁଣ୍ଡା ସିମେଣ୍ଟରେ ଚାଲିଛି ପାଚେରି ନିର୍ମାଣ। ତାହା ପୁଣି ବଡ଼ଚଣା ବ୍ଳକର ବିଶ୍ବ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିରେ। ନିର୍ମାଣ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନଥିବା ବେଳେ ଯନ୍ତ୍ରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହରିଲୁଟ। ଫଳରେ ଏଥିପାଇଁ ମଞ୍ଜୁର ହୋଇଥିବା ସାଢ଼େ ସାତ କୋଟି ଟଙ୍କା ପାଣିରେ ପଡ଼ିବ। ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଉଦୟଗିରିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ପାହାଡ଼ ଚାରିପାଖରେ ଏବେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଛି। ସାଢ଼େ ୫ କିଲୋମିଟର ପରିଧିକୁ ନେଇ ଉଦୟଗିରି ପାହାଡ଼ ଚାରିପାଖରେ ଏହି ପାଚେରି କାର୍ଯ୍ୟ ହେଉଛି। ଏଥିପାଇଁ ୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ନିର୍ମାଣ ଦାୟିତ୍ବ ଭୁବନେଶ୍ବର ଏସଏସ କନଷ୍ଟ୍ରକସନ ସ˚ସ୍ଥା ନେଇଛି। ପାଚେରି କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟରେ ଭାଗ ମାପ ଠିକ୍‌ ରହୁ ନାହିଁ। ବ୍ୟାପକ ଅନିୟମିତାରେ ନିର୍ମାଣ ହେଉଥିବା ଏହି ପାଚେରିର ସ୍ଥାୟୀତ୍ବ ପ୍ରତି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ଅଶ୍ଚର୍ଯ୍ୟ କଥା ଯେ, ଦର୍ପଣ ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଉତ୍ତୋଳନ ପାଇଁ କୌଣସି ସ୍ଥାନରେ ଲିଜ୍‌ ନଥିଲା ବେଳେ ଏହି ପାଚେରି ନିର୍ମାଣରେ ଶହ ଶହ ଟ୍ରିପ୍ ଚୋରା ମାଙ୍କଡ଼ା ପଥର ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଅଭିଯୋଗ ମୁତାବକ ଏହି ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ଦିଗରେ ଠିକାଦାରୀ ସ˚ସ୍ଥା ଆଦୌ ଧ୍ୟାନ ଦେଉ ନାହିଁ। ଉଚ୍ଚମାନର କାର୍ଯ୍ୟ କରିବାକୁ ଭାରତୀୟ ପତ୍ନତତ୍ତ୍ବ ବିଭାଗ ଯତ୍ନଶୀଳ ହୋଇଥିଲା ବେଳେ ଏଠାରେ କିପରି ନିମ୍ନମାନର କାମ ହେଉଛି, ତାକୁ ନେଇ ଅଞ୍ଚଳବସୀ ପ୍ରଶ୍ନ ଉଠାଇଛନ୍ତି। ନିର୍ମାଣକୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଓଡ଼ିଶାରେ ଥିବା ବିଶିଷ୍ଟ ବୌଦ୍ଧ ପୀଠ ଲଲିତଗିରି, ରତ୍ନଗିରି, ଲାଙ୍ଗୁଡ଼ି, କାଏମା ସମେତ ଉଦୟଗିରି ପରିସୀମାକୁ ଆବଦ୍ଧ କରି ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଅଛି। ଲଲିତଗିରି ଠାରେ ଏହା ଶେଷ ହୋଇଥିଲା ବେଳେ ଲାଙ୍ଗୁଡ଼ି ଓ କାଏମାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଦୟଗିରି ଓ ରତ୍ନଗିରିରେ ପାଚେରି ନିର୍ମାଣ କାର୍ଯ୍ୟ ଅବଧି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ପାଚେରି ନିର୍ମାଣ ପାଇଁ ପ୍ରଥମେ କଳା ମେଟାଲରେ ଢଳେଇ ପକାଯାଇ କାର୍ଯ୍ୟ କରିବା ନିୟମ ଥିଲା ବେଳେ ଠିକାଦାର ନିୟମକୁ ଏଡେ଼ଇ ଦେଉଛନ୍ତି। ପାଚେରିର ସୌନ୍ଦର୍ଯ୍ୟକରଣ ପାଇଁ ରାଜସ୍ଥାନରୁ ଆସିଥିବା ପଥରଗୁଡ଼ିକ ଲଗାଯାଇଥିଲା ବେଳେ କାର୍ଯ୍ୟ ସରିବା ପୂର୍ବରୁ କେତେକ ସ୍ଥାନରେ ଏହା ଭାଙ୍ଗି ଗଳିପଡ଼ିଥିବା ଦେଖିବାକୁ ମିଳିଛି। ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଓଡ଼ିଶା ଅଧୀକ୍ଷକ ଅରୁଣ କୁମାର ମାଲିକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର