ପୁରୀ : ବଜ୍ର କାଚ୍ଛା ବୀର ହନୁମାନଙ୍କୁ ଲାଗି ପରେ, ଏହାକୁ ପରିଧାନ କରି କୁସ୍ତି ମୈଦାନକୁ ଓହ୍ଲାଇଛନ୍ତି ମଲ୍ଲଯୋଦ୍ଧା। ଜାଗା ଆଖଡ଼ାରେ ପାଗ ହୋଇଥିବା ମାଟିକୁ ଦେହରେ ବୋଳି ବୀରତ୍ବ ପ୍ରଦର୍ଶନ କରିଛନ୍ତି ନବକଳିକାରୁ ଯୁଆନ ଯାଏ। ବୀରତ୍ବର ପ୍ରତୀକ ମହାବୀରଙ୍କୁ ଜନ୍ମଦିନରେ ଆରାଧନା କରି କୁସ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି ସାତସାହିର ମଲ୍ଲଯୋଦ୍ଧା। ପାରମ୍ପରିକ ସାତସାହି ମଧ୍ୟରେ ଥିବା ବିଭିନ୍ନ ମେଳ ତଥା ଜାଗା ଆଖଡ଼ାରେ ଦେଖିବାକୁ ମିଳିଛି କୁସ୍ତି ଯୋଦ୍ଧାଙ୍କ ବଜ୍ର ଶରୀରର କରାମତି। ଶ୍ରୀକ୍ଷେତ୍ରର କୁସ୍ତି କେବଳ ଏକ କ୍ରୀଡ଼ା ନୁହେଁ, ବରଂ ଏକ ଆବେଗ। ସାହିର ପ୍ରତ୍ୟେକ ପିଲାଙ୍କ ରକ୍ତରେ ମଲ୍ଲଯୋଦ୍ଧାର ରକ୍ତ ପ୍ରବାହିତ। ଯେମିତି କୁସ୍ତି ମୈଦାନକୁ ନଓହ୍ଲାଇଲେ ସେମାନଙ୍କ ଜୀବନ ପୂର୍ଣ୍ଣାଙ୍ଗ ହୁଏ ନାହିଁ ବୋଲି ବିଶ୍ବାସ ରହିଛି।

Advertisment

କୁସ୍ତି କସରତ ପାଇଁ ସ୍ଥିରୀକୃତ ସ୍ଥାନକୁ ‘ଖେଳ ଜାଗା’ ଭାବେ ଅଭିହିତ କରାଯାଇଛି। ଏହି ସ୍ଥାନରେ ଥିବା ମାଟିକୁ ଔଷଧୀୟ ଉପଚାର କରାଯିବା ପରେ ଏଠାରେ ପିଲାମାନେ କୁସ୍ତି ଅଭ୍ୟାସ କରିଛନ୍ତି। ଖୁଣ୍ଟିଆ ଜାଗାରେ କୁସ୍ତି ତଥା ମଲ୍ଲ ଯୋଦ୍ଧାମାନଙ୍କୁ ପ୍ରସ୍ତୁତ କରିବାରେ ସହଯୋଗ କରୁଥିବା ଅନ୍ୟତମ ପ୍ରଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ କହିବା ମୁତାବକ, ୩ରୁ ୬ ମାସ ଅନ୍ତରରେ ଖେଳଜାଗାର ମାଟିକୁ କ୍ଷୀର, ନିମ୍ବପତ୍ର, ଜଡ଼ା ତେଲ, ଦହି, ହଳଦୀ ପଡ଼ି ପାଗ କରାଯାଏ। ତେଣୁ ମାଟି ସରସର ହୋଇ ଲଢ଼ିବା ବେଳେ ଏହା ଶରୀରକୁ ସଂକ୍ରମଣରୁ ବଞ୍ଚାଇଥାଏ। ସୁତରାଂ, ଯଦି ଶରୀରରେ କୌଣସି ପ୍ରକାରର ଚର୍ମ ରୋଗ ଥାଏ , ଏହି ମାଟି ବୋଳି ହେଲେ ଚର୍ମ ରୋଗ ଭଲ ହୋଇଯାଏ ବୋଲି ସେ କହିଛନ୍ତି।

publive-image
ବାଲିସାହି ଖୁଣ୍ଟିଆ ଜାଗାର ସମ୍ପାଦକ ଶ୍ରୀଧର ରଣାଙ୍କ କହିବା ମୁତାବକ, ସାଙ୍ଗ-ଭାଙ୍ଗ-ସଂଗୀତ-ପଙ୍ଗତର ସଂସ୍କୃତି ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଜାଗା, ଆଖଡ଼ା, କୋଟ, ଗୁରୁଜର ସୃଷ୍ଟିହୋଇଛି। ରାଜା ରାଜୁଡ଼ା ଅମଳରୁ ଏଭଳି ପରିକଳ୍ପନା କରାଯାଇ ଏଯାବତ ଚଳିଆସୁଛି। ଏଠି ନିର୍ଜୀବ ବି ଜୀବର ପରିଚୟ ପାଏ। ଜାଗା ଆଖଡ଼ାଙ୍କୁ ଭାଇ ବୋଲି ‌ସମ୍ବୋଧନ କରାଯାଏ। ସେଇ କ୍ରମରେ ବାଲିସାହିର ଖୁଣ୍ଟିଆ ଜାଗା ହେଉଛି ବଡ଼ ଭାଇ। ରାମଲୀଳା‌ ବେଳେ ସାହିଯାତ ଅନୁଷ୍ଠିତ ହେଉଥିବା ବେଳେ ବଡ଼ ଭାଇ ହିସାବରେ ଖୁଣ୍ଟିଆ ଜାଗାର ଯାତ ଆଗେଆଗେ ଯାଏ। ପରେ ଅନ୍ୟ ୭ ମେଳ ଖୁଣ୍ଟିଆ ଜାଗା ତଥା ବଡ଼ ଭାଇଙ୍କୁ ଅନୁକରଣ କରନ୍ତି। ବଡ଼ ଭାଇ ଓ ସାନ ଭାଇ ମଧ୍ୟରେ ସମ୍ମାନ ଓ ମର୍ଯ୍ୟାଦା ଶିଖାଇ ଆସିଛି ଏହି ଜାଗା ପରମ୍ପରା। ଏହି ଖୁଣ୍ଟିଆ ଜାଗାରୁ ଶ୍ୟାମସୁନ୍ଦର ପହିଲମାନ, ନରସିଂହ ସାମନ୍ତରାୟ, ହରିହର ସିଂହ, କାଶୀନାଥ ସାହୁ, ମହାବୀର ପ୍ରତିହାରୀଙ୍କ ଭଳି ନାମକରା ପହିଲମାନ ଜାତୀୟ ସ୍ତରରେ କୁସ୍ତିରେ ମେଡାଲ ଜିତି ବଡ଼ ଭାଇ ତଥା ଖୁଣ୍ଟିଆ ଜାଗା ପାଇଁ ସମ୍ମାନ ସାଉଁଟିଛନ୍ତି। ଏବେ ପ୍ରଶିକ୍ଷଣ ନେଉଥିବା ଯୁବକମାନେ ମଧ୍ୟ ଜାତୀୟ ସ୍ତରରେ ମେଡାଲ ଆଣୁଛନ୍ତି ‌ବୋଲି ସେ କହିଛନ୍ତି।

ଖୁଣ୍ଟିଆ ଜାଗାର ପୂର୍ବତନ ସମ୍ପାଦକ ତଥା ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଅଧିକାରୀ ମୁକ୍ତିନାଥ ପ୍ରତିହାରୀଙ୍କ କହିବା ମୁତାବକ, ଯେତେବେଳେ ସୁରକ୍ଷାକର୍ମୀ ଓ ପୁଲିସ୍ ପଦବି ନଥିଲା, ସେବେଠୁ ମନ୍ଦିର ଚତୁଃପାର୍ଶ୍ବରେ ଥିବା ପିଲାମାନଙ୍କୁ କୁସ୍ତି ତାଲିମ ଦିଆଯିବାର ପରମ୍ପରା ଚଳି ଆସିଛି। ବ୍ରିଟିସ ଓ ମୋଗଲମାନଙ୍କ ଆକ୍ରମଣରୁ ଯଥାସମ୍ଭବ ଲଢ଼ୁଥିଲେ ଏହି ମଲ୍ଲମାନେ। ଆଜି କିଛି ନବକଳିକା କୁସ୍ତି ମୈଦାନକୁ ଓହ୍ଲାଇଛନ୍ତି। ପାରମ୍ପରିକ ସାତସାହିର ପ୍ରତ୍ୟେକଟି ପିଲା କୁସ୍ତି ସ୍ଥଳ ତଥା ଖେଳ ଜାଗାକୁ ଓହ୍ଲାଇବା ବେଳେ ଗର୍ବ ଅନୁଭବ କ‌ରେ ବୋଲି ସେ କହିଛନ୍ତି।