ଜନ୍ମାଷ୍ଟମୀରେ ବେଆଇନ ଭାବେ ଆଶ୍ରମରେ ସାରଥିଙ୍କ ପୂଜା କଲେ ଭକ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ ଥିବା ସାରଥି ଆଶ୍ରମ ଭିତରେ ସାରଥି ଭକ୍ତମାନେ ଜନ୍ମାଷ୍ଟମୀ ପୂଜା କରିଛନ୍ତି। ସାରଥି ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ହୋଇଥିବାବେଳେ ସେହି ପୂଜା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାରଥୀ ଆଶ୍ରମକୁ ତାଙ୍କ ଭକ୍ତ‌ମାନେ ଗତକାଲି ଜୋର ଜବରଦସ୍ତ କବଜା କରି ନେଇଥିଲେ | ଆଉ ଭକ୍ତ‌ ଅନୁଗତମାନେ‌ ଆଶ୍ରାମରେ‌ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ରଖି‌ ପୂଜାର୍ଚ୍ଚନା କରିଛନ୍ତି | କେବଳ ଏତିକି ନୁହେଁ ଜନ୍ମାଷ୍ଟମୀ ଓ‌ ନନ୍ଦୋତ୍ସବ ଅବସରରେ ଆଶ୍ରମରେ ହୋମ‌ ମଧ୍ୟ କରାଯାଇଛି | ତେବେ ଅଦାଲତଙ୍କ‌ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନାକୁ‌ ବାରଣ‌ କରାଯାଇଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି‌) ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଇ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି‌ ନାହିଁ |


ଏହା ସତ୍ତ୍ୱେ ଆଶ୍ରମ ଭିତରକୁ ୪୦ରୁ‌ ୫୦ ଜଣ‌ ସାରଥି ଭକ୍ତ‌ ଓ‌ ସମର୍ଥକ ‌କେମିତି ପ୍ରବେଶ କଲେ ଓ ସେଠାରେ ସାରଥିଙ୍କ‌ ଫଟୋ ରଖି ‌କେମିତି ପୂଜା କଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ଏନେଇ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଦୋଷ ଲଦି ପୁଲିସ୍ ଓ‌ ପ୍ରଶାସନିକ ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି | ଏହି ଘଟଣାକୁ ନେଇ ‌ଗାଁ ‌ସମେତ ସମଗ୍ର‌ ଅଞ୍ଚଳରେ ଚାପା‌ ଉତ୍ତେଜନା ପ୍ରକାଶ ପାଇଛି | ୨୦୧୫ ଅଗଷ୍ଟ ୧୫ ତାରିଖରେ ସାରଥୀ ମହିଳାଙ୍କୁ ନିର୍ଯାତନା ଓ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ।

ସେବେଠାରୁ ଏହି ଆଶ୍ରମ ବନ୍ଦ ରହିଛି । ୨.୪୭ ଏକର ଜମି ଉପରେ ନିର୍ମିତ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ଉପରେ କଟକଣା ରହିଛି । ସୂଚନାଯୋଗ୍ୟ ଯେ, ୨୦୧୯ରୁ ସାରଥୀ ଜାମିନ ପାଇ ଜେଲରୁ ବାହାରିଥିଲେ ବି ବାରିମୂଳ ଆଶ୍ରମକୁ ତାଙ୍କ ଯିବା ଉପରେ କଟକଣା ଲଗାଇଛନ୍ତି କୋର୍ଟ । ଆଉ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସାରଥୀ ଆଶ୍ରମକୁ ଯାଉନାହାଁନ୍ତି ।

ସମ୍ବନ୍ଧିତ ଖବର