ସମ୍ବଲପୁର: ଗତ ୯ରୁ ୧୫ ତାରିଖ ମଧ୍ୟରେ ସମ୍ବଲପୁର ଜମାଦାରପାଲିଠାରେ ଅଗ୍ନିବୀର ନିଯୁକ୍ତି ରାଲି ଅନୁଷ୍ଠିତ ହୋଇଥିଲା। ଉକ୍ତ ରାଲିରେ ୨୦ ହଜାରରୁ ଅଧିକ ଚାକିରି ଆଶାୟୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ପ୍ରାର୍ଥୀଙ୍କ ଶାରୀରିକ ଓ ଡାକ୍ତରୀ ପରୀକ୍ଷା ପରେ ଲିଖିତ ପରୀକ୍ଷା ନିମନ୍ତେ ପ୍ରାୟ ୫୦୦ ଜଣ ମନୋନୀତ ହେଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଲିଖିତ ପରୀକ୍ଷା ଆସନ୍ତା ୧୬ ତାରିଖ ଦିନ ସ୍ଥାନୀୟ ଭିଏସଏସ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଉକ୍ତ ଲିଖିତ ପରୀକ୍ଷାର ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରାକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧିକାରୀମାନେ ନିଜନିଜ ବିଭାଗର ଆବଶ୍ୟକ ପ୍ରସ୍ତୁତି କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ନେଲ୍ ସନ୍ଦୀପ କୁମାର, ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ (ନିୟୋଜନ) ଶଙ୍କର ଚରଣ ମୁର୍ମୁ, ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ, ସମ୍ବଲପୁର ମହାନଗର ନିଗମ ଡେପୁଟି କମିସନର ବିନୋଦ ଚନ୍ଦ୍ର ପଣ୍ଡା, ଡେପୁଟି ଏସ୍ପି ଡିଆଇବି ଜେମସ ସାମଦ, ଜିଲ୍ଲା କ୍ରୀଡ଼ା ସଂଘ କୋଷାଧ୍ୟ ଉମାପତି ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏନ୍କେ ଦଳବେହେରାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।