ଭୁବନେଶ୍ବର: ପେସା ଥିଲା ପୂଜାପାଠ, ହେଲେ କୌଣସି କାରଣରୁ ତାଙ୍କର ନିଶା ପାଲଟିଗଲା ବାଇକ୍‌ ଚୋରି। ରାଜଧାନୀର ଏଭଳି ଜଣେ ପେସାଦାର ବାଇକ୍‌ଚୋର ନନା (ପୂଜକ)ଙ୍କୁ ଗିରଫ କରିଛି ପୁଲିସ। ଏ ଚୋରନନା ବିଭିନ୍ନ ମଲ୍‌ ଓ ହସ୍ପିଟାଲ୍‌ ପାର୍କିଂରୁ ବାଇକ୍‌ ଚୋରି କରୁଥିଲେ। ତାଙ୍କ ପାଖରୁ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୨୦ ଲକ୍ଷ ଟଙ୍କାର ୨୪ଟି ଚୋରି ବାଇକ୍‌ ଜବତ ହୋଇଛି। ପୂର୍ବରୁ ସେ ଆହୁରି ଅନେକ ବାଇକ୍‌ ଚୋରିକରି ବିକ୍ରି କରି ସାରିଛନ୍ତି। ତମାଣ୍ଡୋ ଥାନା ଅଧୀନସ୍ଥ ଜାଆଁଳା ଅଞ୍ଚଳର ଏହି ବାଇକ୍‌ଚୋର ନନା କୃପାସିନ୍ଧୁ ମହାପାତ୍ରଙ୍କର କାରନାମାରେ ପୁଲିସ ସ୍ବୟଂ ତାଜୁବ ହୋଇଯାଇଛି। ଏଯାଏ ଏଇ ନାନାଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ୭ଟି ମାମଲା। ଏହା ଆହୁରି ବଢ଼ିପାରେ ବୋଲି ପୁଲିସ କମିସନର ସଂଜୀବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Advertisment

ଅଧିକ ରୋଜଗାରର ଲୋଭ:କମ୍‌ ସମୟରେ ଅଧିକ ରୋଜଗାର କରିବାର ଲୋଭ ତଥା ଚାକଚକ୍ୟ ଜୀବନ ବଞ୍ଚିବାର ମୋହ ପୂଜାପାଠ କରୁଥିବା କୃପାସିନ୍ଧୁ ମହାପାତ୍ରଙ୍କୁ ବାଇକ୍‌ଚୋର ସଜାଇଥିବା କୁହା ଯାଉଛି। ଚୋରି ପାଇଁ ଚୋରନନା ଆପଣାଇଥିଲେ ଏକ ଅଭିନବ ଉପାୟ। ପୁଲିସ ତଥା ଲୋକଙ୍କ ଆଖିରେ ଧୂଳି ଦେବାଲାଗି ସେ ପୂଜାପାଠ କାମକୁ ଛାଡ଼ି ନଥିଲେ। ସେଥିପାଇଁ କପାଳରେ ଚନ୍ଦନ ମାରି ପୂଜାପାଠ କାମ ଜାରି ରଖିଥିଲେ ଓ ଚୋରି କରିବଲାଗି ଟାର୍ଗେଟ୍‌ ଖୋଜୁଥିଲେ। ରାଜଧାନୀର ଏମିତି କୌଣସି ବଡ଼ ପାର୍କିଂସ୍ଥଳ ନାହିଁ, ଯେଉଁଠି ଚୋର କୃପାସିନ୍ଧୁଙ୍କ ‘କୃପା’ ପଡ଼ିନାହିଁ। ସବୁଠୁ ସେ କେବେ ନା କେବେ ବାଇକ୍‌ ଚୋରି କରିଛନ୍ତି। ମୁଖ୍ୟତଃ ନୂଆପଲ୍ଲୀ, ଖଣ୍ଡଗିରି ଓ ସହିଦନଗର ଆଦି ଅଞ୍ଚଳର ବିଭିନ୍ନ ମଲ୍‌, ହସ୍ପିଟାଲ, ହାଟ ଓ ମାର୍କେଟର ପାକିଂରୁ ସେ ଏଭଳି ଅନେକ ବାଇକ୍‌ ଚୋରି କରିଛନ୍ତି। ଚୋରି ପାଇଁ ସେ ମାଷ୍ଟର୍‌ କି’ ରଖିଥିଲେ। ସେଇଥିରେ ଲକ୍‌ ଖୋଲି ପାର୍କିଂସ୍ଥଳର ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ସେ ବାଇକ୍‌ ନେଇ ଗାୟବ ହୋଇଯାଉଥିଲେ।

ଖେଳ ଖତମ୍‌ ହେଲା: ଏପ୍ରିଲ ୬ ତାରିଖରେ ନିରଞ୍ଜନ ଗୁମାନସିଂହ ନିଜର ଓଆର୍‌ ୦୨ ବିକେ ୪୬୭୯ ବାଇକ୍‌କୁ କ୍ୟାପିଟାଲ ହସ୍ପିଟାଲ ଆଗରେ ପାର୍କିଂକରି ହସ୍ପିଟାଲ ଭିତରକୁ ଯାଇଥିଲେ। କାମ ସାରି ଫେରିଲା ବେଳକୁ ବାଇକ୍‌କୁ ପାଇ ନଥିଲେ। ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ମାମଲା ରୁଜୁକରି ଖୋଳତାଡ଼ ପରେ ଚୋରନନା କୃପାସିନ୍ଧୁ ମହାପାତ୍ର ପୁଲିସ ସ୍କାନର୍‌କୁ ଆସିଥିଲେ। ବିଭିନ୍ନ ଗୁଇନ୍ଦା ସୂଚନା ତଥା ସିସିଟିଭି ଫୁଟେଜ୍‌ ଭଳି କିଛି ବୈଷୟିକ ସହଯୋଗରେ ପୁଲିସ କୃପାସିନ୍ଧୁଙ୍କୁ ଚିହ୍ନଟ କରିଥିଲା। ଗିରଫ ହେବାପରେ ପଚରାଉଚରା ବେଳେ ସେ ନିଜ ଦୋଷ ସ୍ବୀକାର କରିଥିଲେ। କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ବିଏମ୍‌ସି ମଲ୍‌, କଳିଙ୍ଗ ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲ ପାର୍କିଂରୁ ବିଭିନ୍ନ ସମୟରେ ଗାଡି ଚୋରି କରିଥିବା ସେ ମାନିଥିଲେ। ସେ ସ୍ବୀକାର କରିଛନ୍ତି ଯେ ପ୍ରାୟତଃ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନିର ବାଇକ୍‌କୁ ସେ ଚୋରି କରୁଥିଲେ। ଚୋରି ବାଇକ୍‌ଗୁଡ଼ିକୁ ସେ ନୟାଗଡ଼ ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ମାତ୍ର ୪,୦୦୦-୫,୦୦୦ ଟଙ୍କାରେ ବିଭିନ୍ନ ଲୋକଙ୍କୁ ବିକ୍ରି କରି ଦେଉଥିଲେ। ବିକ୍ରି ସମୟରେ ଗାଡ଼ି କାଗଜପତ୍ର ପରେ ଦେବେବୋଲି କହୁଥିଲେ। ପୂଜକର ପରିଚୟ ଥିବାରୁ ତାଙ୍କ କଥାରେ ଲୋକେ ସହଜରେ ବିଶ୍ବାସ କରୁଥିଲେ। ହେଲେ ସେ ଗାଡ଼ିର କାଗଜ ପତ୍ର ଦେଉନଥିଲେ। ଗିରଫ ହେବାବେଳେ ତାଙ୍କ ପାଖରେ ଥିବା ଚୋରି ବାଇକ୍‌ଗୁଡ଼ିକ ଭିତରୁ କିଛି ସେ ନିଜଘରେ ଲୁଚାଇ ରଖିଥିଲେ। ଆଉ କିଛି ଅନ୍ୟ ପାର୍କିଂସ୍ଥଳରେ ଲୁଚାଇ ରଖିଥିଲେ। ସେସବୁକୁ ମଧ୍ୟ ପୁଲିସ୍‌ ଜବତ କରିଛି।

ଚର୍ଚ୍ଚାରେ ବାଇକ୍‌ଚୋର ନନାଙ୍କ ‘ପୁଷ୍ପା ଷ୍ଟାଇଲ୍‌’: ମାଟ୍ରିକ୍‌ ପାସ୍‌ କରିଥିବା କୃପାସିନ୍ଧୁ ପୂଜାପାଠ କରିବାଭିତରେ ଏ ଚୋରିବିଦ୍ୟା କେମିତି ଶିଖିଲେ ଓ ସେଥିରେ କେମିତି ପଶିଲେ, ତାକୁ ନେଇ ସାଧାରଣରେ କୌତୂହଳ ସୃଷ୍ଟି ହୋଇଛି। ତେବେ ନନାଙ୍କୁ ପୁଲିସ କୋର୍ଟ ଚାଲାଣ କଲାବେଳେ ତାଙ୍କର ‘ପୁଷ୍ପା ଷ୍ଟାଇଲ୍‌’ ହାବଭାବ ଦେଖାଣାହାରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ସେତିକିବେଳେ ନନା ‘ପୁଷ୍ପା’ ଷ୍ଟାଇଲ୍‌ରେ ବାରମ୍ବାର ଗୋଟିଏପଟକୁ ବେକ ଛୁଙ୍କାଇ ବେକରେ ହାତ ବୁଲାଉଥିବାର ଦେଖିବାକୁ ମିଳିଥିଲା।