ଗଡ଼ିଶାଗୋଦା : କଣାସ ବ୍ଲକ୍ ଦେଇ ପ୍ରବାହିତ ଦୟା, ମକରା, ଲୁଣା ନଦୀ ପାରି ହୋଇ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଯନ୍ତ୍ରଚାଳିତ ଡଙ୍ଗା ସାହାଯ୍ୟରେ ଚିଲିକାକୁ ମାଛ ମାରିବାକୁ ଯାଇଥାନ୍ତି। ତେବେ ମତ୍ସ୍ୟଜୀବୀଙ୍କ ଗମନାଗମନରେ କଲିକତି ଦଳ ବାଧା ସୃଷ୍ଟି କରୁଛି। ଏତେ ମାତ୍ରାରେ ଦଳ ଭର୍ତ୍ତି ହୋଇ ରହିଛି ଯେ ବାରମ୍ବାର ଡଙ୍ଗା ଫସି ରହୁଥିବା ଦେଖିବାକୁ ମିଳୁଛି।
ସ୍ଥାନୀୟ ଦୋକନ୍ଦା, ବଳଭଦ୍ରପୁର, ଜଙ୍କିଆ, ନଇକୂଳପାଟଣା, ଜାଗୁଳାଇପଦର, କଉଡ଼ିଖଣି, ଗଙ୍ଗାଧରପୁର, ସରସ୍ୱତୀନଗର, ହରିହରପାଟଣା, କରମଳା ଗ୍ରାମର ହଜାର ହଜାର ମତ୍ସ୍ୟଜୀବୀ ଯନ୍ତ୍ରଚାଳିତ ଡଙ୍ଗାରେ ଜାଲ, କିଳା ଆଦି ନେଇ ଚିଲିକାକୁ ଯାଇଥାନ୍ତି। ଦୈବୀ ଦୁର୍ବିପାକ ସମୟରେ ଜୀବନ ବଞ୍ଚାଇବା ପାଇଁ ଗାଁକୁ ଫେରିଆସୁଥିବା ବେଳେ ସ୍ଥିତ ସ୍ବାଭାବିକ ହେଲେ ସେମାନେ ପୁଣି ଡଙ୍ଗା ଧରି ଚିଲିକା ଅଭିମୁଖେ ବାହାରିଯାନ୍ତି। ମାତ୍ର ମତ୍ସ୍ୟଜୀବୀଙ୍କ ଯାତାୟାତରେ ବାଧକ ସାଜିଛି କଲିକତି ଦଳ। ଚିଲିକା ମୁହାଣଠାରୁ ବିଭିନ୍ନ ନଦୀ ଭିତରକୁ ଦଳ ଭର୍ତ୍ତି ହୋଇରହିଛି। ପରିସ୍ଥିତି ଏମିତି ଯେ ଯନ୍ତ୍ରଚାଳିତ ଡଙ୍ଗାଗୁଡ଼ିକ ଫେରିବାରେ ବିଫଳ ହୋଇ ଅଧାବାଟରେ ଅଟକି ରହୁଛି। ଏମିତିକି ଅନେକ ମତ୍ସ୍ୟଜୀବୀ ଚିଲିକାକୂଳରେ ଡଙ୍ଗା ରଖି ଗୋଟିଏ ଡଙ୍ଗାରେ ଦଳ ଦଳ ହୋଇ ଯାତାୟାତ କରୁଛନ୍ତି।
ଅନ୍ୟପକ୍ଷରେ କଲିକତି ଦଳ ନଦୀରେ ଭର୍ତ୍ତି ହୋଇ ରହିବା ଫଳରେ ଏହା ପଚିଯାଇ ପାଣିକୁ ଦୂଷିତ କରୁଛି। ଦୂଷିତ ଜଳ ବ୍ୟବହାର କରି ନଦୀକୂଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ନଦୀରେ ଭରପୂର ଦଳ ଜମିଥିବାରୁ ମାଛ ବଂଶ ମଧ୍ୟ ଲୋପ ପାଇବାକୁ ବସିଛି। ଚିଲିକାରେ ମାଛ ମାରିବା ପାଇଁ ଆଗ୍ରହ କମୁଥିବାରୁ ଅନେକ ମତ୍ସ୍ୟଜୀବୀ ବେଉସା ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ନଦୀରୁ ଦଳ ସଫା ଲାଗି ପ୍ରଶାସନ ଦୃଷ୍ଟିଦେବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି।