କର୍ଲାମୁଣ୍ଡା: କଳାହାଣ୍ଡିର ପ୍ରାଚୀନ ଓ ଐତିହାସିକ ଶୈବପୀଠ ବେଲଖଣ୍ଡିସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବଙ୍କ ମହା ଶିବରାତ୍ରୀ ମେଳାର ତୃତୀୟ ଦିବସରେ ସିଦ୍ଧେଶ୍ୱରୀ(ଚଣ୍ଡୀ)ଙ୍କ ପୀଠରେ ବଳିଭୋଗ ଦିଆ ଯାଇଥିଲା। ପରମ୍ପରା ଅନୁସାରେ ଶିବରାତ୍ରୀ ପରଦିନ ଅର୍ଥାତ ଅମାବାସ୍ୟା ତିଥିରେ ଦେବୀଙ୍କୁ ପାଟବୁକା ଅର୍ପଣ କରାଯାଏ। ଏହି ପାଟବୁକା କଳାହାଣ୍ଡି ମହାରାଜଙ୍କ ଠାରୁ ଆସିବାର ନେଇ ରହିଛି ପରମ୍ପରା। ଅମାବାସ୍ୟା ପରଦିନ ଅର୍ଥାତ ସୋମବାର ମାନସିକ କରିଥିବା ଭକ୍ତମାନେ ଆଣିଥିବା ବୁକା, ଗରରା ଓ କୁକୁଡ଼ାକୁ ବଳି ଦିଆ ଯାଇଥିଲା।
ମନ୍ଦିର ମୁଖ୍ୟ ପୂଜକ ଦ୍ୱାରିକାପ୍ରସାଦ ସିଂଙ୍କ ବାସଭବନ ତାଳଭଅଁରାଠାରୁ ଦେବୀ ଭୈରବୀ ରୂପରେ କାଳିସୀଠାରେ ଆର୍ବିଭୂତ ହୋଇ ନିଶାର୍ଦ୍ଧରେ ବାହାରି ଭୋରରେ ମନ୍ଦିରରେ ପହଞ୍ଚିଥିଲେ। ମହାଦେବଙ୍କ ଠାରୁ ଅନୁମତି ପାଇବା ପରେ ସେ ଚଣ୍ଡୀ ମନ୍ଦିରରେ ବଳିଭୋଗ ପାଇଁ ଅନୁମତି ଦେଇଥିଲେ। ତା ପରେ ଭକ୍ତଙ୍କ ଗୁହାରି ଶୁଣିବା ସହ କଣ୍ଟାଦୋଳିରେ ବସିଥିଲେ। ଏହାପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ପଶୁପକ୍ଷୀଙ୍କୁ ବଳି ଦିଆ ଯାଇଥିଲା। ସେମାନଙ୍କ ରକ୍ତରେ ମନ୍ଦିର ପରିସର ଲାଲ୍ ହୋଇ ଯାଇଥିଲା। ସିଦ୍ଧେଶ୍ୱରୀ (ଚଣ୍ଡୀ)ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବାକୁ ସକାଳେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂହ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ(ପୁଷୁ)ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେସିଙ୍ଗା ଥାନା ଓ ପଲମ ଫାଣ୍ଡି ପକ୍ଷରୁ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ। ମଙ୍ଗଳବାର ହେଉଛି ଏହି ମେଳାର ଉଦଯାପନୀ ଦିବସ।