ମୁଣ୍ଡ ପିଛା ଋଣ ବଢ଼ୁଥିବାରୁ ଗୃହରେ ଉଦ୍‌ବେଗ

ବିକାଶ ପାଇଁ ଋଣ କରିବାରେ ଅସୁବିଧା‌ ନାହିଁ

ଭୁବନେଶ୍ବର : ରାଜ୍ୟ ଯୋଜନା ବହୁତ। ଚପଲ, ସାଇକେଲ, ଛତା ଠାରୁ ଆରମ୍ଭ କରି ପିଠା ଯାଏ। ଏଥିରେ ଆପତ୍ତି ନାହିଁ। କିନ୍ତୁ ଋଣ କରି ଏତେ କାମ କରିବା ଗ୍ରହଣଯୋଗ୍ୟ ହେଉ ନାହିଁ। ରାଜ୍ୟରେ ଋଣ ଭାର ଆସି ୧ ଲକ୍ଷ କୋଟି ଟପିଗଲାଣି। ମୁଣ୍ଡ ପିଛା ଋଣ ୨୩ ହଜାର ଟପିଛି। ଏପରିକି ଋଣ କରି କର୍ମଚାରୀଙ୍କୁ ଦରମା ଦିଆଯାଉଛି। ଏପରି ରାଜ୍ୟ ଦେଶରେ କେଉଁଠି ନ ଥିବ। ଆଜି ବିଧାନସଭାର ପ୍ରଶ୍ନକାଳରେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ରାଜ୍ୟ ସରକାରଙ୍କୁ ଏମିତି ସମାଲୋଚନା କରିଥିଲେ।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ମା’ ପେଟରେ ଥିବା ଛୁଆ ମୁଣ୍ଡରେ ବି ଋଣବୋଝ। ୨୦୦୦ ମସିହାରେ ରାଜ୍ୟର ଋଣ କଥା କହି କହି ବିଜେଡି ଶାସନକୁ ଆସିଲା। ଗାଁ ଗାଁରେ ‌କେବଳ ଏହି କଥା ହିଁ ପ୍ରଚାର କରାଗଲା। ଆଜି ଋଣ ଭାର କାହିଁକି ବଢ଼ିଛି?

ତେବେ ବିଧାୟକଙ୍କ ଏପରି ଅଭିଯୋଗକୁ ଗ୍ରହଣ କରି ନ ଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଥିଲେ ଯେ ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଋଣ କରାଯାଏ। ଯାହା ଋଣ କରାଯାଉଛି, ‌ତାହା କେବଳ ବିକାଶ କାର୍ଯ୍ୟରେ ହିଁ ଖର୍ଚ୍ଚ ହେଉଛି। ସବୁ ରାଜ୍ୟ ଋଣ କରୁଛନ୍ତି। ଆମେ ୨୫% ପର୍ଯ୍ୟନ୍ତ ଋଣ କରିବାକୁ ସକ୍ଷମ। କିନ୍ତୁ ଆମେ ତାହାର ବହୁତ ତଳେ ଅଛୁ। କର୍ଣ୍ଣାଟକଙ୍କୁ ବାଦ୍ ଦେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ଋଣ ଭାର କମ୍। ଖୁବ୍ ଶୀଘ୍ର କମ୍ ଋଣ ନେଇଥିବା ରାଜ୍ୟ ତାଲିକାରେ ଆମେ ଏକ ନମ୍ବରରେ ରହିବୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସଞ୍ଜୀବ ହୋତା କମିଟି ରିପୋର୍ଟ ଗ୍ରହଣ କରିବାକୁ ଗୃହରେ ବାରମ୍ବାର କହିଆସିଛି। ଅଧିକ ରାଜସ୍ବ ପାଇଁ ସରକାର ସବୁ ଖଣିକୁ ହାତକୁ ନିଅନ୍ତୁ। ଅଧିକ ଲାଭ ହେବ। ସରକାର ଖଣି ମାଲିକଙ୍କୁ ସୁହାଇଲା ପରି ଗୋଳିଆ ଆଇନ ତିଆରି କରିଥିଲେ। ହାଇକୋର୍ଟ ତାହାକୁ ନାକଚ କରିଦେଲେ। ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ୧୦ ବର୍ଷ ହେଲା ସେଠାରେ ମାମଲା ପଡ଼ି ରହିଛି। ସରକାର ମାମଲାକୁ ପ୍ରତ୍ୟାହାର କରୁ ନାହାନ୍ତି କି ନୂଆ ଆଇନ ପ୍ରସ୍ତୁତ କରୁ ନାହାନ୍ତି। କେବଳ ବିଚାର କରିବୁ ବୋଲି ମନ୍ତ୍ରୀ କହୁଛନ୍ତି। ଟ୍ୟାକ୍ସିଂ ମିନେରାଲ୍‌ ବିଅରିଂ ଲ୍ୟାଣ୍ଡ୍‌ ଆଇନ୍‌ କେବେ ଲାଗୁ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ କହିଥଲେ, ସଞ୍ଜୀବ ହୋତା କମିଟି ରିପୋର୍ଟକୁ ପରୀକ୍ଷା ନୀରିକ୍ଷା କରିଛୁ। ରାଜ୍ୟର ହିତ ପାଇଁ ଯାହା ଦରକାର ତାହାକୁ ଆମେ ଗ୍ରହଣ କରିଛୁ। ଯେଉଁ ମାମଲା କୋର୍ଟରେ ବିଚାରାଧୀନ ଅଛି ସେ ସମ୍ପର୍କରେ ମତ ଦେବା ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ଶାସକ ଦଳ ସଭ୍ୟ ପ୍ରଦୀପ ଅମାତ ଓ ଅମର ଶତପଥୀ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର