କଟକ : ଭୁଲ କ୍ୟାନ୍‌ସର ରିପୋର୍ଟ ପାଇଁ ରୋଗୀ ଅଙ୍ଗ ହରାଇବା ଘଟଣା ଏବେ ବିବାଦୀୟ ମୋଡ଼ ନେଇଛି। ରିପୋର୍ଟକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଭୁଆଁ ବୁଲାଉଛନ୍ତି। ତାଙ୍କ ରିପୋର୍ଟ ହିଁ ଠିକ୍‌ ବୋଲି ଦାବି କରିଛନ୍ତି ପାଥୋଲୋଜି ବିଭାଗ। ଏଭଳି ସଙ୍ଗିନ ଅଭିଯୋଗ ପରେ ଏସ୍‌ସିବି ଅଧୀକ୍ଷକ ପାଥୋଲୋଜି ବିଭାଗକୁ ଘଟଣା ସଂପର୍କରେ ରିପୋର୍ଟ ତଲବ କରିଥିଲେ, ଯେଉଁଥିରେ ରିପୋର୍ଟ ସଂପୂର୍ଣ୍ଣ ଠିକ୍‌ ବୋଲି କୁହାଯାଇଛି। ଅର୍ଥାତ୍‌ ରୋଗୀଙ୍କ କ୍ୟାନ୍‌ସର ରିପୋର୍ଟ ପଜିଟିଭ୍‌ ବୋଲି ଦର୍ଶାଯାଇଛି। ତେବେ, ଯେଉଁ ସଂଶୋଧିତ ରିପୋର୍ଟ କଥା କୁହାଯାଉଛି, ତାର ଆଜି ପୁଣି ଥରେ ଯାଂଚ ସମୟରେ, ରିପୋର୍ଟ ପଜିଟିଭ୍‌ ଥିବା କର୍ତ୍ତୃପକ୍ଷ କହିଛନ୍ତି। କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା, ରୋଗୀଙ୍କ ଶରୀରରୁ କଟାଯାଇଥିବା ମାଂସକୁ ତିନି ଭାଗରେ ବିଭକ୍ତ କରି ପରୀକ୍ଷା କରାଯାଇଥିଲା। ଗୋଟିଏ ଅଂଶର ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ଏହାର ପି-୬୩ ରିପୋର୍ଟ ଅର୍ଥାତ୍‌ ଆଇଏଚ୍‌ସି ଟେଷ୍ଟିଂ କରାଯାଇଥିଲା ସେଥିରେ ରିପୋର୍ଟ ନନ୍‌ କ୍ୟାନସରସ୍‌ ଆସିଥିଲା। ଏହା ଅନ୍ୟ ଏକ ‘ମହମରେ କରାଯାଇଥିବାରୁ ବିଭାଗ ପକ୍ଷରୁ ଏହାର ପୁନଃ ତର୍ଜମା ପରେ ପ୍ରଥମ ରିପୋର୍ଟ ହିଁ ଚୂଡାନ୍ତ ବୋଲି କର୍ତ୍ତୃପକ୍ଷ ରିପୋର୍ଟ ଦେଇଥିବା କହିଛନ୍ତି।

Advertisment

ଏହି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏସ୍‌ସିବିରେ ଦିନ ତମାମ ଘଟଣାକୁ ନେଇ ଘଣ୍ଟାଚକଟା କରାଯାଇଥିଲା। ଅଧୀକ୍ଷକଙ୍କ ରିପୋର୍ଟ ତଲବ ପରେ ପାଥୋଲୋଜି ବିଭାଗରେ ଏହାକୁ ନେଇ ସ୍ବତନ୍ତ୍ର ବୈଠକ କରାଯିବା ସହ ଘଟଣାର ତର୍ଜମା କରାଯାଇଥିଲା ଓ ପୁଣି ଥରେ ସ୍ଲାଇଡ୍‌ର ତର୍ଜମା କରାଯାଇଥିଲା। ତର୍ଜମା ପରେ ଅଧୀକ୍ଷକଙ୍କୁ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିବା ବିଭାଗୀୟ ପ୍ରଫେସର ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିବା ସହ ରିପୋର୍ଟ ପାଇଥିବା ସୂଚନା ଦେଇଛନ୍ତି।

publive-image

ସୂଚନାଯୋଗ୍ୟ ଯେ ଢେଙ୍କାନାଳ ଅଞ୍ଚଳର ଜଣେ ମହିଳାଙ୍କର ଛାତିରେ ମାଂସ ବଢ଼ିବା ପରେ ଏସସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ସର୍ଜରି ବିଭାଗରେ ଅସ୍ତ୍ରୋପଚାର ପରେ ମାଂସ ପରୀକ୍ଷା ପାଇଁ ପାଥୋଲୋଜି ବିଭାଗକୁ ପଠାଯାଇଥିଲା, ଯେଉଁଥିରେ ରିପୋର୍ଟ କ୍ୟାନସର୍‌ ଥିବା ଜଣାପଡ଼ିଥିଲା। ଏହା ପରେ ଆଚାର୍ଯ୍ୟ ହରିହର କ୍ୟାନସର୍‌ ହସ୍ପିଟାଲ୍‌ରେ ଆଉଥରେ ଅପରେସନ କରାଯାଇ ଗୋଟିଏ ଅଙ୍ଗ କଟାଯିବା ସହ କେମୋ ମଧ୍ୟ ଦିଆଯାଇଥିଲା। ତେବେ ଡାକ୍ତରଙ୍କ ସନ୍ଦେହ ହେବାରୁ ଉକ୍ତ ନମୁନାକୁ ଆଉ ଥରେ ପରୀକ୍ଷା ପାଇଁ ଡାକ୍ତର କହିବା ପରେ କଥା ପଦାକୁ ଆସିଥିଲା। ପୁରୁଣା ରିପୋର୍ଟ ନେଗେଟିଭ୍‌ ଥିଲା ଓ ମନ୍ୟୁଷକୃତ ତ୍ରୁଟି ଯୋଗୁଁ ପଜିଟିଭ୍‌ ହୋଇଯାଇଥିଲା ବୋଲି ପାଥୋଲୋଜି ବିଭାଗ କହି ସଂଶୋଧିତ ରିପୋର୍ଟ ଦେଇଥିଲେ। ତେବେ ଏହି ସଂଶୋଧିତ ରିପୋର୍ଟକୁ ନେଇ ଏବେ ପ୍ରଶ୍ନ ଉଠିଛି। କେମିତି ରୋଗୀଙ୍କୁ ସଂଶୋଧିତ ରିପୋର୍ଟରେ କର୍କଟ ନଥିବା ରିପୋର୍ଟ ପ୍ରଦାନ କରାଗଲା ଓ ଆଜି ଖୋଳତାଡ଼ ପରେ ପୁଣି ପ୍ରଥମ ରିପୋର୍ଟ ହିଁ ଠିକ୍‌ ବୋଲି କୁହାଯାଉଛି। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଲାଗିରହିଛି। କାହା କଥା ସତ? ଏହା କେବଳ ଏକ ଦ୍ବନ୍ଦ୍ବ ନା ଏକ ବଡ଼ଧରଣର ତ୍ରୁଟି? ପ୍ରଥମ ବାୟପ୍‌ସି ସ୍ଲାଇଡ୍ ରିପୋର୍ଟ ପଜିଟିଭ୍‌ ରହିଛି। କିନ୍ତୁ ରୋଗୀ ସମ୍ପର୍କୀୟ ମାଗିଥିବା ଦିତୀୟ ଓ ତୃତୀୟ ସ୍ଲାଇଡ୍ ରିପୋର୍ଟ ନେଗେଟିଭ୍‌ ରହିଛି। ଏଣୁ କ୍ୟାନସର୍‌ ପଜିଟିଭ ରିପୋର୍ଟ ଅନୁସାରେ ଚିକିତ୍ସା ଠିକ ରହିଥିବା କହିଛନ୍ତି ପାଥୋଲୋଜି ବିଭାଗ ପ୍ରଫେସର୍‌। କେବଳ ‘କମ୍ୟୁନିକେସନ ଗ୍ୟାପ୍‌ ଯୋଗୁଁ ଏହା ଘଟିଥିବା କହିଛନ୍ତି ମେଡିକାଲ୍‌ କର୍ତ୍ତୃପକ୍ଷ।

କୋଟିଏ ଟଙ୍କାର କ୍ଷତିପୂରଣ ଦାବି
କଟକ : ଏସ୍‌ସିବିରେ ଭୁଲ କ୍ୟାନ୍‌ସର ରିପୋର୍ଟ ଯୋଗୁଁ ମହିଳା ରୋଗୀ ଅଙ୍ଗ ହରାଇବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ୍‌ରେ ମାମଲା ଦାୟର ହୋଇଛି। ମାନାବାଧିକାର କର୍ମୀ ସୁଜିତ୍‌ ସାହୁ ଏ ନେଇ ମାମଲା ଦାୟର୍‌ କରିଛନ୍ତି। ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ଶ୍ରୀ ସାହୁ ପୀଡ଼ିତାଙ୍କୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ସହ ଚିକିତ୍ସା ଅବହେଳାକୁ ନେଇ ସ୍ବାସ୍ଥ୍ୟ ସଚିବ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ନିବେଦନ କରିଛନ୍ତି।