ଅଦଳବଦଳ ଏବେ ନୁହେଁ

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ନୁହେଁ। ମନ୍ତ୍ରୀ ପଦରୁ ଦାମୋଦର ରାଉତ ବିଦା ହେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗତକାଲିଠାରୁ ଆରମ୍ଭ ହୋଇଥିବା କଳ୍ପନାଜଳ୍ପନା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ପାଣି ଢାଳି ଦେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରଶ୍ନର ଧାଡ଼ିକିଆ ଉତ୍ତର ଦେଇଥିଲେ। ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏ ସଂକ୍ରାନ୍ତରେ ସତର୍କତାର ସହିତ ପଦକ୍ଷେପ ନେବାକୁ ବିଚାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଫେବ୍ରୁଆରି ଯାଏଁ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଟଳିଯିବା କିଛି ବିଚିତ୍ର ନୁହେଁ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ପଶ୍ଚିମ ଓଡ଼ିଶାର ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ତିନି ତିନି ଜଣ ମନ୍ତ୍ରୀ ଏବେ ବିଜେପୁର କଥା ବୁଝୁଛନ୍ତି। ସେମାନଙ୍କ ସହିତ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଅଛନ୍ତି। ବିଜେପୁର ଗଣିତ ସହିତ ଏମାନଙ୍କର ଭବିଷ୍ୟତ ଯୋଡ଼ି ହୋଇ ରହିଛି। ଯଦି ନିର୍ବାଚନ ଭଲ ହୁଏ, ତେବେ ନବୀନ ପୁରସ୍କୃତ କରିପାରନ୍ତି। କିନ୍ତୁ ଫଳାଫଳ ଖରାପ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଛଘୁଞ୍ଚା ଦେବେ ନାହିଁ। କେବଳ ସେତିକି ନୁହେଁ, ମନ୍ତ୍ରୀ ପଦ ପାଇଁ ଦଳରେ ଏକାଧିକ ଆଶାୟୀ ଅଛନ୍ତି। ଦଳ ପ୍ରାୟ ସମସ୍ତଙ୍କୁ ଏହି ନିର୍ବାଚନରେ ଲଗାଇବ। ଏମାନଙ୍କ ମଧ୍ୟରୁ ଯିଏ ଭଲ କରିବେ, ତାଙ୍କୁ ନବୀନ ଆଗକୁ ଆଣିପାରନ୍ତି। ଅନ୍ୟଥା ଏହି ଅଦଳବଦଳ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ବିଗାଡ଼ିଦେବାର ଭୟ ବି ରହିଛି, ଯାହାର ନକାରାତ୍ମକ ପ୍ରଭାବ ଉପନିର୍ବାଚନରେ ପଡ଼ିପାରେ।

ଏଠାରେ ଉଲ୍ଲେଖଥାଉକି, ଏକାଧିକ ମନ୍ତ୍ରୀଙ୍କ କାର୍ଯ୍ୟରେ ମୁଖିଆ ସନ୍ତୁଷ୍ଟ ନୁହଁନ୍ତି। ଏଣୁ ପରବର୍ତ୍ତୀ ମନ୍ତ୍ରିମଣ୍ଡଳ ଅଦଳବଦଳ ସହିତ କିଛି ମନ୍ତ୍ରୀଙ୍କ ବିଭାଗରେ ମଧ୍ୟ ଅଦଳବଦଳ ସମ୍ଭାବନା ରହିଛି।
ଗତକାଲି ଡାକ୍ତର ଦାମୋଦର ରାଉତଙ୍କୁ ନବୀନ ବରଖାସ୍ତ କରିଥିଲେ। ଏହା ପୂର୍ବରୁ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଣୁ ଏବେ ନବୀନଙ୍କ ମନ୍ତ୍ରୀ ପରିଷଦରେ ୨ଟି ପଦବି ଖାଲି ରହିଛି।

ସମ୍ବନ୍ଧିତ ଖବର