ବରଗଡ଼: ବରଗଡ଼ ଜିଲ୍ଲାର ରାଜନୀତି ପାଣିପାଗ ଉଷ୍ଣ ହୋଇଛି। ଯାହା ସ୍ଥିତି, ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଚିନ୍ତା ଦ୍ବିଗୁଣିତ ହେବ। ବିଶେଷକରି ବିଜେପୁର ଉପନିର୍ବାଚନରେ ଦଳ ଭିତରେ ଥିବା ପୁରୁଣା ତିକ୍ତତା ଆହୁରି ଘାଇଲା କରିବ। ମନ୍ତ୍ରୀ ରୀତା ସାହୁ ଏବଂ ବିଧାୟକ ସୁଶାନ୍ତ ସିଂଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ଏବଂ ଗୋଷ୍ଠୀ ମଧ୍ୟରେ ଥିବା ଫାଟ କ୍ରମଶଃ ବଢ଼ି ଚାଲିଛି। ସଦ୍ୟ ଏକ ଘଟଣା ଏହି ଆକଳନକୁ ଆହୁରି ଦୃଢ଼ କରୁଛି। କିଛି ଦିନ ତ‌ଳେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଲକ୍‌ କଦଳୀପାଲିସ୍ଥିତ ଲୋକନାଥ ମନ୍ଦିରରେ ଜଳାଭିଷେକ କାର୍ଯ୍ୟକ୍ରମ ଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବିଜେଡି ଜିଲ୍ଲା ସଭାପତି ପ୍ରଭାସ ସିଂ, ବିଜେପୁର ଏନ୍ଏସି ଅଧ୍ୟକ୍ଷା ସୀତା ବାରିକ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ଏପିକଲ୍‌ ଅଧ୍ୟକ୍ଷ ପ୍ରଭାତଆଦିତ୍ୟ ମିଶ୍ର, ଗୌରହରି ମିଶ୍ର, ଡବ୍ଲୁଓଡିସି ଉପଦେଷ୍ଟା ନାରାୟଣ ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ଅନ୍ୟ ଦଳୀୟ ପଦାଧିକାରୀ ସାମିଲ ଥିଲେ। ଯେଉଁ ପଦାଧିକାରୀମାନେ ଜଳାଭିଷେକରେ ସାମିଲ ଥିଲେ, ସେମାନେ ସମସ୍ତେ ସୁଶାନ୍ତ ସିଂଙ୍କ ଅନୁଗତ। କିନ୍ତୁ ବରପାଲିରେ ଘର ଥାଇ ବି ମନ୍ତ୍ରୀ ରୀତା ସାହୁ ଏଥିରେ ସାମିଲ ହେଲେ ନାହିଁ। ଜଳାଭିଷେକ କାର୍ଯ୍ୟକ୍ରମ ରୀତା ସାହୁଙ୍କ ଇଲାକାରେ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି।

Advertisment

ସୋସିଆଲ୍‌ ମିଡିଆରେ ଥିବା ଫଟୋ ବି ଏହି କଥା ବୟାନ କରୁଛି। ସେହିପରି କିଛି ଦିନ ତଳେ ମନ୍ତ୍ରୀ ରୀତା ସାହୁଙ୍କ ସମର୍ଥକ ବରପାଲି ବ୍ଲକ୍‌ ବାଗବାଡ଼ିଠାରେ ଜଳାଭିଷେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ କଦଳୀପାଲିରେ ଯୋଗ ଦେଇଥିବା କୌଣସି ନେତୃବୃନ୍ଦଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। କଥା ଏତିକିରେ ସୀମିତ ନୁହଁ। ନିର୍ବାଚନମଣ୍ଡଳୀରେ ବରପାଲି, ବିଜେପୁର ଏବଂ ଗାଇସିଲାଟ୍‌ରେ ରୀତା ସାହୁ ଯୋଗ ଦେଉଥିବା କାର୍ଯ୍ୟକ୍ରମରେ ସୁଶାନ୍ତ ସିଂଙ୍କ ଅନୁଗତଙ୍କୁ ଦେଖିବାକୁ ମିଳୁନାହିଁ। କେବଳ ଜିଲ୍ଲା ସଭାପତି ପ୍ରଭାସ ସିଂ କିଛି କାର୍ଯ୍ୟକ୍ରମରେ ରହୁଛନ୍ତି। ଯେଉଁଠି ମନ୍ତ୍ରୀ ରୀତା ସାହୁଙ୍କ କାର୍ଯ୍ୟକ୍ରମ ହେଉଛି, ସମାନ୍ତରାଳ ଭାବେ ସୁଶାନ୍ତ ସିଂଙ୍କ ସମର୍ଥକ ବି କାର୍ଯ୍ୟକ୍ରମଟିଏ କରୁଛନ୍ତି। ଏହି ଖୋଲାଖୋଲି ଟକ୍କର୍‌ ବିଜେଡିକୁ ଅଡ଼ୁଆରେ ପକାଇବ ବୋଲି କହାଯାଉଛି।