ଲଇକେରା : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଜୟପୁର ଇଷ୍ଟେଟର ମୟୂରଡିମା ମନ୍ଦିର ପ୍ରାଙ୍ଗଣରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଜଂଘା ବଡ଼ଦେଓଙ୍କ ପୂଜା ସମ୍ପନ୍ନ ହୋଇଯାଇଛି। ଶୁକ୍ରବାର ଅପରାହ୍‌ଣରେ ପରଂପରା ଅନୁଯାୟୀ କଳସ ପୂଜା ସମ୍ପନ୍ନ ହୋଇଥିବା ବେଳେ ଶନିବାର ସକାଳେ ଗୋଁଣ୍ଡ ସମାଜର ପତାକା ଉତ୍ତୋଳନ ସହ ଯଥାରୀତି ପୂଜାର୍ଚ୍ଚନା ଶେଷହୋଇଛି। ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହିତ ଜଂଘା ବଡ଼ଦେଓଙ୍କୁ କାନ୍ଧରେ କାନ୍ଧେଇ ନାଚିବା ସହିତ ଜଂଘା ଦେବତାଙ୍କ ଆଶୀର୍ବାଦ ନେଇଥିଲେ।

Advertisment

ଗୋଣ୍ଡ ସମାଜର ଏହି ଦେବତାଙ୍କ ଆଦି ପୀଠସ୍ଥଳୀରେ ବର୍ଷକୁ ଥରେ ପୌଷ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ପୂଜା ହୋଇଥାଏ। ଜଂଘା ବଡ଼ଦେଓଙ୍କ ମୂଳ ଉତ୍ପତ୍ତି ହେଉଛି ଜଗନ୍ନାଥ ସଂସ୍କୃତି। ପୁରାଣ ଅନୁସାରେ ବାଙ୍କୀ ମୁହାଣରୁ ଗଣ୍ଡି ଉଦ୍ଧାର ଏବଂ ପୁରୁଷୋତ୍ତମ କ୍ଷେତ୍ରରେ ନିମ୍ନ ଅଂଶ ବା ଗୋଡ଼ ଅଂଶ ଜଙ୍ଘ ଦ୍ୱୟକୁ ଗୋଣ୍ଡ ସମ୍ପ୍ରଦାୟ ଦ୍ୱାରା ଜଂଘା ନାମରେ ପୂଜା ହୋଇଆସୁଛି। ଜଂଘାଙ୍କ ରଥ ନାହିଁ, ଚାରି ଜଣ ଭକ୍ତ କାନ୍ଧରେ ବୋହି ପରିକ୍ରମା କରନ୍ତି। ସେ ହେଉଛନ୍ତି ଇଚ୍ଛାମୟ ସ୍ୱୟଂସମ୍ପୂର୍ଣ୍ଣ। ଶ୍ରୀଜଗନ୍ନାଥଙ୍କ ପରି ସକାଳ ଧୂପ, ସୂର୍ଯ୍ୟ ପୂଜା, ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଆଳତି ସହ ଶୀତଳ ଭୋଗ ପରଂପରା ରହିଛି। ବର୍ଷକୁ ଥରେ ମୁଖ୍ୟ ମନ୍ଦିରରୁ ବାହାରି ଖଳା ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ଅବସରରେ ଦେବତାଙ୍କ କଟି ଦେଶରୁ ନିମ୍ନକୁ ୬ଟି ଅଙ୍ଗପ୍ରତ୍ୟଙ୍ଗକୁ ଗୋଟିଏ ମା’ ପେଟର ୬ ଭାଇ ପୂଜା କରି ୬ ସଂଜ୍ଞାଧାରୀ ଜଗତ, ଅଣ୍ଟି, ନେଟି, ଚାରଦିଆ, ମରେଇ, ପାରେଖ ଆଦି ଷଡ଼ବଂଶୀ ଭାବେ ପୂଜାର୍ଚ୍ଚନା କରିଥିଲେ।

ଚଳିତବର୍ଷ ଜୟପୁର ଇଷ୍ଟେଟ କମିଟିର କାର୍ଯ୍ୟକାରୀ ସଭାପତି ତୁଳରାମ ନାଏକ, ପୂଜା କମିଟି ସଭାପତି ନୀଳାମ୍ବର ନାଏକ,  ସରୋଜ ନାଏକ, ଉପସଭାପତି ଦୁର୍ଲ୍ଲଭ ଧୁରୁଆ, ସମ୍ପାଦକ ସୁରେନ୍ଦ୍ର ଧୁରୁଆ, ଟଙ୍କଧର ନାଏକ, ନବୀନ ନାଏକ, ଋତୁସାଗର ନାଏକ, ସଦାନନ୍ଦ ଭୋଇ, ମେଘନାଦ ନେଟି, ପଦ୍ମଲୋଚନ ନାଏକ, ଲୀଳା ସାଗର ଧୁରୁଆ, ତେଜରାଜ ପ୍ରଧାନ, ହେମନ୍ତସାଗର କୁମୁରା, ରଞ୍ଜନ ସିଂ ନାଏକ, ପ୍ରଦୀପ ନାଏକ, ଦୟାନିଧି ନାଏକ, ସତ୍ୟପ୍ରକାଶ ନାଏକ, କ୍ଷୀତଚନ୍ଦ୍ର ନାଏକଙ୍କ ସମେତ ମନ୍ଦିର ପୂଜକ ନକୁଳ ଧୁରୁଆ, ମୁଖ୍ୟ ପୂଜକ କୈଳାସ କୁମୁରା, ରାଜ କୁମାର ଭୋଇ ପୂଜା କାର୍ଯ୍ୟ ତୁଲାଇଥିଲେ। ଲଇକେରା, କୋଲାବିରା, କିର୍ମିରା ବ୍ଲକର ଗୋଣ୍ଡ ସମାଜର ଜାତିଭାଇଙ୍କ ସମେତ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ଝିଅ ଦୀପାଳି ଦାସ ଉପସ୍ଥିତ ଥିଲେ।