ବିପଦ ବଢ଼ାଇଲେ ତୃତୀୟ ସଂକ୍ରମିତ : ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ, ୧୧ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୧୨ଜଣ ବ୍ୟକ୍ତି ଆସିଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରୁ ଲୋକମାନଙ୍କ ତାଲିକା ସଂଗ୍ରହ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ନମୁନା ସଂଗ୍ରହ କରି ପଠାଇଥିବା ବେଳେ ଜ‌ଣଙ୍କର ନମୁନା ନେଗେଟିଭ୍ ରହିଛି। ବାକି ୧୦ଜଣଙ୍କ ନମୁନା ରିପୋର୍ଟ ଆସି ନ ଥିବା ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ତୃତୀୟ ସଂକ୍ରମିତ ବ୍ୟକ୍ତି ଜଣକ ଯେଉଁ ବିମାନରେ ଆସିଥିଲେ ସେଥିରେ ୩୨ଜଣ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅ, ଡ୍ରାଇଭର, ସହାୟିକା, ବ୍ୟାଙ୍କରେ ୪୪ଜଣ ସହଯୋଗୀ, ବିଧାନସଭାର ୭ଜଣ କର୍ମଚାରୀ, ଚିକିତ୍ସିତ ହେଉଥିବା କ୍ଲିନିକ୍‌ରେ ୨୧ଜଣ, ରକ୍ତ ପରୀକ୍ଷା ହୋଇଥିବା ପାଥୋଲାବ୍‌ରେ ୩ଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏହି ସମସ୍ତ ବ୍ୟକ୍ତିଙ୍କୁ ତାଲିକା ପ୍ରସ୍ତୁତ ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ଦକ୍ଷିଣ କୋରିଆର ୩୧ନଂ ରୋଗୀ ଯେଉଁ ଭଳି ଭାବେ ସୁପର ସ୍ପ୍ରେଡର ବା ଦ୍ରୁତ ସଂକ୍ରାମକ ହୋଇଥିଲେ, ରାଜ୍ୟରେ ମଧ୍ୟ ଏହି ତୃତୀୟ ସଂକ୍ରମିତ ବ୍ୟକ୍ତି ଜଣକ ସୁପର ସ୍ପ୍ରେଡର ହେବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫୬ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ପ୍ରଥମ ଦୁଇ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୫ଜଣ ବ୍ୟକ୍ତି ଆସିଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ କରାଯାଇଛି। ପ୍ରଥମ ଦୁଇ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତୃତୀୟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। ‌ଏହାସହ ୩ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫୬ଜଣ ବ୍ୟକ୍ତି ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିଛନ୍ତି। ୧୦୪ ସହାୟତା ନମ୍ବର ଓ ପୋର୍ଟାଲ ଜରିଆରେ ୭୦୮୦ଜଣ ଲୋକ ପଂଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୨୮୬ଜଣ ବିଦେଶ ଫେରାନ୍ତ ଥିବା ବେଳେ ୨୭୯୪ଜଣ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଥିଲେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଯେଉଁ ନିର୍ଦେଶାବଳୀ ଜାରି କରିଛି ସେହି ଅନୁଯାୟୀ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କେଉଁ କେଉଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ତାହାକୁ ଗୁରୁତ୍ବ ଦିଆଯାଉଛି। ଏହାକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମତଃ ଯେଉଁ ବ୍ୟକ୍ତି କୋଭିଡ-୧୯ ବ୍ୟକ୍ତିଙ୍କ ସହ ବସବାସ କିମ୍ବା ସଂକ୍ରମିତ ପରିବେଶରେ ରହୁଥିବେ, ଦ୍ବିତୀୟରେ କୋଭିଡ-୧୯ ବ୍ୟକ୍ତି ଜଣକ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେଠାରେ ଥିବା ସ୍ବାସ୍ଥ୍ୟକର୍ମୀ ତାଙ୍କର ଲାଳ, ଛେପ କିମ୍ବା ଅନ୍ୟ ସଂସ୍ପର୍ଶରେ ଆସିବା ଓ ରୁଦ୍ଧ ଘରେ ୧ମିଟର ବ୍ୟବଧାନରେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର