ଯୁଯୁମୁରା: ଆଜି ସନ୍ଧ୍ୟା ସାଢ଼େ ୬ଟାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ସାପଲହରା ଗାଁ ଛକରେ ଏକ ହାତୀ ଶିବ ମନ୍ଦିରର ପୂଜକ ମୁରଲୀଧର ପୂଜାହାରୀ(୭୦)ଙ୍କୁ ଗୋଡ଼ରେ ଚାପି ମାରିଦେଇଛି। ମୁରଲୀଧର ଶିବ ମନ୍ଦିରରୁ ସନ୍ଧ୍ୟା ଆଳତି ସାରି ଘରକୁ ଫେରୁଥିଲେ। ସେହି ସମୟରେ ହାତୀ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଂଗି ସାରିଥିଲା। ଗାଁରେ ଥିବା ଏକ ହୋଟେଲକୁ ପଶି ବରା, ସିଂଗଡ଼ା ଆଦି ଖାଦ୍ୟ ସାମଗ୍ରୀ ଖାଇଦେଇଥିଲା। ହୋଟେଲରେ ଥିବା ଲୋକେ ପ୍ରାଣବିକଳରେ ସେଠାରୁ ଦୌଡ଼ି ପଳାଇଥିଲେ।
ହୋଟେଲରୁ ବାହାରି ମୁରଲୀଧରଙ୍କୁ ଗାଁ ଛକରେ ପଛୁପଟୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ମୁରଲୀଧରଙ୍କୁ ମାରିବା ବେଶ୍ କିଛି ସମୟ ପର୍ଯ୍ୟନ୍ତ ଆଖପାଖରେ ରହିଥିଲା। ଗାଁ ଲୋକେ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଖବର ଦେଇଥିଲେ। ବହୁକଷ୍ଟରେ ବନ କର୍ମଚାରୀଙ୍କ ସହିତ ମିଶି ଗାଁ ଲୋକେ ହାତୀକୁ ସେଠାରୁ ଘଉଡ଼ିବାକୁ ସକ୍ଷମ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଳ୍ପଦିନ ଆଗରୁ ଏହି ସାପଲହରା ଗାଁ ପୋଖରୀରେ ଏକ ଗୁଳିବିଦ୍ଧ ହାତୀ ଫଶି ରହିଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ହାତୀର ମୃତ୍ୟୁ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/6-1.jpg)