ଭୁବନେଶ୍ବର: ଲେଖକଙ୍କ କାର୍ଯ୍ୟ ହେଉଛି ଈଶ୍ବରଙ୍କୁ ନିଦରୁ ଉଠାଇବା। ଓଡ଼ିଶାର ଲେଖକମାନେ କେବଳ ନଅଙ୍କ ଦୁର୍ଭିକ୍ଷ ବା ପରାଜୟ ପାଖରେ ଅଟକି ରୁହନ୍ତୁ ନାହିଁ। ତାକୁ ଅତିକ୍ରମ କରି ପୂର୍ବରୁ ସାହସୀ କଳିଙ୍ଗର ଗୌରବମୟ ଇତିହାସକୁ ପୁଣି ଥରେ ସାମ୍ନାକୁ ଆଣନ୍ତୁ। ଆଗାମୀ ୨୦୩୬ ମସିହାରେ ଓଡ଼ିଶା ଗଠନର ଶହେ ବର୍ଷ ପୂରଣ ହେଉଥିବା ବେଳେ ଏକ ବିକଶିତ, ସମୃଦ୍ଧ ଓ ବିଭବଶାଳୀ ଓଡ଼ିଶାର ସନ୍ତାନ ଭାବେ ନିଜକୁ ପରିଚିତ କରାଇବାକୁ ଲେଖକମାନେ ଲେଖନୀ ଚାଳନା କରନ୍ତୁ। ଯୁବ ଲେଖକମାନେ ନିଜ କାନ୍ଧକୁ ଓଡ଼ିଶାର ଭାର ନିଅନ୍ତୁ। ପ୍ରତ୍ୟେକଟି ଲେଖାରେ ଶୋଇଥିବା ଈଶ୍ବରଙ୍କୁ ଜାଗ୍ରତ କରନ୍ତୁ। ଭୁବନେଶ୍ବରସ୍ଥ ଜୟଦେବ ଭବନଠାରେ ‘ସମ୍ବାଦ’ ଗ୍ରୁପ୍ର ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ୩୮ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହର ମୁଖ୍ୟ ଅତିଥି ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା କହିଛନ୍ତି।
ମନ୍ତ୍ରୀ ‘କଥା’ର ପରିବାରକୁ କୃତଜ୍ଞତା ଜଣାଇବା ସହ ୩୮ ବର୍ଷ ଧରି ୩୦୦ରୁ ଊର୍ଦ୍ଧ୍ବ ଲେଖକଙ୍କୁ ପ୍ରୋତ୍ସାହନ ଦେବାଠାରୁ ବଡ଼ କଥା କିଛି ନାହିଁ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବରେ ବିଖ୍ୟାତ କଥାଶିଳ୍ପୀ ତଥା ସ୍ତମ୍ଭକାର ଆନନ୍ଦ ନୀଳକାନ୍ତନ କହିଲେ, ଜଣେ ଯେ କୌଣସି ଭାଷାକୁ ବ୍ୟବହାରର ଆୟୁଧ ଭାବେ ଶିକ୍ଷା କରିପାରେ। କିନ୍ତୁ ମାତୃଭାଷା ହିଁ ତା’ର ପ୍ରକୃତ ଭାଷା। ଯେଭଳି ‘ମା’ର ବିକଳ୍ପ ନାହିଁ, ଠିକ୍ ସେହିପରି ‘ମାତୃଭାଷା’ର ବିକଳ୍ପ ନାହିଁ। କେରଳ ଓ ଓଡ଼ିଶାର ସାଂସ୍କୃତିକ ସମ୍ବନ୍ଧ ଅତି ନିବିଡ଼। ଭାରତ ବର୍ଷର ପୁରାଣ ପରମ୍ପରା ଓ ବିବିଧତା ସତ୍ତ୍ବେ ଏ ଦେଶକୁ ଏକାଠି ରଖିଥିଲା ରାମାୟଣ ଓ ମହାଭାରତ। ଓଡ଼ିଶାରେ ଶୂଦ୍ରମୁନି ଶାରଳା ଦାସ ରାମାୟଣ ଓ ମହାଭାରତର କଥାବସ୍ତୁକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇଛନ୍ତି। ଠିକ୍ ସେହିପରି କେରଳରେ ଘରେ ଘରେ ରାମାୟଣ ଓ ମହାଭାରତ ପହଞ୍ଚିଛି। କେରଳରେ ଜନ୍ମ ଆଦି ଶଙ୍କରାଚାର୍ଯ୍ୟଙ୍କ ‘ଜଗନ୍ନାଥାଷ୍ଟକମ୍’ ନୀଳାଚଳରେ ପ୍ରତ୍ୟହ ବୋଲାଯାଉଛି। ଆହୁରି ମଧ୍ୟ ଦ୍ବାଦଶ ଶତାବ୍ଦୀର ଓଡ଼ିଆ କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ କେରଳର ସବୁ ଗୁରୁତ୍ବପୂର୍ଣ୍ଣ ମନ୍ଦିରରେ ପ୍ରତ୍ୟେକ ଦିନ ବୋଲାଯାଏ।
ମା’ ପରି ମାତୃଭାଷାର ବିକଳ୍ପ ନାହିଁ: ଆନନ୍ଦ ନୀଳକାନ୍ତନ
‘କଥା’ ଓଡ଼ିଆ ଭାଷାର ସୁରକ୍ଷା କବଚ: ସୌମ୍ୟରଂଜନ
ଆନନ୍ଦ ନୀଳକାନ୍ତନ ଓଡ଼ିଶାରେ ପାଠକ ସଂଖ୍ୟା କମୁଥିବା, ବହି ଓ ଚଳଚ୍ଚିତ୍ର ଶିଳ୍ପ ବିକଶିତ ହେଉନଥିବା ନେଇ ଉଦ୍ବେଗ ପ୍ରକାଶ କରି କହିଲେ, କେରଳର ଲୋକ ସଂଖ୍ୟା ଓଡ଼ିଶାର ଲୋକ ସଂଖ୍ୟା ସହ ସମାନ। କେରଳର ‘ମାଲୟାଲମ୍’ ଭାଷା ମଧ୍ୟ ଓଡ଼ିଶାର ‘ଓଡ଼ିଆ’ ଭାଷା ପରି ଶାସ୍ତ୍ରୀୟ ମାନ୍ୟତା ପାଇଛି। କେରଳରେ ତାମିଲନାଡ଼ୁ ପରି ହଜାରେ କୋଟିର ସିନେମା ତିଆରି ହୋଇନପାରେ। ମାତ୍ର ୨ କୋଟି ୩ କୋଟି ଟଙ୍କା ଖର୍ଚ୍ଚରେ ମଧ୍ୟ ବହୁତ ବଡ଼ ବଡ଼ ଫିଲ୍ମ ତିଆରି ହୋଇପାରୁଛି। କିନ୍ତୁ ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ଅନେକ କାଳଜୟୀ କାହାଣୀ, ସୁନ୍ଦର ପ୍ରକୃତି ଥାଇ କାହିଁକି ସେହିପରି ଫିଲ୍ମ ତିଆରି ହୋଇପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ। ଇତିହାସ ସମ୍ପର୍କରେ ଆଲୋଚନା କରି ସେ କହିଥିଲେ, ଓଡ଼ିଶା ବୌଦ୍ଧ ଧର୍ମ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଖାରବେଳ, ଅଶୋକ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ଉଦାହରଣ ଦେଇ ଓଡ଼ିଆଭାଷା ଓ ସଂସ୍କୃତିର ମହନୀୟତା ବଖାଣିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରି କହିଲେ, ପ୍ରଥମ ଦିନରୁ ହିଁ ‘ସମ୍ବାଦ’ ସହ ସାହିତ୍ୟ ଯୋଡ଼ି ହୋଇରହିଛି। ନୂଆ ପାଠକ ଓ ଲେଖକ ସୃଷ୍ଟି କରିବାକୁ ‘ସମ୍ବାଦ’ ଅନବରତ ପ୍ରୟାସ କରିଛି। ନୂଆ ପାଠକ ସୃଷ୍ଟି କରିବା ଓ ଗଣତନ୍ତ୍ର ସୁରକ୍ଷା ପାଇଁ ଗଳ୍ପ ସାହିତ୍ୟ ବଡ଼ ଭୂମିକା ରହିଛି। ତେଣୁ ନୂଆ ଲେଖକ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ୩୭ ବର୍ଷ ତଳେ ‘କଥା’ର ଜନ୍ମ ହୋଇଥିଲା। ଆଜି ଓଡ଼ିଆ ଭାଷାର ସୁରକ୍ଷା କବଚ ପାଲଟିଛି ‘କଥା’। ତେବେ ପୂର୍ବଭଳି ନୂଆ ଲେଖକଙ୍କ ସଂଖ୍ୟା କମିବା ଚିନ୍ତାଜନକ। ଏଦିଗରେ ପତ୍ରିକାର ସମ୍ପାଦକମାନେ ଚିନ୍ତା କରନ୍ତୁ। ‘କଥା’ର ସମ୍ପାଦକ ବିଶିଷ୍ଟ କଥାକାର ଗୌରହରି ଦାସ ସ୍ବାଗତ ବକ୍ତବ୍ୟ ଦେଇ କହିଲେ, ସାହିତ୍ୟ ଜଗତକୁ ନୂଆ ପ୍ରତିଭା ନଆସିଲେ ସାହିତ୍ୟ ସ୍ବାସ୍ଥ୍ୟ ଭଲ ନାହିଁ ବୋଲି କୁହାଯାଏ। କିନ୍ତୁ ପ୍ରତି ବର୍ଷ ପରି ଫାଲ୍ଗୁନ ସନ୍ଧ୍ୟାରେ ଏଠି ନୂଆମୁହଁମାନଙ୍କ ମେଳଣ ଲାଗିଛି। ସାହିତ୍ୟ ଜଗତକୁ ନୂଆ ପ୍ରତିଭାମାନଙ୍କୁ ଭେଟି ଦେବା ପାଇଁ ‘କଥା’ର ଏହି ଜୟଯାତ୍ରା ଓଡ଼ିଶାର ସାରସ୍ବତ ଜଗତକୁ ସମୃଦ୍ଧ କରିଛି।
ଏହି ଅବସରରେ ଚଳିତ ବର୍ଷ ୧୦ ଜଣଙ୍କୁ ‘କଥା’ ନବପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା। ନବ ପ୍ରତିଭା ରୋଜାଲିନ୍ ମୁଦୁଲି, ଜୀବନ ପ୍ରଦୀପ ପ୍ରଧାନ, ରଶ୍ମିରଞ୍ଜନ ରାଉତ, ଭାଗ୍ୟଲକ୍ଷ୍ମୀ ସେଠୀ, ଶୀତଲ ମିଶ୍ର, ଭାଗ୍ୟଶ୍ରୀ ଲେଙ୍କା, ଶୁଭଶ୍ରୀ ସ୍ବର୍ଣ୍ଣପ୍ରଭା, ସଂଘମିତ୍ରା ପଣ୍ଡା, ଶାକମ୍ବରୀ ପ୍ରିୟଦର୍ଶିନୀ ସାହୁ ଓ ସ୍ରୋତସ୍ବିନୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଅତିଥିଙ୍କଠାରୁ ମାନପତ୍ର, ଉପଢ଼ୌକନ ଓ ପୁରସ୍କାର ରାଶି ଗ୍ରହଣ କରିଥିଲେ। ଏଜିଏମ୍(ନ୍ୟୁଜ୍) ଆଶିଷ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ।