ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

ଉପନିର୍ବାଚନ ଫଳାଫଳକୁ ନେଇ ଚାଲିଛି ବ୍ୟବଚ୍ଛେଦ

ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଶେଷ ମୁହୂର୍ତରେ ସ୍ବାଧୀନ ପ୍ରାର୍ଥୀ ଭାବେ ଆବିର୍ଭାବ ହେଲେ। ପ୍ରାର୍ଥୀ ଚୟନ କ୍ଷେତ୍ରରେ କାର୍ପଟଦାର ବିଜେଡି ନେତାମାନେ ଅଭିଜ୍ଞଙ୍କ ଭଳି ଯେଉଁ ମନମାନି କଲେ, ତାହା ଏପରି ଗୋଟିଏ ପରିସ୍ଥିତି ସୃଷ୍ଟି କଲା। ବିଜେଡି କ୍ଷମତାଶାଳୀ ଗୋଷ୍ଠୀର ଏହି ଗୋଟିଏ ନିଷ୍ପତ୍ତି ଧାମନଗର ଉପନିର୍ବାଚନ ଫଳାଫଳକୁ ଗୋଳମାଳ କରିଦେଲା। ପରିଣାମ ହେଲା-ବିଜେଡିର ବିଜୟ ଧାରାକୁ ଭାଙ୍ଗି ବିଜେପି ଏହି ଉପନିର୍ବାଚନକୁ ଅତି ସହଜରେ କରାୟତ କରିନେଲା।

ଠିକ୍ ସେମିତି, ପୁଳା ପୁଳା ଯୋଜନା, ମାଳ ମାଳ ଘୋଷଣା; ବିଧାୟକ ଓ ମନ୍ତ୍ରୀଙ୍କ ବ୍ୟାପକ ସମରସଜ୍ଜା ପରେ ବି ଆୟତ୍ତକୁ ଆସୁନଥିଲା ପଦ୍ମପୁର ନିର୍ବାଚନମଣ୍ଡଳୀ। ଶେଷ ମୁହୂର୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଏବଂ କଂଗ୍ରେସ ଭୋଟ ବ୍ୟାଙ୍କ ଶାସକ ବିଜେଡି ପାଇଁ ସଂଜୀବନୀ ସାଜିଲା। କିଏ କେତେ ବି ନିଜ ନିଜର ବାହାସ୍ଫୋଟ ମାରନ୍ତୁ; ଗତ ତିନି ଦଶନ୍ଧି ଧରି ‘ହାତ’ ସହ ଯୋଡି ହୋଇ ରହିଥିବା ଭୋଟର କଂଗ୍ରେସକୁ ମୁହଁମୋଡ଼ିଦେବା, ବିଜେଡି ନିର୍ବାଚନ ବିଜୟ ପଛର ଅନେକ କାରଣ ମଧ୍ୟରୁ ଗୋଟିଏ ବଡ଼ କାରଣ ବୋଲି ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ।

ଯଦିଓ ପଦ୍ମପୁର ବିଜୟକୁ ନେଇ ୩୬ ଘଣ୍ଟା ଧରି ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ କାଦୁଅଫିଙ୍ଗା ଚାଲିଛି ଏବଂ ସମସ୍ତେ ନୂଆ ନୂଆ ସୂତ୍ର କାଢ଼ି ପରସ୍ପର ବିରୋଧରେ ବିଷୋଦ୍‌ଗାର କରୁଛନ୍ତି, ଉଭୟ ବିଜେଡି ଏବଂ ବିଜେପିର ରଣନୀତିକାରମାନେ କିନ୍ତୁ ଭିନ୍ନ ଚିନ୍ତାରେ ଅଛନ୍ତି। ବିଜେଡିର ଶୀର୍ଷନେତୃତ୍ବ ଧାମନଗର ପରାଜୟରେ ଚିନ୍ତିତ ଥିବା ଭଳି ସ୍ଥିତି ପଦ୍ମପୁରରେ ନାହିଁ। ସମସ୍ତେ ଖୁସି ଅଛନ୍ତି। ଅଥଚ କେହି ଜଣେ ବି ଉପନିର୍ବାଚନ ଫଳାଫଳ ଦେଢ଼ବର୍ଷ ପରେ ଅର୍ଥାତ୍ ୨୦୨୪ରେ ସୁରକ୍ଷିତ ରହିବ, ଏ ନେଇ ଆଶ୍ବସ୍ତ ନାହାନ୍ତି। ଠିକ୍ ସେହିଭଳି ଧାମନଗର ବିଜୟରେ ଅତି ଉତ୍ସାହିତ ହୋଇପଡ଼ିଥିବା ବିଜେପି ନେତା ଏବେ ଗମ୍ଭୀର ମୁଦ୍ରାରେ। ପଦ୍ମପୁରରେ ପରାଜୟର କାରଣ ସଂପର୍କରେ ଦଳର ନେତା ଏବଂ କର୍ମୀଙ୍କ ମନରେ ଏବେ ଯେଉଁ ଶହ ଶହ ପ୍ରଶ୍ନ ଉଙ୍କି ମାରୁଛି, ତା’ର ଉତ୍ତର ଦେଇନପାରି ସନ୍ତୁଳି ହେଉଛନ୍ତି ଦଳର ଶୀର୍ଷ ନେତୃତ୍ବ। ପରାଜୟର ଠୋସ୍ କାରଣ ଜାଣିଛନ୍ତି। ମାତ୍ର ହଜମ କରିପାରୁନାହାନ୍ତି କି ପ୍ରକାଶ କରିବା ସ୍ଥିତିରେ ମଧ୍ୟ ନାହାନ୍ତି।

‘ରାଜୁ ଦାସ’ମାନେ ବିଜେଡି ପାଇଁ ଆହ୍ବାନ
କଂଗ୍ରେସ ଭୋଟ, ସଂଗଠନ ବିଜେପିକୁ ବିପଦ
ତଥାପି ଚେତିନାହାନ୍ତି କଂଗ୍ରେସ ନେତା

ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ ଅଳ୍ପ କିଛି ଦିନ ଅନ୍ତରରେ ପ୍ରକାଶ ପାଇଥିବା ଉଭୟ ଉପନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଭିନ୍ନ ଚିତ୍ର ଆଙ୍କୁଛନ୍ତି। ଏହି ମହଲର ଯୁକ୍ତି ହେଉଛି- ଉଭୟ ଉପନିର୍ବାଚନରେ ଭୋଟରଙ୍କ ମନୋଭାବ ଏବଂ ଆଚରଣରେ ବଡ଼ ‘ପରିବର୍ତ୍ତନ’ ସଙ୍କେତକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ଅତି ସ୍ପଷ୍ଟ ଭାବେ କହିଲେ, ଧାମନଗରରେ ଦଳ ସପକ୍ଷରେ ଅନୁକମ୍ପା ଭୋଟ ଗୋଟିଏ କାରଣ ଥିଲା। ମାତ୍ର ଏହାଠାରୁ ବଡ଼ କାରଣ ହେଲା- ଅସନ୍ତୁଷ୍ଟ ବିଜେଡି ନେତା ବା ସ୍ବାଧୀନ ପ୍ରାର୍ଥୀଙ୍କ ଆବିର୍ଭାବ। ପଦ୍ମପୁରରେ ସେଭଳି ସ୍ଥିତି ନଥିଲା ବା ଭାରତୀୟ ଜନତା ପାର୍ଟିକୁ ଜିତିବାକୁ ହେଲେ ସବୁ ନିର୍ବାଚନମଣ୍ଡଳୀରେ ‘ରାଜୁ ଦାସ’ମାନେ ମିଳିବେ ନାହିଁ; ଏକଥା ସେମାନେ ବୁଝିଯିବା ଉଚିତ୍‌।

The New Indian Express

ସେହିଭଳି ପଦ୍ମପୁର ସଫଳତାର ଉତ୍ସବ ମନେଇବା ବେଳେ ବିଜେଡି ନେତାମାନେ ବି ହେଜିବା ଉଚିତ୍‌ ଯେ ସେମାନଙ୍କର ଆକାର ଏବଂ ଅଭିଜ୍ଞତା ଯାହା ସେଥିରେ ୨୦୨୪ ବେଳକୁ ବି ବ୍ୟାପକ ସମରସଜ୍ଜା ଓ ସ୍ବତନ୍ତ୍ର କୌଶଳ ପ୍ରୟୋଗ କରିପାରନ୍ତି। ହେଲେ ନିର୍ବାଚନ ଫଳାଫଳକୁ ଏପଟସେପଟ କରିବା ଲାଗି ସଂପ୍ରତି ୧୪୭ ନିର୍ବାଚନମଣ୍ଡଳୀରେ ଏତେ ବଡ ଭୋଟ ବ୍ୟାଙ୍କ କଂଗ୍ରେସର ଆଉ ନାହିଁ। ଅତଏବ ରଣନୀତିକାରମାନେ ଯେଉଁସବୁ କୌଶଳ ଉପନିର୍ବାଚନରେ ପ୍ରୟୋଗ କଲେ, ସେଥିରୁ ସମସ୍ତ ତ୍ରୁଟି ବିଚ୍ୟୁତିକୁ ଏକାଠି କରି ୨୦୨୪ ନକ୍ସା ପ୍ରସ୍ତୁତ କରିବାକୁ ହେବ। ବିଶେଷକରି ଏତେ ସବୁ ବିପର୍ଯ୍ୟୟ ପର ବି କଂଗ୍ରେସ ଘର ସଜାଡ଼ିବା ଦିଗରେ ସର୍ବନିମ୍ନ ଉଦ୍ୟମ କରୁନଥିବାରୁ ରାଜ୍ୟର ସିଂହଭାଗ ନିର୍ବାଚନମଣ୍ଡଳୀରେ ୨୦୨୪ରେ ବିଜେଡି-ବିଜେପି ମଧ୍ୟରେ ଦ୍ବିପାକ୍ଷିକ ଲଢ଼େଇର ସୁଯୋଗ ରହୁଛି। ବିଜେଡିର କାର୍ପଟଦାର ଗୋଷ୍ଠୀ ଯଦି ହାମ୍‌ବଡା ନୀତିରେ ଦଳରେ ଥିବା ରାଜୁ ଦାସମାନଙ୍କ ସଂପର୍କରେ ସତର୍କ ନ ରହନ୍ତି, ତେବେ ଭୋଟ ଗଣିତ ଗଡ଼ବଡ ହେବା ବିଚିତ୍ର ନୁହେଁ।

India Today

ଆହୁରି ବଡ଼ କଥା ହେଲା, ବଳକା ଯେଉଁ ସବୁ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଭୋଟ୍ ବ୍ୟାଙ୍କ ରହିଛି, ତାହା ଯଦି ଉଜୁଡ଼ିଯିବ ଅଥବା ସଦ୍ୟ ଜାତୀୟ ଦଳର ମାନ୍ୟତା ପାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଭିନ୍ନ ଦୃଷ୍ଟି ଭଙ୍ଗୀରେ ଓଡ଼ିଶାରେ ପ୍ରବେଶ କରିବ, ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଉପକୂଳ, ପଶ୍ଚିମ ଓଡ଼ିଶାର କିଛି ନିର୍ବାଚନମଣ୍ଡଳୀରେ ନିର୍ବାଚନ ଉପରେ ଅବଶ୍ୟ ପ୍ରଭାବ ପଡ଼ିବ। ରାଜ୍ୟ ରାଜନୀତିରର ଅସନ୍ତୁଷ୍ଟ ନେତାମାନେ ଏହି ମଞ୍ଚରେ ଅତି ସହଜରେ ଏକାଠି ହେବାର ସମ୍ଭାବନାକୁ ଆଦୌ ଅଣଦେଖା କରିହେଉନାହିଁ।
ବିଜେଡି ଶୀର୍ଷସ୍ତରରୁ ମିଳୁଥିବା ସୂଚନା ଅନୁସାରେ, ସଦ୍ୟ ଦୁଇ ଉପନିର୍ବାଚନ ଫଳାଫଳକୁ ଦଳର ମୁଖିଆ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ଖୁବ୍‌ଶୀଘ୍ର ନୂଆ କିଛି ନିଷ୍ପତ୍ତି ସାମ୍ନାକୁ ଆସିପାରେ। ସେପଟେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଇତିମଧ୍ୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସଂପର୍କରେ ସମୀକ୍ଷା କରିଥିବା ଜଣାଯାଇଛି। ରାଜ୍ୟରେ ଜଣେ ସର୍ବମାନ୍ୟ ନେତା ସୃଷ୍ଟିରେ ବିଫଳ ହୋଇଥିବା ଓଡ଼ିଶା ବିଜେପି ତୃଣମୂଳ ଯାଏ ଆଦୌ ସଂଗଠିତ ନ ଥିବା ପ୍ରସଙ୍ଗ ତାଙ୍କ ଦୃଷ୍ଟିରୁ ବାହାରିଯାଇନାହିଁ। ରାଜ୍ୟ ସଭାପତି ଓ ସଂଗଠନ ସଂପାଦକଙ୍କ ସହିତ ଆଲୋଚନା ବେଳେ ସେ ଏ ନେଇ ବାରମ୍ବାର ଠାରିଛନ୍ତି। ଏଣୁ ରାଜ୍ୟ ବିଜେପି ସଂଗଠନରେ ଏହାର କିଛି ପ୍ରଭାବ ପଡ଼ିପାରେ।

ଅନ୍ୟପକ୍ଷରେ କ୍ରମାଗତ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଯେ ଆତ୍ମ ସଚେତନ ହେଲେଣି, ତାହା ଏଯାଏ କେହି ମଧ୍ୟ ଅନୁଭବ କରିପାରୁନାହାନ୍ତି। ସମସ୍ତେ ଏକାଠି ହେବା ଦୂରେ ଥାଉ ବରଂ ଦିନକୁ ଦିନ ଖଣ୍ଡ ଖଣ୍ଡ ହେବାରେ ଲାଗିଛି ‘ହାତ’। ଏପରିସ୍ଥଳେ ଦଳରେ ଯେଉଁ କିଛି ଟାଣୁଆ ନେତା ଅଛନ୍ତି, ସେମାନେ ଯଦି ସୁବିଧା ଦେଖି ଅନ୍ୟ ଆଡେ଼ ବାଟଭାଙ୍ଗିବେ, ତେବେ ଆଗକୁ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ।

ସମ୍ବନ୍ଧିତ ଖବର