ଅନୁଗୁଳ: ଶୀତ ଆରମ୍ଭ ହୋଇନି, ହେଲେ ଅନୁଗୁଳ ଅଞ୍ଚଳର ବାୟୂ ପ୍ରଦୂଷଣ ଚିନ୍ତାଜନକ। ଅକ୍ଟୋବର ଶେଷ ସପ୍ତାହ ଅର୍ଥାତ ଆଜିର ଦିନକୁ ଯଦି ଦେଖାଯାଏ, ତେବେ ଅନୁଗୁଳର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୧୦୦ ଟପିଗଲାଣି। ବାୟୁମଣ୍ଡଳରେ ଏକ୍ୟୁଆଇର ମୂଲ୍ୟ ଯେତେ ଅଧିକ ବାୟୁ ପ୍ରଦୂଷଣର ସ୍ତର ଓ ସ୍ବାସ୍ଥ୍ୟ ଚିନ୍ତା ସେତେ ଅଧିକ। ଯାହାକି ଆଗକୁ ଆହୁରି ବଢ଼ି ଭୟଙ୍କର ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। କେବଳ ଅନୁଗୁଳ ନୁହେଁ ତାଳଚେର, କଣିହାଁ ଓ ବଅଁରପାଳ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ସୋମବାର ଅନୁଗୁଳ ସହରାଞ୍ଚଳର ଏକ୍ୟୁଆଇ ୧୧୫ ରହିଛି। ଅନୁଗୁଳ ସହରର ବାୟୁମଣ୍ଡଳର ଏପରି ଦୁରବସ୍ଥା ଶିଶୁ, ବୟସ୍କ ଏବଂ ରୋଗୀଙ୍କ ଲାଗି ଚିନ୍ତାଜନକ ହୋଇପଡ଼ିଛି। ସାଧାରଣତଃ ୫୦ରୁ କମ୍‌ ଏକ୍ୟୁଆଇକୁ ଉତ୍ତମମାନର ବାୟୁ ଭାବେ ପରିଗଣିତ ହେଉଥିବା ବେଳେ ୧୦୦ରୁ ଅଧିକ ଏକ୍ୟୁଆଇ ଏକ ସତର୍କ ଘଣ୍ଟି।

Advertisment

ଆଜି ଜାତୀୟ ରାଜପଥ ୫୫ର ପିଟିସି ଛକଠାରୁ ଆରମ୍ଭ କରି କାଲ୍‌ଟାକ୍ସ, ନାଲ୍‌କୋ ଏବଂ ବଅଁରପାଳ ଦେଇ ଯାଇଥିବା ରାସ୍ତା ଧୂଳିଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଏହି ରାସ୍ତାରେ ପ୍ରତିଦିନ ହଜାରହଜାର ଭାରୀଯାନ, ଚାରିଚକିଆ ଗାଡ଼ି ଓ ଅନ୍ୟ ଯାନବାହନ ଚଳାଚଳ କରୁଛି। ରାସ୍ତା ଓ ରାସ୍ତାପାର୍ଶ୍ବରେ ଏତେ ପରିମାଣରେ କୋଇଲା ଗୁଣ୍ଡ ମିଶ୍ରିତ ଧୂଳି ଗଦା ହୋଇଛି ଯେ ସେଥିରେ ଯାତାୟାତ କରିବା କଷ୍ଟକର। ବିଶେଷଜ୍ଞ ଡାକ୍ତରଙ୍କ ମତ ଯେ ଯେଉଁମାନେ ଅଧିକ ଦିନ ଧୂଳିଧୂଆଁ ପରିବେଶରେ କାମ କରନ୍ତି ଏବଂ ବାସ କରନ୍ତି ସେମାନେ ଫୁସ୍‌ଫୁସ୍ ରୋଗ, ଫୁସ୍‌ଫୁସ୍ କର୍କଟରେ ଶିକାର ହେବାର ସମ୍ଭାବନା ରହିଛି। ହେଲେ ଅନୁଗୁଳ ସମେତ ତାଳଚେର ଓ କଣିହାଁ ଅଞ୍ଚଳର ଲୋକମାନେ ଏହି ସମସ୍ୟାରୁ ମୁକୁଳି ପାରିବେ ତ ? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।