ଭୁଲ୍ ବିଦ୍ୟୁତ୍ ବିଲ୍‌ ଦେଇ ଉପଭୋକ୍ତାଙ୍କୁ ଧମକାଉଛି ସେସୁ

ଉପଭୋକ୍ତା ଅସହଯୋଗ କରିବାକୁ ଜନ ଜାଗରଣ ମଞ୍ଚର ଆହ୍ବାନ

ଭୁବନେଶ୍ବର: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଖରେ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପହଞ୍ଚୁନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ଠିକ୍ ସମୟରେ ବିଲ୍‌ ପହଞ୍ଚୁନାହିଁ। ୪/୫ ମାସରେ ଲୋକଙ୍କ ପାଖରେ ବିଲ୍‌ ପହଞ୍ଚୁଛି। ତାହା ପୁଣି ଏମିତି ବିଲ୍ ଆସୁଛି ଯେ ତାହାକୁ ଦେବା ପାଇଁ ଲୋକମାନେ ଅସମର୍ଥ ହେଉଛନ୍ତି। ସାଧାରଣ ଉପଭୋକ୍ତା ବିଦ୍ୟୁତ୍ ସଂକଟରେ ହନ୍ତସନ୍ତ ହେଉଥିବା ବେଳେ ଭୁଲ୍‌ ବକେୟା ବିଲ୍‌ ଦେଇ ଲାଇନ୍ କାଟି ଦେବାକୁ ସେସୁ ପକ୍ଷରୁ ଧମକ ଦିଆଯାଉଛି। ଏହା ବିରୋଧରେ ଆଗାମୀ ଦିନରେ ଜନସାଧାରଣକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଜନ ଜାଗରଣ ମଞ୍ଚ।

ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଅଧ୍ୟକ୍ଷ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର କହିଲେ, କିଛି ବର୍ଷ ହେବ ପାଇକାରୀ ମିଟର ବଦଳରେ ଚାଇନା ମିଟର ଉପଭୋକ୍ତାଙ୍କ ଘରେ ଲଗା ଯାଇଥିଲା। ଲୋକଙ୍କ ବିରୋଧ ସତ୍ତ୍ବେ ଏହି ମିଟରକୁ ଜୋରଜବରଦସ୍ତ ଲଗା ଯାଇଥିଲା। ଫଳରେ ବିଦ୍ୟୁତ୍ ବିଲ୍ ଅଧିକ ଆସୁଛି। ଉପଭୋକ୍ତା ଯେତିକି ବିଦ୍ୟୁତ୍ ବ୍ୟବହାର କରୁଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ବିଲ୍‌ ଆସୁଛି। ଗ୍ରାମାଞ୍ଚଳର ଉପଭୋକ୍ତମାନଙ୍କୁ ଅଧିକ ଶୋଷଣ କରାଯାଉଛି। ବିଲ୍‌ ଆଦାୟ କରାଯିବା ସମୟରେ ଯାହା ଅଛି ଦିଅ କହି ଟଙ୍କା ଆଦାୟ କରାଯାଉଛି। ଫଳରେ ବାକି ଟଙ୍କା ସବୁ ବକେୟା ହିସାବରେ ଉପଭୋକ୍ତାଙ୍କ ମୁଣ୍ଡରେ ଗଡ଼ୁଛି।

ଏହାସହ ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ନିଯୁକ୍ତି ପାଇଥିବା ଫ୍ରାଞ୍ଚାଇଜ୍ ସଂସ୍ଥାଗୁଡ଼ିକ ଉପଭୋକ୍ତାଙ୍କ ଟଙ୍କାକୁ ବାଟମାରଣା କରୁଥିବା ଅଭିଯୋଗ ହେଉଛି। ଫ୍ରାଞ୍ଚାଇଜ୍ ସଂସ୍ଥା ତାଙ୍କ କମିସନ ଟଙ୍କା ଉପଭୋକ୍ତାଙ୍କଠାରୁ ନେଉଛନ୍ତି। ଟଙ୍କା ଆଦାୟ କରୁଛନ୍ତି ମାତ୍ର ପଇଠ କରୁନାହାନ୍ତି। ଏ ସଂପର୍କରେ ଉପଭୋକ୍ତାମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି। ମ‌ାତ୍ର ଏବେ ସେସୁ ପକ୍ଷରୁ ଲାଇନ୍‌ କାଟି ଦେବାର ଧମକ ଦିଆଯାଉଛି। ଯେହେତୁ ଉପଭୋକ୍ତାମାନଙ୍କୁ ଠିକ୍‌‌ରେ ବିଦ୍ୟୁତ୍‌ ବିଲ୍‌ ଦିଆଯାଇନାହିଁ, ତେଣୁ ବକେୟା ବିଦ୍ୟୁତ୍ ବିଲ୍ ମାଗିବା ସମୟରେ ଉପଭୋକ୍ତାମାନେ ଏଥିରେ ଅସହଯୋଗ କରନ୍ତୁ। ଉପଭୋକ୍ତାମାନଙ୍କୁ ସଚେତନ କରିବା ପାଇଁ ଆଗାମୀ ଦିନରେ ନିଆଳି, କଟକ, ସାଲେପୁର ଓ ନିଶ୍ଚିନ୍ତକୋଇଲରେ ସମାବେଶ କରାଯିବ। ଏହାସହ ଆସନ୍ତା କିଛି ଦିନ ଭିତରେ ରାଜଧାନୀର ଲୋୟର ପିଏମ୍‌ଜିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅପରପକ୍ଷରେ ସେସୁର ଏହି ଧମକ ବିରୋଧରେ ଜନ ଜାଗରଣ ମଞ୍ଚ ସହ ଆଜି ଆହୁରି ୯ଟି ସଂଗଠନ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଆହୁରି ସଂଗଠନ ସାମିଲ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ସମସ୍ତ ସଂଗଠନକୁ ନେଇ ଆଗାମୀ ଦିନରେ ଏକ ଉପଭୋକ୍ତା ମହାସଂଘ ଗଠନ କରାଯିବାକୁ ଲକ୍ଷ୍ୟ ରହିଥିବା କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର