ଭୁବନେଶ୍ବର: ପଦ ଓ ଗୋପନୀୟତାର ଶପଥ ପାଠ କରିବା ଲାଗି ଲୋକସେବା ଭବନରେ ପହଞ୍ଚିଲେ ଭାବୀ ମନ୍ତ୍ରୀ। ପ୍ରଥମେ ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ ପହଞ୍ଚିଥିଲେ। ତାପରେ ଉଷା ଦେବୀ, ସମୀରରଂଜନ ଦାଶ,
ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରୋହିତ ପୂଜାରୀ ପହଞ୍ଚିଥିଲେ। ଭାବୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଜଳସମ୍ପଦ ବିଭାଗ ଗାଡ଼ିରେ ଲୋକସେବା ଭବନକୁ ଆସିଥିଲେ।ଏଣେ କୃଷି ବିଭଗ ଗାଡ଼ିରେ ଆସିଥିଲେ ପ୍ରତାପ ଦେବ। ଶ୍ରୀକାନ୍ତ ସାହୁ ରାଜସ୍ୱ ବିଭାଗ ଗାଡ଼ିରେ ଆସିଥିଲେ।
ଠିକ୍ ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗାଡ଼ିରେ ଲୋକସେବା ଭବନରେ ପହଞ୍ଚିଲେ ରୀତା ସାହୁ। ଏଣେ ଅନ୍ୟ ଭାବୀ ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନର କନ୍ଭେନ୍ସନ୍ ହଲରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ,ରବିବାର ଦିନ ପୂର୍ବାହ୍ନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆଜି ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି।
ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବ। ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ।
ଯେଉଁମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜେନ୍ଦ୍ର ଢୋଲକିଆ।
ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ ଶପଥ ଗ୍ରହଣ କରିବେ।