ଚିନ୍ତାରେ ପକାଇଲାଣି ପଶ୍ଚିମ ଓଡ଼ିଶା

ସମ୍ବଲପୁର ଜିଲ୍ଲାରେ ୫୦% ଉପରେ ଟିପିଆର୍‌, ରାଜ୍ୟରେ ଆଉ ୧୦,୬୫୩ ପଜିଟିଭ୍, ୧୯ ମୃତ

ଭୁବନେଶ୍ବର : ଗତ ଦୁଇଦିନ ଧରି ରାଜ୍ୟରେ ୫୦ହଜାର ନମୁନା ପରୀକ୍ଷା କରାଯାଉଥିଲା। ‌ଫଳରେ ରୋଗୀଙ୍କ ସଂଖ୍ୟା ୧୧ହଜାର ଉପରେ ରହିଥିଲା। ହେଲେ ଗତ ୨୪ଘଣ୍ଟାରେ ରାଜ୍ୟରେ ନମୁନା ପରୀକ୍ଷା ହଠାତ୍ ହ୍ରାସ ପାଇଛି। ବିଶେଷକରି ୭ତାରିଖ ତୁଳନା‌ରେ ଆର୍‌ଟି-ପିସିଆର ନମୁନା ପରୀକ୍ଷା ପ୍ରାୟ ୩ହଜାର କମ୍ ହୋଇଛି। ପରିଣାମସ୍ବରୂପ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦,୬୫୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ୭ତାରିଖରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ତୁଳନାରେ ୧୦ ପ୍ରତିଶତ କମ୍।

ଗୋଟିଏ ପଟେ ରାଜ୍ୟରେ ନମୁନା ପରୀକ୍ଷାରେ ହ୍ରାସ ହୋଇଥିଲେ ହେଁ, ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆରରେ ବିଶେଷ ଫରକ ଦେଖିବାକୁ ମିଳିନାହିଁ। ସମ୍ବଲପୁର ଜିଲ୍ଲାରେ ଟିପିଆର ଲଗାତାର ଭାବେ ୫୦ ପ୍ରତିଶତ ଉପରେ ରହି ଆସୁଛି। ଏପରିକି ନିକଟରେ ଏହି ଜିଲ୍ଲାରେ ଟିପିଆର ୫୭ ପ୍ରତିଶତ ରହିବା ସହିତ ଦେଶର ସବୁଠାରୁ ଅଧିକ ଟିପିଆର ଥିବା ଜିଲ୍ଲା ଭିତରେ ସାମିଲ ହୋଇଥିଲା। ସେହିପରି ଗତ ୨୪ଘଣ୍ଟାରେ କଳାହାଣ୍ଡିରେ ଟିପିଆର ୪୦ ପ୍ରତିଶତ ଉପରେ ରହିଥିବା ରେକର୍ଡ କରାଯାଇଛି। ହେଲେ ଗତ ୨୪ଘଣ୍ଟାରେ ରାଜ୍ୟର ସାମଗ୍ରିକ ଟିପିଆର୍ ୨୧ ପ୍ରତିଶତ ରହିଛି। ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଟିପିଆର ଲଗାତାର ଭାବେ ଅଧିକ ରହିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Berlin.de

ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼କୁ ପଛରେ ପକାଇ ଖୋର୍ଧା ଜିଲ୍ଲା ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟାରେ ୧ନମ୍ବର ସ୍ଥାନକୁ ଆସିଛି। ଖୋର୍ଧାରୁ ୧୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୯୪୩ଜଣ ଚିହ୍ନଟ ହୋଇଛନ୍ତି। ଦୁଇ ଜିଲ୍ଲା ରାଜ୍ୟର କରୋନା ସଂକ୍ରମଣର ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ଉଭା ହୋଇଛନ୍ତି। ଏହାବାଦ୍ କଟକ ୮୮୭, ସମ୍ବଲପୁର ୬୪୧, ଅନୁଗୁଳ ୫୫୯, କଳାହାଣ୍ଡି ୪୬୯, ଝାରସୁଗୁଡ଼ା ୪୫୬, ବରଗଡ଼ ୪୪୩, ପୁରୀ ୪୩୪, ନବରଙ୍ଗପୁର ୩୩୬, ନୂଆପଡ଼ା ୩୨୪ ଓ ଷ୍ଟେଟ୍ ପୁଲରୁ ୨୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ହଜାର ୮୪୨କୁ ବୃଦ୍ଧି ପାଇଛି। ରାଜ୍ୟର ୨୪ଟି ଜିଲ୍ଲା ଏବେ ରେଡ୍ ଜୋନ୍‌ରେ ଥିବା ବେଳେ ବଳକା ୬ଟି ଜିଲ୍ଲା ୟେଲୋ ଜୋନ୍‌ରେ ରହିଛି।

ରାଜ୍ୟରେ ପୁଣି ୧୯ଜଣ ସଂକ୍ରମିତ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଧା, କଳାହାଣ୍ଡିରେ ୩ଜଣ ଲେଖାଏଁ, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା ଓ ଅନୁଗୁଳରେ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ସର୍ବାଧିକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ୮୫୪୧ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୪୭ହଜାର ୮୬୩ରେ ପହଞ୍ଚିଛି।

ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୮୩ ପ୍ରତିଶତ ରହିଛି। ଗତ ୧ମାସରୁ ଅଧିକ ସମୟ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହୋଇଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ୮୪ହଜାର ୭୪୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର