ହାଟଡିହି: ଖରାଦିନ ଆରମ୍ଭ ହୋଇନି କିନ୍ତୁ କେନ୍ଦୁଝର ଜିଲ୍ଲା ହାଟଡିହି ପାନୀୟଜଳ ସମସ୍ୟା ଉତ୍କଟ ଦେଲାଣି। ହାଟଡିହି ବ୍ଲକ୍ର ଆଦିବାସୀ ବହୁଳ କେ. ବାଲିପାଳ ଗ୍ରାମରେ ପିଇବାପାଣି ପାଣି ପାଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ମହିଳାମାନେ ପାଣି ନଳକୂପ ପାଖରେ ଲମ୍ବାଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳୁଛି।
ଏହି ଗ୍ରାମରେ ୧୫୦ରୁ ଊର୍ଦ୍ଧ୍ବ ପରିବାର ବାସ କରୁଛନ୍ତି। ଗ୍ରାମରେ ତିନିଟି ନଳକୂପ ରହିଛି। ଜଳସ୍ତର କମିଯାଇଥିବାରୁ ନଳକୂପ ଗୁଡ଼ିକୁ ଅଳ୍ପଅଳ୍ପ ପାଣି ବାହାରୁଛି। ମହିଳାମାନେ ପାଣି ପାଇଁ ସକାଳୁ ଧାଡ଼ିବାନ୍ଧି ନଳକୂପ ନିକଟରେ ଠିଆ ହେଉଛନ୍ତି। ଶୋଷ ମେଣ୍ଟାଇବା ପାଇଁ ବହୁକଷ୍ଟରେ ଗରାଏ କିମ୍ବା ଡେକଚିଏ ପାଣି ମିଳୁଛି। ପାଣିପାଣି ଅନେକ ସମୟରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି। ନଳକୂପ ଗୁଡ଼ିକ ଦୂରଦୂରାନ୍ତରେ ଥିବାରୁ ପାଣି ଆଣିବାରେ ସମସ୍ୟା ହେଉଛି।
ପାଣି ସମସ୍ୟାର ପ୍ରତିକାର ପାଇଁ ଗ୍ରାମର ଡବରସାହି, ବର୍ଜୁସାହି, ଜେନାସାହି, ସନଙ୍ଗିସାହି, ଭାଇଗସାହି, ପାଣ୍ଡୁସାହି, ନରିସାହି, ବିଷ୍ଣୁସାହି, ଦେଶବନ୍ଧୁସାହି, ଜୁନାସାହିରେ ନଳକୂପ ଖୋଳିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀ ରାସ୍ତା, ପାନୀୟଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ କୌଣସି ଗୋଟିଏ ବି ସମସ୍ୟା ସମାଧାନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେଇନାହିଁ। ପାନୀୟଜଳ ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।