ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଇଟର କନଷ୍ଟେବଳଙ୍କୁ ୨୫ ବର୍ଷ ପରେ ମିଳିବ ଚାକିରି

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଦୀର୍ଘ ୨୫ ବର୍ଷ ପରେ ଜଣେ ରାଇଟର କନଷ୍ଟେବଳ ଚାକିରି ଫେରି ପାଇବାକୁ ଯାଉଛନ୍ତି। ୧୯୯୩ରେ ରାଇଟର କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଦୋଳମଣି ବିସିଙ୍କୁ ୧୯୯୫ରେ ଚାକିରିରୁ ବହିଷ୍କାର ପାଇଁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ହାଇକୋର୍ଟ ଖାରଜ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ପୁଣି ଚାକିରିରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ବାକି ଥିବା ‌ତାଲିମ ଆରମ୍ଭ କରିବାକୁ ଓ ପୂର୍ବଭଳି ଚାକିରିରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୩, ଅଗଷ୍ଟ ୧୬ରେ ଆବେଦନକାରୀ ରାଇଟର କନଷ୍ଟେବଳ ପଦବିରେ ଯୋଗ ଦେଇଥିଲେ। ବଲାଙ୍ଗୀର ଏସପିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ନୟାଗଡ଼ ପୁଲିସ ତାଲିମ ସ୍କୁଲର  ଅଧ୍ୟକ୍ଷ ଓ ବଲାଙ୍ଗୀର ଡିଏସପି ରହିଥିଲେ। କ୍ଷମତାପ୍ରାପ୍ତ ଏହି ଚୟନ କମିଟି ଦ୍ବାରା ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ ଚୟନ କରାଯିବା ପରେ ସେ ଚାକିରିରେ ଯୋଗ ଦେଇଥିଲେ। ଚୟନ ପ୍ରକ୍ରିୟା ବେଳେ ତାଙ୍କ ଉଚ୍ଚତା ୧୬୮ ସେଣ୍ଟିମିଟର ରେକର୍ଡ କରାଯାଇଥିଲା। ବଲାଙ୍ଗୀର ରିଜର୍ଭ କାର୍ଯ୍ୟାଳୟରେ ‌ତାଙ୍କୁ ଅବସ୍ଥାପିତ କରାଯାଇଥିଲା। ଏହାପରେ ୧୯୯୪, ମାର୍ଚ୍ଚ ୨୪ରେ ସୁନ୍ଦରଗଡ଼ର ହାଟବାଡ଼ି ପୁଲିସ ଟ୍ରେନିଂ ସ୍କୁଲରେ ୯ ମାସିଆ ତାଲିମ ନେବା ପାଇଁ ଆବେଦନକାରୀଙ୍କୁ ପଠାଯାଇଥିଲା। ଆବେଦନକାରୀ ୬ମାସରୁ ଅଧିକ ତାଲିମ ନେବା ଶେଷ କରିଥିବା ବେଳେ ୧୯୯୪, ସେପ୍ଟେମ୍ବର ୧୯ରେ ତାଙ୍କୁ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଉଚ୍ଚତା କମ୍ ଥିବା ଅଭିଯୋଗରେ ଫେରାଇ ଦେଇଥିଲେ। ଏହାପରେ ଆବେଦନକାରୀ ନିଜ ମୂଳ କାର୍ଯ୍ୟାଳୟରେ ୧୯୯୪, ସେପ୍ଟେମ୍ବର ୨୦ରେ ଯୋଗ ଦେଇଥିଲେ। ୧୯୯୪, ଅକ୍ଟୋବର ୩୧ରେ ଆବେଦନକାରୀଙ୍କୁ ଚାକିରିରୁ ଅନ୍ତର କରାଯାଇଥିଲା।

ଆବେଦନକାରୀ ଏପରି ନିର୍ଦ୍ଦେଶ ବିରୋଧରେ ପୁଲିସ ଡିଆଇଜିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଆବେଦନକାରୀଙ୍କ ଉଚ୍ଚତା ପୁଣି ମାପ କରାଯାଇଥିଲା ଓ ଏହା ୧୬୭ ସେଣ୍ଟିମିଟର ବୋଲି ଜଣା ପଡିଥିଲା। ନିର୍ଦ୍ଧାରିତ ଉଚ୍ଚତା ଠାରୁ ୧ ସେଣ୍ଟିମିଟର କମ୍ ଉଚ୍ଚତା ଥିଲା ଆବେଦନକାରୀଙ୍କ। ଏହି ପ୍ରସଂଗକୁ ସରକାରଙ୍କ ନିକଟକୁ ବିଚାର ପାଇଁ ପଠାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ପୁଣି ୧୯୯୪, ନଭେମ୍ବର ୭ରୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଥିଲା। ଏହାପରେ ୧୯୯୫, ମେ’ ୩୧ରେ ଆବେଦନକାରୀଙ୍କୁ ପୁଣି ଚାକରିରୁ ବହିଷ୍କାର କରାଯାଇଥିଲା। ଏହି ନିର୍ଦ୍ଦେଶ ବିରୋଧରେ ସେ ରାଜ୍ୟ ପ୍ରଶାସନିକଟ ଟ୍ରିବୁନାଲରେ କରିଥିବା ଆବେଦନ ୨୦୧୦, ଜୁଲାଇ ୨୨ରେ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଥରେ ଚୟନ ପ୍ରକ୍ରିୟାରେ ନିୟମ ଅନୁସାରେ ଚୟନ କରାଯିବା ପରେ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି କର୍ତ୍ତୃପକ୍ଷ ଚୟନ କମିଟି ନିଷ୍ପତ୍ତିରେ ହସ୍ତକ୍ଷେପ କରି ପାରିବେ ନାହିଁ। ହାଇକୋର୍ଟ ମାମଲାର ଶୁଣାଣି କରି ୧୯୯୪, ଅକ୍ଟୋବର ୩୧, ୧୯୯୫, ମେ’ ୩୧ର ସରକାରଙ୍କ ନିର୍ଦ୍ଦେଶ ସହିତ ସ୍ୟାଟଙ୍କ ୨୦୧୦, ଜୁଲାଇ ୨୨ର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର