ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରେ ନାମକୁ ମାତ୍ର ରହିଛି ଶିଳ୍ପାଂଚଳ। କିନ୍ତୁ ଏଠାରେ ସେଭଳି କୌଣସି ବୃହତ୍‌ ଶିଳ୍ପ ନାହିଁ। ତଥାପି ବାୟୁ ପ୍ରଦୂଷଣରେ ଏହି ସହର ରାଜ୍ୟର ଅନ୍ୟ ଶିଳ୍ପଭିତ୍ତିକ ସହରମାନଙ୍କ ଠାରୁ ବିଶେଷ ପଛରେ ନାହିଁ। ରାଜଧାନୀ ଭୁବନେଶ୍ବରରେ ପିଏମ୍‌-୧୦ ର ମାତ୍ରା ୧୧୧ ଥିବା ବେଳେ ଦ୍ବିତୀୟ ସ୍ଥାନରେ ବହ୍ମପୁର ୧୦୫ରେ ରହିଛି। ବାୟୁମଣ୍ଡଳରେ ଅତି କ୍ଷତିକାରକ ପିଏମ୍‌-୧୦ର ମାତ୍ରା ବ୍ରହ୍ମପୁରରେ ଗତ ଅକ୍ଟୋବରରେ ଶହେ ଡେଇଁଥିଲା। ଅନ୍ୟତମ କ୍ଷତିକାରକ କଣିକା ପିଏମ୍‌ ୨.୫ର ମାତ୍ରା ମଧ୍ୟ ଉଦ୍‌ବେଗଜନକ ରହିଥିଲା।

Advertisment

ରାଜ୍ୟ ‌ପ୍ରଦୂଷଣ ବୋର୍ଡ଼ର ବ୍ରହ୍ମପୁର ସ୍ଥିତ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତମାସରେ ଆକଳନ କରାଇଥିବା ଏକ୍ୟୁଆଇର ମାତ୍ରାରୁ ଏହା ଜଣାପଡ଼ିଛି। ଆଙ୍କୁଲି ଶିଳ୍ପାଂଚଳରେ ଥିବା ଏହି କାର୍ଯ୍ୟାଳୟର ଛାତ ଉପରେ ବାୟୁମଣ୍ଡଳର ଏକ୍ୟୁଆଇ ମାତ୍ରା ଆକଳନ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜା ଯାଇଛି, ଯାହାର କି ଆଖାପାଖର ୫କିମି ବ୍ୟାସାର୍ଦ୍ଧ ପରିମିତ ଅଂଚଳରେ ବାୟୁମଣ୍ଡଳର ଏକ୍ୟୁଆଇ ମାତ୍ରା ମାପିର କ୍ଷମତା ରହିଥିବା ସୂଚନା ମିଳିଛି। ଉକ୍ତ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଗତ ଅକ୍ଟୋବର ମାସରେ ବ୍ରହ୍ମପୁର ସହରରେ ପିଏମ୍‌-୧୦ର ସର୍ବନିମ୍ନ ମାତ୍ରା ୪୩ ଏବଂ ସର୍ବାଧିକ ମାତ୍ରା ୧୦୫ ଏବଂ ହାରାହାରି ମାତ୍ରା ୭୭ ରହିଥିଲା। ସେହିପରି ବାୟୁ ମଣ୍ଡଳରେ ଅନ୍ୟତମ କ୍ଷତିକାରକ କଣିକା ୨.୫ପିଏମ୍‌ର ହାରାହାରି ମାତ୍ରା ୩୬ ରହିଛି।

ବାୟୁ ମଣ୍ଡଳରେ ପିଏମ୍‌-୧୦ ଏବଂ ପିଏମ୍‌-୨.୫, ଏହି ଦୁଇ କଣିକାର ମାତ୍ରା ବୃଦ୍ଧି ପାଇଲେ, ଶରୀର ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥାଏ। ବିଶେଷ କରି ଶ୍ବାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଗତମାସର ହସ୍ତଗତ ତଥ୍ୟ ନିଶ୍ଚିତପକ୍ଷେ ସହରବାସୀଙ୍କ ପାଇଁ ଚିନ୍ତାଜନକ। ପୁଣି ଆଗକୁ ଦୀପାବଳି ଏବଂ ଶୀତ ଦିନ ଥିବା ବେଳେ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାର ସମ୍ଭାବନା ରହିଛି। ତେବେ ଅକ୍ଟୋବର ମାସରେ ବ୍ରହ୍ମପୁର ସହରର ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହେବା ଦେଖିବାକୁ ମିଳିନଥାଏ। ଗାଡ଼ିମୋଟରରୁ ବାହାରୁ ଥିବା ଧୂଆଁ, ବିଶେଷକରି ସହର ମଧ୍ୟ ଦେଇ ଏବଂ ଏହାର ଉପକଣ୍ଠ ଦେଇ ଯାଇଥିବା ଦୁଇ ରାଜପଥରେ ବହୁଳ ଭାରୀଯାନ ଚଳାଚଳ, କୋଠା ଓ ରାସ୍ତା ନିର୍ମାଣ, ଏଣେତେଣେ ପଡ଼ୁଥିବା ଅଳିଆ ଆବର୍ଜନା ଯୋଗୁଁ ବାୟୂ ଅଧିକ ପ୍ରଦୂଷିତ ହେଉଥିବା ବି‌େଶଷଜ୍ଞଙ୍କ ମତ। ଅନ୍ୟପକ୍ଷେ ସହରର ବର୍ଜ୍ୟବସ୍ତୁ ପରିଚାଳନାରେ ଦେଖାଦେଇଥିବା ଅନିୟମିତତା ମଧ୍ୟ ଏହାର ଏକ ପ୍ରମୁଖ କାରଣ। ବିଭିନ୍ନ ସ୍ଥାନରେ ଅଳିଆଗଦା କରାଯାଇ ସେଥିରେ ନିଆଁ ଲଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି। ସେଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରୁଥିବା ବେଳେ ଏହାର ସିଧାସଳଖ କୁପ୍ରଭାବ ସହରବାସୀଙ୍କ ଉପରେ ପଡ଼ୁଛି ବୋଲି କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।