ସମ୍ବଲପୁର: ରଙ୍ଗ୍ ନମ୍ବରରୁ ଆରମ୍ଭ ହୋଇଥିଲା ପ୍ରେମ। ପରେ ଉଭୟେ ବିବାହ କରିବାକୁ ସ୍ଥିର କଲେ। ୨୦୨୦ରେ ଉଭୟେ କାହାକୁ ନ ଜଣାଇ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ନିଜ ନିଜ ଘରେ ରହିଲେ। ଏସବୁ ଭିତରେ ଯୁବତୀ ହୋଇଥିଲେ ଗର୍ଭବତୀ। କିନ୍ତୁ ଚତୁରତାର ସହ ତାଙ୍କ ପ୍ରେମିକ ଗର୍ଭ ନଷ୍ଟ କରାଇବା ସହ ତାଙ୍କୁ ମାଡ଼ ମାରି ହାତ ଗୋଡ଼ବାନ୍ଧି ରାସ୍ତା କଡ଼ରେ ଫୋପାଡ଼ି ଦେଲେ। ଏଭଳି ଘଟଣା ଘଟିଛି କତରବଗା ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଏହାପରେ ପଧାନପାଲିର ଅଙ୍ଗଦ ମିର୍ଦ୍ଧା ସହ ତାଙ୍କର ପରିଚୟ ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ସହ ପ୍ରେମ ଆରମ୍ଭ ହୋଇଥିଲା। ଉଭୟେ ବିବାହ ପାଇଁ ସେମାନଙ୍କ ଘରେ ମଧ୍ୟ କହିଲେ। କିନ୍ତୁ ଅଲଗା ଜାତିର ହୋଇଥିବାରୁ ଉଭୟଙ୍କ ଘରେ ରାଜି ହୋଇ ନଥିଲେ। ଏହାପରେ ୨୦୨୦ରେ ହୁମା ମନ୍ଦିରରେ ଅଙ୍ଗଦ ସିନ୍ଦୂର ପିନ୍ଧାଇ ଯୁବତୀଙ୍କୁ ବିବାହ କରିଥିଲା। ଏକଥା କିନ୍ତୁ ଉଭୟଙ୍କ ପରିବାର ଲୋକେ ଜାଣି ନଥିଲେ। ସେମାନେ ମଧ୍ୟ ନିଜ ନିଜ ଘରେ ରହି ମଝିରେ ମଝିରେ ଦେଖା କରୁଥିଲେ। ଅଙ୍ଗଦ ତାଙ୍କୁ ବିବାହ କରିସାରିଥିବା କହି ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଦେଇଥିଲେ। କିଛିଦିନ ପରେ ଯୁବତୀ ଗର୍ଭବତୀ ହୋଇଗଲେ।
ଏ କଥା ଯେତେବେଳେ ସେ ଅଙ୍ଗଦକୁ ଜଣାଇଲେ ସେ ବାରମ୍ବାର ପିଲାକୁ ନଷ୍ଟ କରିଦେବାକୁ କହୁଥିଲେ ଏବଂ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଏହାପରେ ଯୁବତୀ ଥାନାରେ ଅଭିଯୋଗ କରିବାକୁ କହିବାରୁ ଅଙ୍ଗଦଙ୍କ ପରିବାର ଲୋକେ ତାଙ୍କୁ ବୁଝାଇଥିଲେ। ତା’ପରେ ଉଭୟେ ଲୁଧାପାଲିରେ ଭଡ଼ାରେ ରହିଲେ। ସେତେବେଳକୁ ଯୁବତୀ ଜଣକ ୬ ମାସର ଗର୍ଭବତୀ ହୋଇସାରିଥିଲେ। ଏସବୁ ଭିତରେ ଅଙ୍ଗଦ ତାଙ୍କୁ ବାରମ୍ବାର ଗର୍ଭ ନଷ୍ଟ କରିବାକୁ ବିଭିନ୍ନ ବାହାନା କରି ରାଜି କରାଇ ଥିଲେ। ମାଝିପାଲିର ଘରୋଇ ହସ୍ପିଟାଲ୍ରେ ଯୁବତୀଙ୍କ ଗର୍ଭ ନଷ୍ଟ କରାଯାଇଥିଲା। ତାପରେ ଆରମ୍ଭ ହୋଇଯାଇଥିଲା ଅଙ୍ଗଦଙ୍କ ଅସଲ ଖେଳ। ଯୁବତୀଙ୍କୁ ସେଦିନଠାରୁ ସେ ଦୂରେଇବା ଆରମ୍ଭ କରିବା ସହ କିଛି କଥା ହେଉ ନଥିଲା।
ମେ’ ୨୬ ଗୁରୁବାର ହଠାତ୍ ଆସି ଆଉ ଏଠି ରହିବାନି, ଘରକୁ ଯିବା କହିଥିଲା। ଯୁବତୀ ମଧ୍ୟ ଖୁସି ହୋଇ ତାଙ୍କ ସହ ଘରକୁ ଯାଇଥିଲେ। ତାପରେ ଅଙ୍ଗଦଙ୍କ ପରିବାର ଲୋକେ ଯୁବତୀଙ୍କୁ ଏକ ଅନ୍ଧାର କୋଠରି ଭିତରକୁ ନେଇଯାଇ ମାଡ଼ି ମାରିଥିଲେ ଏବଂ ତାଙ୍କ ଗାଁ ପାଖରେ ରାସ୍ତା କଡ଼ରେ ଓଢ଼ଣିରେ ହାତଗୋଡ଼ ବାନ୍ଧି ଫୋପାଡ଼ି ଦେଇଥିଲେ। ଉକ୍ତ ଅଞ୍ଚଳର ସରପଞ୍ଚ ସୂଚନା ପାଇ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ଚେତା ଫେରିବା ବେଳେକୁ ସେ ରେଙ୍ଗାଲି ଡାକ୍ତରଖାନାରେ ଥିଲେ। ତାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାପରେ ସଖୀ ପକ୍ଷରୁ ଯୁବତୀଙ୍କୁ କାଉନ୍ସିଲିଂ କରାଯାଇଥିଲା। ଶୁକ୍ରବାର ସଖୀ ପକ୍ଷରୁ ତାଙ୍କୁ ନେଇ କତରବଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀ ବର୍ତ୍ତମାନ ସଖୀ ସେଣ୍ଟରରେ ଅଛନ୍ତି। ଶନିବାର କତରବଗା ଥାନାଧିକାରୀ ଯୁବତୀଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/18-17.jpg)