ଓଡ଼ିଆ ଲେଖିକା ସମ୍ମେଳନ: ‘ଲେଖିକାମାନେ ଅଧିକ ସଚେତନ ହୁଅନ୍ତୁ’

ବାଲେଶ୍ୱର : ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଯୁଗଶ୍ରୀ ଯୁଗନାରୀ ମିଳିତ ଆନୁକୂଲ୍ୟରେ ଏଠାରେ ଓଡ଼ିଆ ଲେଖକ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମେଳନରେ ‘ଲେଖିକାଙ୍କ ସାହିତ୍ୟରେ ନାରୀ ମନସ୍ତତ୍ତ୍ବ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ରବିବାର ପୂର୍ବାହ୍ନରେ ସ୍ଥାନୀୟ ହୋଟେଲ ଫାଣ୍ଟାସି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ସାରଳା ପୁରସ୍କାର ବିଜେତା ବନଜ ଦେବୀ ଉଦ୍‌ଘାଟନ କରିଥିଲେ। ମାନବିକ ମୂଲ୍ୟବୋଧର ଅଧୋଗତି ସଂପର୍କରେ ଲେଖିକାମାନେ ଅଧିକ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ। ୧୮୯୭ ମସିହାରେ ଫକୀରମୋହନଙ୍କ ‘ରେବତୀ’ ଗଳ୍ପ ନାରୀ ମନସ୍ତତ୍ତ୍ବର ପ୍ରଥମ ଉଦାହରଣ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବି ବିମଳ ଜେନା ନାରୀ ମନସ୍ତତ୍ତ୍ବ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମିର ଆଂଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣ ଦେଇଥିଲେ। ‘ଯୁଗଶ୍ରୀ ଯୁଗନାରୀ ପତ୍ରିକା’ର ସଂପାଦିକା ସମ୍ମେଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ଶେଷରେ, ସହ ସଂପାଦିକା ଡ. ପ୍ରଭାବତୀ ପଣ୍ଡା ଧନ୍ୟବାଦ ଦେଇଥିଲେ।

ଏହି ସମ୍ମେଳନରେ ଚାରିଟି ଅଧିବେଶନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ଡ. ଶକୁନ୍ତଳା ବଳିୟାରସିଂହଙ୍କ ସଭାପତିତ୍ୱରେ ଡ. ବିଷ୍ଣୁପ୍ରିୟା ଓତା, ଝରଣା ପଟ୍ଟନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର ପ୍ରବନ୍ଧ ପାଠ କରିଥିଲେ। ଡ. ମୀନାକ୍ଷି ପଣ୍ଡା ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ଅଧିବେଶନରେ କବିତା ପାଠ ହୋଇଥିବା ବେଳେ ପ୍ରଭା ପଟ୍ଟନାୟକଙ୍କ ସଭାପତିତ୍ୱରେ ସାହିତ୍ୟିକା ତଥା ଓଡ଼ିଶା ସାହିତ୍ୟ ଏକାଡେମିର କାର୍ଯ୍ୟକାରିଣୀ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କା, ସୈରିନ୍ଧ୍ରୀ ସାହୁ ଓ ସୁଚିତ୍ରା ପାଣିଗ୍ରାହୀ ଯୋଗ‌ଦେଇ ନିଜ ନିଜର କବିତା ପାଠ କରିଥିଲେ। ଗୀତାଞ୍ଜଳି ସିଂହ ଧନ୍ୟବାଦ ଦେଇଥିଲେ। ତୃତୀୟ ଅଧିବେଶନରେ କ୍ଷୁଦ୍ରଗଳ୍ପ ପାଠ କରାଯାଇଥିଲା। ପୁଷ୍ପାଞ୍ଜଳି ନାୟକଙ୍କ ସଭାପତିତ୍ୱରେ ବୈଜୟନ୍ତୀ ମିଶ୍ର, ଜୟନ୍ତୀ ରଥ ଓ ସିନ୍ଧୁ ସେନ ଗଳ୍ପପାଠ କରିଥିଲେ। ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ତିମ ଅଧିବେଶନରେ କବି ଦୀପ୍ତି ଦାସଙ୍କ ସଭାପତିତ୍ୱରେ ଅଞ୍ଜଳି ପଣ୍ଡା, ଚିତ୍ରାରାଣୀ ପାତ୍ର, ମନସ୍ୱିନୀ ଦେବୀ ଓ ପ୍ରୀତିଲେଖା ଦାସ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର