ଭୁବନେଶ୍ବର : ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢ଼ୁଛି ରାଗିଂ। ‌ଯୌନ ନିର୍ଯାତନା ପରି ଅଭିଯୋଗ ଶୀର୍ଷରେ। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପଦକ୍ଷେପ ନେଇଛି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଛାତ୍ରୀ ଓ ମହିଳା କର୍ମଚାରୀ ଯେପରି ସୁରକ୍ଷିତ ଭାବେ କ୍ୟାମ୍ପସରେ ଚଳପ୍ରଚଳ କରିପାରିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ୨୦୨୨ରେ ୟୁଜିସି ପକ୍ଷରୁ ଗଠିତ କମିଟିର ଗାଇଡ୍‌ଲାଇନ୍‌କୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ ହେବ। ଆଇସିସି ସଦସ୍ୟମାନଙ୍କ ଫୋନ୍‌ ନମ୍ବର ସହ ଅନ୍ୟାନ୍ୟ ତଥ୍ୟ ‌ଶିକ୍ଷାନୁଷ୍ଠାନ ୱେବସାଇଟ୍‌ରେ ଉପଲବ୍ଧ କରାଇବେ ଏବଂ କ୍ୟାମ୍ପସର ପ୍ରମୁଖ ସ୍ଥାନ, ବିଭାଗର ନୋଟିସ୍‌ ବୋର୍ଡ, ଅଫିସ୍‌, ହଷ୍ଟେଲ, ପ୍ରେକ୍ଷାଳୟ, କ୍ରୀଡ଼ା ଷ୍ଟାଡିୟମ୍‌ରେ ଲଗାଇବେ। ବିଲ୍‌ଡିଂ ନିକଟରେ ଅଭିଯୋଗ ବାକ୍ସ ରହିବ। ‌ଯୌନ ନିର୍ଯାତନା କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକ ଶୂନ୍ୟ ସହନଶୀଳ ନୀତି ଆପଣାଇବେ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସଚେତନ କରାଇବା ଲାଗି ଆଲୋଚନାଚକ୍ର, ପ୍ରତିଯୋଗିତା, ପ୍ରଦର୍ଶନୀ, ବକ୍ତୃତା, ଫିଲ୍ମ ପ୍ରଦର୍ଶନ ଆଦି କରାଯିବ।

publive-image

ଛାତ୍ରଛାତ୍ରୀ କ୍ୟାମ୍ପସରେ କିଭଳି ବ୍ୟବହାର କରିବେ ସେନେଇ ନୀତି ଓ ନିୟମକୁ ନେଇ ପ୍ରସ୍ତୁତ ହେଉଥିବା ହ୍ୟାଣ୍ଡବୁକ୍‌ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଆଇସିସି ସଦସ୍ୟଙ୍କ ହେଲ୍‌ପ ଲାଇନ୍‌ ନମ୍ବର, ଛାତ୍ରଛାତ୍ରୀଙ୍କ କାଉନ୍‌ସେଲ୍‌ର, ଆଣ୍ଟିରାଗିଂ ସେଲ୍‌, ପ୍ରୋକ୍ଟର ଅଫିସ୍‌, ମେଡିକାଲ ଜରୁରୀ ସୁବିଧା, ସ୍ବାସ୍ଥ୍ୟକେନ୍ଦ୍ର, କ୍ୟାଣ୍ଟିନ୍‌ ଆଦି ବିଷୟରେ ହ୍ୟାଣ୍ଡ୍‌ବୁକ୍‌ରେ ଉଲ୍ଲେଖ ରହିବ। ଛାତ୍ରଛାତ୍ରୀଙ୍କ ମନସ୍ତତ୍ତ୍ବ ଓ ଦୁର୍ବଳପଣ ଦୂର ଲାଗି କ୍ୟାମ୍ପସରେ ପ୍ରଫେସନାଲ କାଉନସେଲିଂ ସେବା ଉପଲବ୍ଧ କରାଇବେ। ମହିଳାଙ୍କ ଲାଗି ସ୍ବଚ୍ଛତା ଉପଲବ୍ଧ, ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ, ସାବୁନ୍‌, ଡଷ୍ଟବିନ୍‌, ସାନିଟାରି ପ୍ୟାଡ୍‌ ନଷ୍ଟ ସୁବିଧା ଓ ଭେଣ୍ଡିଂ ମେସିନ୍‌ ଉପଲବ୍ଧ କରିବା ଉପରେ ଗୁରୁତ୍ବ ଦେବେ। ଖେଳପଡ଼ିଆ, ସର୍ବସାଧାରଣ ପାର୍କରେ ଫ୍ଲଡ୍‌ ଲାଇଟ୍ ସୁବିଧା ଉପଲବ୍ଧ କରାଯିବ।

କ୍ୟାମ୍ପସର ସମସ୍ତ ରାସ୍ତା, କେନ୍ଦ୍ରୀୟ ଲାଇବ୍ରେରି, ହଷ୍ଟେଲ ଓ ପାର୍କିଂରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବେ। କ୍ୟାମ୍ପସର କୌଣସି ସ୍ଥାନ ଅନ୍ଧାର ରହିବ ନାହିଁ। ଛାତ୍ରୀ ତଥା ମହିଳା କର୍ମଚାରୀଙ୍କୁ ନେବା ଆଣିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ନିୟୋଜିତ ଗାଡ଼ିଗୁଡ଼ିକରେ ବିଶ୍ବସ୍ତ କର୍ମଚାରୀ ନିଯୁକ୍ତ ହେବା ଆବଶ୍ୟକ।
ରାସ୍ତା, ଖେଳପଡ଼ିଆ, ପାର୍କ, ଷ୍ଟାଡିୟମ୍‌, ଲାବରେଟୋରି, ଲାଇବ୍ରେରି, ପାର୍କିଂ ସ୍ଥଳରେ ସିସିଟିଭି ଲଗାଇ ଛାତ୍ରଛାତ୍ରୀ, ଷ୍ଟାଫ୍‌ ଓ ଆସୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖାଯିବ। କ୍ୟାମ୍ପସ ପ୍ରବେଶ ସମୟରେ ବ୍ୟକ୍ତିବିଶେଷଙ୍କୁ ପାସ୍‌ ଇସ୍ୟୁ କରାଯିବାର ବ୍ୟବସ୍ଥା ରହିବ। ଶିକ୍ଷାନୁଷ୍ଠାନ ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଛାତ୍ରୀ ତଥା ମହିଳା କର୍ମଚାରୀଙ୍କ ବିଭିନ୍ନ ରୋଗର ଯାଞ୍ଚ କରିବେ। ପ୍ରତିବର୍ଷ ବାର୍ଷିକ ରିପୋର୍ଟରେ କେତେ ସଂଖ୍ୟାରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି, କେତେ ଅଭିଯୋଗର ସମାଧାନ ହୋଇଛି ସେନେଇ ତଥ୍ୟ ରଖିବାକୁ ନିର୍ଦେଶ ଦିଆଯାଇଛି।