ଟିକା ତାଲିକାରୁ କାହିଁକି ବାଦ୍ ପଡ଼ିବେ ପୁଲିସ?

ନିଷ୍ପତ୍ତି ନ ହେବା ଯାଏଁ କିଛି କହିବା ଠିକ୍ ହେବନି: ଡିଜି, ସାମ୍ବାଦିକଙ୍କୁ ସାମିଲ ପାଇଁ ଦାବି

ଭୁବନେଶ୍ୱର (ଶୁଭକାନ୍ତ ପଢ଼ିହାରୀ) : କରୋନା ମୁକାବିଲାରେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ କି ଆଇନଶୃଙ୍ଖଳା ପରିସ୍ଥିତି; ସବୁବେଳେ ଆଗ ଖୋଜା ପଡ଼ୁଛନ୍ତି ପୁଲିସ କର୍ମଚାରୀ। ଏହି କରୋନା ସମୟରେ ରଥଯାତ୍ରା, ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନ, ବନ୍ୟା ମୁକାବିଲା ଭଳି ଡ୍ୟୁଟି କରିଛନ୍ତି ପୁଲିସ କର୍ମଚାରୀ। ଦିନରାତି ଏକ କରି ଦେଇଛନ୍ତି। ଏ ସବୁ ବାଦ୍ ଅପରାଧ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇଛି ପୁଲିସ। କିନ୍ତୁ ପ୍ରଥମ ପର୍ଯ୍ୟାୟ ଟିକା ତାଲିକାରୁ ବାଦ୍ ପଡ଼ିଛନ୍ତି ପୁଲିସ କର୍ମଚାରୀ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, କରୋନା ମହାମାରୀ ମୁକାବିଲାର ଆଗଧାଡ଼ିର ଯୋଦ୍ଧା ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଏବଂ ସିଡିପିଓଙ୍କ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟ ଟିକାଦାନରେ ପ୍ରାୟ ୩ଲକ୍ଷ ସାମିଲ ହୋଇଛନ୍ତି। କିନ୍ତୁ ପୁଲିସ କର୍ମଚାରୀଙ୍କୁ କାହିଁକି ସାମିଲ କରାଯାଇ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି।

ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ଏହି ମହାମାରୀକୁ ମୁକାବିଲା ସମୟରେ ପ୍ରାୟ ୪୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ଜୀବନ ଯାଇଛି। ସେହିପରି ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ବଡ଼ କଥା ହେଲା, କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା କର୍ମଚାରୀମାନେ ତତ୍‌କ୍ଷଣାତ୍ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଦୁର୍ବଳତା ସତ୍ତ୍ବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫିଲ୍ଡ ଡ୍ୟୁଟି କରୁଛନ୍ତି। ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଥେରାପି ପ୍ରଦାନରେ ମଧ୍ୟ ଆଗରେ ରହିଛନ୍ତି ପୁଲିସ କର୍ମଚାରୀ। ଏବେ ସୁଦ୍ଧା ୬ ଶହରୁ ଅଧିକ କର୍ମଚାରୀ ପ୍ଲାଜ୍‌ମା ଦାନ କରି ସାରିଲେଣି। ଏହା ଏକ ଉଲ୍ଲେଖନୀୟ ଅବଦାନ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ କୁହାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ଟିକାରେ ସେମାନେ ସାମିଲ ନ ହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅନେକ ପୁଲିସ କର୍ମଚାରୀ। ରାଜ୍ୟ ହାବିଲଦାର ଓ କନଷ୍ଟେବଳ ମହାସଂଘର ପୂର୍ବତନ ସମ୍ପାଦକ ବାବୁ ମହାନ୍ତି କହିଛନ୍ତି, ପୁଲିସକୁ ନିଶ୍ଚିତ ଭାବେ ପ୍ରଥମ ପର୍ଯ୍ୟାୟ ଟିକାରେ ସାମିଲ କରାଯିବା ଆବଶ୍ୟକ। ଏ ନେଇ ଆମେ ଖୁବ୍‌ଶୀଘ୍ର ପୁଲିସ ଡିଜିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବୁ। ପୁଲିସ ଡିଜି ଅଭୟ କହିଛନ୍ତି, ଯେ ପର୍ଯ୍ୟନ୍ତ ନିଷ୍ପତ୍ତି ନ ହୋଇଛି, କିଛି କହିବା ଠିକ୍ ହେବ ନାହିଁ।

ଅନ୍ୟପକ୍ଷରେ କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ଟିକିନିଖି ଖବର ପହଞ୍ଚାଇ ସାହସିକତାର ସହ ନିଜ କାର୍ଯ୍ୟ ତୁଲାଇଛନ୍ତି ସାମ୍ବାଦିକ। ରାଜ୍ୟ ସରକାରଙ୍କର ସମସ୍ତ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଲକଡାଉନ୍, ସଟଡାଉନ୍ ବେଳେ ଲୋକ ଯେତେବେଳେ ଘର ବାହାରୁ ନ ଥିଲେ, ସେ ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇ ନିଜ କାର୍ଯ୍ୟ ସମ୍ପାଦନ କରିବା ସମୟରେ ଅନେକ ସାମ୍ବାଦିକ କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଏକାଧିକ ସାମ୍ବାଦିକଙ୍କର ଜୀବନ ମଧ୍ୟ ଯାଇଛି। ସାମ୍ବାଦିକଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଘୋଷଣା କରିଥିଲେ ବି ପ୍ରଥମ ପର୍ଯ୍ୟାୟ ଟିକା ତାଲିକାରେ ନାଁ ସାମିଲ କରିବାକୁ ଦାବି ଉଠିଛି। ଓଡ଼ିଶା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟ(ଓୟୁଜେ)ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି ସାମ୍ବାଦିକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ତାଲିକାରେ ସାମିଲ କରାଗଲେ ରାଜ୍ୟ ସରକାରଙ୍କର ଆଉ ଏକ ବଳିଷ୍ଠ ପଦକ୍ଷେପ ହେବ। ଏ ନେଇ ସଂଘ ପକ୍ଷରୁ ସରକାରଙ୍କୁ ଖୁବ୍‌ଶୀଘ୍ର ପ୍ରସ୍ତାବ ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର